ମାଲିକ ପାଇଁ ଜୀବନ ଦେଲା କୁକୁର
ଭୁବନେଶ୍ବର : କୁକୁର ଯେ ଏକ ବିଶ୍ବସ୍ତ ପ୍ରାଣୀ । ଏହାର ଆଉ ଏକ ପ୍ରମାଣ ମିଳିଛି । ଘର ଭିତରକୁ ପଶି ଆସୁଥିବା ଏକ ବିଷଧର ସାପ ସହ ଲଢ଼ି ଜୀବନକୁ ବାଜି ଲଗାଇ ଦେଇଛି। ସାପକୁ ମାରିବା ସହିତ ୨୦ ମିନିଟ୍ ଭିତରେ ସର୍ପାଘାତରେ କୁକୁର ଜୀବନ ହାରିଛି। ଏଭଳି ଏକ ବିରଳ ଘଟଣା ଘଟିଛି ଜଟଣୀ ରାମଚନ୍ଦ୍ରପୁର ବଜାରରେ ରହୁଥିବା ଆମିନ୍ ସରିଫଙ୍କ ବାସଭବନରେ।
ରାତି ପ୍ରାୟ ୨ଟା ହେବ ଆମିନ୍ଙ୍କ ପୋଷା କୁକୁର ଟାଇସନ୍(ଡାଲ୍ମେସିଆନ୍ ପ୍ରଜାତିର) ଭୋକିବାକୁ ଲାଗିଲା। ତେବେ ବାରମ୍ବାର କୁକୁର ଭୁକିବାର ଶବ୍ଦ ଶୁଣି ପରିବାର ଲୋକେ ଉଠି ଯାହା ଦେଖିଥିଲେ ବିଶ୍ବାସ କରି ପାରି ନ ଥିଲେ। ଟାଇସନ ଏକ ନାଗସାପକୁ ବାଟ ଛାଡ଼ି ଦେଉନି। ସାପଟି ଆମିନଙ୍କ ଘର ଭିତରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ଟାଇସନର ନଜରେ ପଡ଼ିଥିଲା। ମାଲିକର ସୁରକ୍ଷା ଦୃଷ୍ଟିରୁ ସେ ବାଟ ଓଗାଳି ଥିଲା। ନାଗ ସାପ ସହ ଲଢେ଼ଇ କରି ମାରିଦେଲା। ମୁକାବିଲା ଭିତରେ ନାଗସାପଟି ଟାଇସନର ବାମ ପଟ ପାଟିକୁ କାମୁଡ଼ି ଦେଇଥିଲା। ସାପଟି ମରିବା ପରେ ଟାଇସନ ଥକା ମାରି ମାଲିକଙ୍କ ପାଖକୁ ଆସିଲା। ବିକଳରେ ଆମିନ୍ ଯେଉଁ ପ୍ରାଣୀ ଚିକିତ୍ସକଙ୍କୁ ଫୋନ୍ କଲେ କେହି ବି ଉଠେଇଲେ ନାହିଁ। ରାତି ୨ ଟା ୧୪ ମିନିଟରେ ସେ ସ୍ନେକ ହେଲ୍ପଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରିବା ସହିତ ଟାଇସନ ଏବଂ ସାପର ଫଟୋ, ଭିଡିଓ ପଠାଇଥିଲେ। ବିଳମ୍ବିତ ରାତିରେ ଶୁଭେନ୍ଦୁ ଚେଷ୍ଟା କରି ବିଫଳ ହୋଇଥିଲେ। ରାତିରେ କୌଣସି ସରକାରୀ ଓ ବେସରକାରୀ ପଶୁ ଡାକ୍ତରଖାନା ଖୋଲା ରୁହେ ନାହିଁ। ତେବେ ଓୟୁଏଟି ଭେଟରନାରୀ କଲେଜର ୨୪ ଘଣ୍ଟିଆ ଚିକିତ୍ସା ଉପଲବ୍ଧ କରାଯିବା ବ୍ୟବସ୍ଥା କରାଯିବା ଲାଗି ଶୁଭେନ୍ଦୁ ମତ ଦେଇଛନ୍ତି।