ଧାମନଗର ଦେଇ ପ୍ରବାହିତ ବୈତରଣୀ ନଦୀ ସୈରାତ ଚିହ୍ନଟ ପାଇଁ ସର୍ବେକ୍ଷଣ

ଦୋବଲ : ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧିନ ଦୋବଲ ଜୋନର ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀ ଗର୍ଭରୁ ବାଲି ଉତ୍ତୋଳନ ପାଇଁ ରାଜ୍ୟ ଖଣି ଓ ଇସ୍ପାତ ବିଭାଗର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଞ୍ଚାୟତର ବିଭିନ୍ନ ଘାଟରୁ ବାଲି ଚୋରି ହେଉଥିବା ଖବର ମିଳିବା ପରେ ଖଣି ବିଭାଗ ସୈରାତ ଉତ୍ସ ଚିହ୍ନଟ କରି ନିଲାମ ଡାକିବାକୁ ପଦକ୍ଷେପ ନେଇଥିଲା। ଯାହାର ପ୍ରାରମ୍ଭିକ ପର୍ଯ୍ୟାୟରେ ସୈରାତ ଉତ୍ସ ଚିହ୍ନଟ ଲାଗି ଯୁଗ୍ମ ସର୍ବେକ୍ଷଣ କରାଯାଇଛି। ଦୁଇ ମାସ ପୂର୍ବରୁ ଖଣି ବିଭାଗର ବାଲେଶ୍ବର ଅଫିସ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଭୂତତ୍ତ୍ବବିତ, ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟାଳୟର ଅଧିକାରୀ, ଧାମନଗର ଜଳସଂପଦ କାର୍ଯ୍ୟାଳୟର ଅଧିକାରୀ ଏବଂ ଧାମନଗର ତହସିଲଦାର ଓ ରେଭିନ୍ୟୁ ସୁପରଭାଇଜର ଆସି ଅନୁଧ୍ୟାନ କରିଥିଲେ। ସେତେବେଳେ ବୈତରଣୀରେ ପାଣି ଥିବାରୁ ସୈରାତ ଉତ୍ସ ଚିହ୍ନଟ ସମ୍ଭବ ହୋଇନଥିଲା। ଏହାପରେ ବୁଧବାର ପୁଣି ଉପରୋକ୍ତ ବିଭାଗର ମିଳିତ ଟିମ୍ ଆସି ସର୍ବେକ୍ଷଣ କରିଥିଲେ।

ଏହି ଟିମ୍ ଆନନ୍ଦପୁର-ସିଦ୍ଧେଶ୍ବର ବୈତରଣୀ ପୋଲଠାରୁ ଉତ୍ତେଇପୁର ଯାଏ ଅନୁଧ୍ୟାନ କରିଥିଲେ। ତହସିଲ ବିଭାଗର ସୂଚନା ମୁତାବକ ଆନନ୍ଦପୁର ପୋଲଠାରୁ ୫୦୦ ମିଟର ପୂର୍ବକୁ ଓ ୫୦୦ ମିଟର ପଶ୍ଚିମକୁ ବାଲିଘାଟ କରାଯାଇପାରିବ। ସେହିପରି ଉତ୍ତେଇପୁର ରାଜସ୍ବ ଗ୍ରାମର ଉତ୍ତେଇପୁର ଏବଂ ମାନଲାପୁରର କଚେରୀ ବାଡ଼ି ପାଖରେ ବାଲିଘାଟ ନିଲାମ ହୋଇପାରିବ ବୋଲି ଖଣି ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ମିଳିବା ପରେ ଆଜି ଆସିଥିବା ଟିମ୍ ନଦୀ କୂଳେ କୂଳେ ବୁଲି ସମସ୍ତ ସ୍ଥାନ ଦେଖିଥିଲେ। ତେବେ ବୈତରଣୀରେ ଏବେ ପାଣି ଥିବାରୁ ସୈରାତ ଉତ୍ସ ନିର୍ଦ୍ଧାରଣ କରିବା ସମ୍ଭବପର ନୁହଁ ବୋଲି ଟିମ୍ ଅନୁଭବ କରିଥିଲା। ନଦୀଗର୍ଭରେ ପାଣି ଥିବାରୁ କେଉଁଠି କେତେ ମାତ୍ରାରେ ବାଲି ଜମା ହୋଇଛି, ପାଣି ତଳେ ଥିବା ଚଟାଣ ଉପରେ କେତେ ପରିମାଣର ବାଲି ଜମା ହୋଇଛି, ତାହା ଜାଣିବା ମୁସ୍କିଲ ହୋଇଥିଲା। ଯାହା ଫଳରେ ଖଣି ଅଧିକାରୀ ଓ ଭୂତତ୍ତ୍ବବିତ୍ ରିପ୍ଲୋନିସମେଣ୍ଟ ଷ୍ଟଡି ବା ବାଲି ଜମା ହୋଇଥିବା ଆକଳନ କରିପାରିନଥିଲେ। ନଦୀରେ ପାଣି ଥିବାରୁ ବର୍ତ୍ତମାନ ପାଇଁ ସୈରାତ ଉତ୍ସ ନିର୍ଦ୍ଧାରଣ କରିବା ସମ୍ଭବ ହେଲା ନାହିଁ ଅନୁଧ୍ୟାନ ପାଇଁ ଆସିଥିବା ଖଣି ବିଭାଗ ଅଧିକାରୀ ଅନିଲ ଦାସ କହିଛନ୍ତି। ସେହିପରି ଧାମନଗର ତହସିଲଦାର କହିଛନ୍ତି ଯେ, ପାଣି ଥିବାରୁ ବାଲିଘାଟ ଚିହ୍ନଟ ହୋଇପାରିଲା ନାହିଁ। ଆଉ କିଛିଦିନ ପରେ ପୁଣି ମିଳିତ ଅନୁଧ୍ୟାନ କରାଯିବ ବୋଲି ଧାମନଗର ତହସିଲଦାର ଦୀପକ ଦାସ କହିଛନ୍ତି। ତେବେ ବୀଭିନ୍ନ ଘାଟରୁ ବେଆଇନ ଚୁରା ଚାଲାଣ ରୋକିବା ଲାଗି କଡ଼ା ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

Comments are closed.