କଂଗ୍ରେସରୁ ଦିଗବିଜୟ ସଂହଙ୍କୁ ବହିଷ୍କାର ପାଇଁ ବିଜେପିର ଦାବି
ନୂଆଦିଲ୍ଲୀ : ହିନ୍ଦୁ ଆତଙ୍କବାଦୀ ଭଳି ବୟାନ ଦେଇଥିବାରୁ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଦଳରୁ ତୁରନ୍ତ ବହିଷ୍କାର କରିବା ପାଇଁ ବିଜେପି ବୁଧବାର ଦାବି କରିଛି। ଏକ ସମ୍ବାଦିକ ସମ୍ମିଳନୀ ଆହୂତ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ ଯେ କଂଗ୍ରେସରୁ ଦିଗବିଜୟ ସିଂହଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ଦିଗବିଜୟ ସିଂହ ହିନ୍ଦୁଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରି କୋଟି କୋଟି ହିନ୍ଦୁଙ୍କ ଉପରକୁ ଆଙ୍କୁଳି ଉଠାଇଛନ୍ତି। ଏହି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସମ୍ବିତ ପାତ୍ର ଦାବି କରିଛନ୍ତି। ଉଲ୍ଲେଖ ଯେ ଦିନକ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ଦିଗବିଜୟ ସିଂହ କହିଥିଲେ ଯେ ଏପର୍ଯ୍ୟନ୍ତ ଯେଉଁ ହିନ୍ଦୁ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ସେମାନେ ଆରଏସ୍ଏସ୍ରୁ ଆସିଛନ୍ତି। ଏହା ଉପରେ ସ୍ପଷ୍ଟୀକରଣ ଦେଇ ଦିଗବିଜୟ କହିଥିଲେ ଯେ ମୁଁ ହିନ୍ଦୁ ଆତଙ୍କବାଦୀ ନୁହେଁ ବରଂ ସଂଘୀ ଆତଙ୍କବାଦୀ ଶବ୍ଦର ବ୍ୟବହାର କରିଥିଲି। ଧର୍ମ ଆଧାରରେ ଆତଙ୍କବାଦୀ ଚିହ୍ନଟ କରାଯାଇପାରିବ ନାହିଁ। ଏହାର ଗୋଟିଏ ଦିନ ପରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆହୂତ କରାଯାଇ ଦିଗବିଜୟଙ୍କୁ କଂଗ୍ରେସରୁ ବହିଷ୍କାର କରିବା ପାଁଇ ଦାବି କରାଯାଇଛି। ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦିଗବିଜୟ କହିଥିଲେ ଯେ ମଲେଗାଓଁ ବିସ୍ଫୋରଣ, ମକା ମସଜିଜ୍ ବିସ୍ଫୋରଣ, ସମଝୋତା ଏକ୍ସପ୍ରେସ୍ ବିସ୍ଫୋରଣ ଏବଂ ଦର୍ଘା ସରିଫ ଆକ୍ରମଣ ମାମଲରେ ସମ୍ପୃକ୍ତ ଲୋକମାନେ ସଂଘୀ ଚିନ୍ତାଧାରାରେ ଅନୁପ୍ରାଣିତ। ଆରଏସ୍ଏସ୍ ଚିନ୍ତାଧାରାରେ ଅନୁପ୍ରାଣିତ ଲୋକାମାନେ ଏସବୁ ହିଂସାକାଣ୍ଡ ଭିଆଇଛନ୍ତି।