ସହଜରେ ବ୍ୟବସାୟ ପାଇଁ ଆନ୍ଧ୍ର ୧ ନମ୍ବର, ୧୪ରେ ଓଡ଼ିଶା

0

ନୂଆଦିଲ୍ଲୀ : ସହଜରେ ବ୍ୟବସାୟ ପାଇଁ ଗୁଜରାଟ ଏବଂ ମହାରାଷ୍ଟ୍ର ଭଳି ଉଦ୍ୟୋଗ ବହୁଳ ରାଷ୍ଟ୍ରକୁ ପଛରେ ପକାଇ ଆନ୍ଧ୍ରପ୍ରଦେଶ ଦଶର ଏକ ନମ୍ବର ସ୍ଥାନରେ ରହିଛି। ରାଜ୍ୟରେ ବ୍ୟବସାୟିକ ସଂସ୍ଥା ସ୍ଥାପନ କରିବା ପାଇଁ ବିଭିନ୍ନ ମଞ୍ଜୁରି ହାସଲ କରିବା, ଟିକସ୍‍ ବ୍ୟବସ୍ଥା ସରଳ କରିବା ଓ ଅନ୍ୟାନ୍ୟ ଅନୁମତି ହାସଲ କରିବା ଆନ୍ଧ୍ରପ୍ରଦେଶରେ ଅତି ସହଜ। ବିଶ୍ୱ ବ୍ୟାଙ୍ଗ ଏବଂ ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ (ଡିଆଇପିପି) ପକ୍ଷରୁ ଭାରତରେ ସହଜରେ ବାର୍ଷିକ ବ୍ୟବସାୟ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ବିଜନେସ୍ ରିଫର୍ମ ଆକ୍ସନ ପ୍ଲାନ୍‍- ୨୦୧୭ (ବିଆରଏପି)ର ତୃତୀୟ ସଂସ୍କରଣରେ ଏହା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଯଥାକ୍ରମେ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ରହିଥିବାବେଳେ ତୃତୀୟ ସ୍ଥାନରେ ହରିୟାଣା ରହିଛି। ଏହି ତାଲିକାର ୧୪ ନମ୍ବର ସ୍ଥାନରେ ଓଡ଼ିଶା ରହିଛି। ଅର୍ଥାତ ସହଜରେ ବ୍ୟବସାୟ କରିବା କ୍ଷେତ୍ରରେ ଓଡ଼ିଶା ୧୪ଟି ରାଜ୍ୟଙ୍କଠାରୁ ପଛରେ ରହିଛି। ଏହି ତାଲିକାର ଚତୁର୍ଥ ସ୍ଥାନରେ ଝାରଖଣ୍ଡ ଏବଂ ପଞ୍ଚମ ସ୍ଥାନରେ ଗୁଜରାତ ରହିଛନ୍ତି। ଏହା ପଛକୁ ଛତିଶଗଡ଼ ଷଷ୍ଠ, ମଧ୍ୟପ୍ରଦେଶ ସପ୍ତମ, କର୍ଣ୍ଣାଟକ ଅଷ୍ଟମ, ରାଜସ୍ଥାନ ନବମ ଏବଂ ପଶ୍ଚିମବଙ୍ଗ ଦଶ ନମ୍ବର ସ୍ଥାନରେ ରହିଛନ୍ତି। ମହାରାଷ୍ଟ୍ର ପୂର୍ବ ସ୍ଥାନରୁ ତଳକୁ ଖସି ୧୩ ନମ୍ବର ସ୍ଥାନରେ ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀ ଏହି ତାଲିକାର ୨୩ ନମ୍ବର ସ୍ଥାନରେ ରହିଛି। ତାଲିକାର ଶେଷରେ ୩୪ ନମ୍ବର ସ୍ଥାନରେ କ୍ରମାନ୍ୱୟରେ ଅରୁଣାଚଳପ୍ରଦେଶ, ଲକ୍ଷାଦ୍ୱିୀପ ଏବଂ ମେଘାଳୟ ରହିଛନ୍ତି। ପୂର୍ବରୁ ୨୦୧୫ରେ ଗୁଜରାତ ଏହି ତାଲିକାର ଶୀର୍ଷରେ ଥିଲାବେଳେ ୨୦୧୬ରେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଯୁଗ୍ମ ଭାବେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ନୂତନ ତାଲିକାରେ ତେଲଙ୍ଗାନା ଗୋଟିଏ ସ୍ଥାନ ତଳକୁ ଖସିଆସିଛି। ଚଳିତ ଥର ତାଲିକାକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମ ବର୍ଗ ଟପ୍‍ ଆଚିଭର୍ସ (୯୫% ଉପରେ), ଦ୍ୱିତୀୟ ବର୍ଗରେ ଆଚିଭର୍ସ (୯୦ରୁ ୨୫%), ତୃତୀୟ ବର୍ଗ ଫାଷ୍ଟ ମୁଭର୍ସ (୮୦-୯୦%) ଏବଂ ଚତୁର୍ଥ ବର୍ଗ ଆସ୍ପାଇରର (୮୦% ଉପରେ) ତାଲିକା ପ୍ରସ୍ତୁତ କରାଯାଇଛି। ଟପ ଆଚିଭର୍ସ ତାଲିକାରେ ୧୦ଟି ଦେଶ ଥିବାବେଳେ ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ତାମିଲନାଡୁ ଭଳି ୫ଟି ରାଜ୍ୟ ଆଚିଭର୍ସ ବର୍ଗରେ ଅଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ବ୍ୟବସାୟିକ ପରିବେଶ ସୃଷ୍ଟି କରିବା ପାଇଁ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

Leave A Reply