ଜରାନିବାସ ଉଦଘାଟନ ପୂର୍ବରୁ ଭାଙ୍ଗିଲା ରାସ୍ତା: ଫାଟିଲା ପାଇପ, ଭାସିଲା ପାଣି

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର କଲେଜ ସାମନାରେ ନୂତନ ଜରାନିବାସ କମ୍ପ୍ଲେସ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଉଦଘାଟନ ପୂର୍ବରୁ ଏକାଧିକ ସ୍ଥାନରେ ରାସ୍ତା ଭାଙ୍ଗିବା ସହ ପାଇପ ଫାଟି ପାଣି ଭାସୁଛି। ଫେବୃଆରୀ ୨୦୧୯ ମସିହାରୁ ରାଣୀପୋଖରୀ ହୁଡ଼ାରେ ଜରା ନିବାସ କମ୍ପ୍ଲେସ ନିର୍ମାଣ ଭିତିପ୍ରସ୍ତର ସ୍ଥାପନା ହୋଇଛି। ଏହାକୁ ଜରା ନିବାସ କୁହାଯାଉଥିବାବେଳେ ଏ ପ୍ରକଳ୍ପର ନାଁ ରହିଛି ସମନ୍ବିତ ଭିତ୍ତିଭୂମି ପ୍ରକଳ୍ପ। ଏହି ପ୍ରକଳ୍ପରେ ଜରା ନିବାସ ରହିବ। ଏହାସହ ନିଷ୍ପେସିତ ମହିଳାଙ୍କ ବାସସ୍ଥଳୀ, ଫିଜିଓଥେରାପି କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର, ଭିନ୍ନକ୍ଷମ ରହଣି ସ୍ଥଳୀ ରହିବ। ପ୍ରାୟ ୨୫ କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ଖର୍ଚ୍ଚ ପରିମାଣ ୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଡେଇଁଯାଇଛି। ହେଲେ ଯେଉଁ କାର୍ଯ୍ୟ ହୋଇଛି ତାହା ଅତି ନିମ୍ନମାନର ହୋଇଛି। ମୁଖ୍ୟ ଫାଟକଠାରୁ ଜରା ନିବାସ ପର୍ଯ୍ୟନ୍ତ ପେବର ଇଟାରେ ନିର୍ମାଣ ହୋଇଥିବା ରାସ୍ତା ଏକାଧିକ ସ୍ଥାନରେ ଭାଙ୍ଗି ନଷ୍ଟ ହୋଇଗଲାଣି। ଇଟା କାନ୍ଥରେ ଫାଟ ସୃଷ୍ଟି ହୋଇ ତାହାକୁ ମରାମତି କରାଯାଉଥିବା ଦେଖିବାକୁ ମିଳିଛି। ଏହାସହ ପଛ ପାଖରେ ପାଇପ ଫାଟି ଅହରହ ପାଣି ବାହାରି କାନ୍ଥ ଓଦା ହୋଇ ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି। ଯଦିଓ ସମନ୍ବିତ ଭିତ୍ତିଭୂମି ପ୍ରକଳ୍ପଟି ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇନାହିଁ, ତଥାପି ଅନ୍ତେବାସୀମାନଙ୍କୁ ଜରାନିବାସରେ ରଖାଯାଇଥିବା ସୂଚନା ମିଳିଛି। ତେବେ ଯଦି ଅନ୍ତେବାସୀ ରହିଛନ୍ତି, ତାହାଲେ କେଉଁ ଏଜେନ୍ସି ରଖିଛି ବା ତଦାରଖ କିଏ କରୁଛି, କୌଣସି ଅଧିକାରୀଙ୍କ ପାଖରେ ଖବର ନାହିଁ।

ଏନେଇ ଧାମନଗର ବିଡିଓ ବନବିହାରି ଦିନ୍ଦାଙ୍କୁ ପଚାରିବାରୁ ସେ କୁହନ୍ତି, ଉଦ୍‌ଘାଟନ ହୋଇନାହିଁ, ହେଲେ ଅନ୍ତେବାସୀ ରହିବା କଥା ମୁଁ ଜାଣିନାହିଁ। ଏହାର ତଦାରଖ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କରୁଛନ୍ତି। ତେଣୁ ଆମର କିଛି କହିବାର ନାହିଁ ବୋଲି ବିଡିଓ ଦିନ୍ଦା କହିଛନ୍ତି।

Comments are closed.