୩୭ ବର୍ଷରେ ପଦାର୍ପଣ କଲେ ଧୋନି
ନୂଆଦିଲ୍ଲୀ : ତାରକା ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଶନିବାର ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଧୋନିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଶୁକ୍ରବାର କାର୍ଡିଫ୍ରେ ଇଂଲଣ୍ଡ ବିପକ୍ଷ ୨ୟ ଟ୍ୱେଣ୍ଟି୨୦ ମ୍ୟାଚ ଖେଳିବା ପରେ ଧୋନି ହୋଟେଲକୁ ଫେରି ରାତିରେ ପତ୍ନୀ ଓ କନ୍ୟା ଜିବାଙ୍କ ସହ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଭାରତୀୟ ଖେଳାଳିଙ୍କ ସମେତ ଅଧିନାୟକ ବିରାଟ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଦଳର ସମସ୍ତ ସାଥୀ ଖେଳାଳି ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ‘ମାହିଭାଇ’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏଣେ ଭିଡିଓ ବାର୍ତ୍ତା ମାଧ୍ୟମରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଜିବା। ଏଥିରେ ଧୋନିଙ୍କୁ କନ୍ୟା ଜିଭା କହିଛନ୍ତି- ହାପି ବାର୍ଥଡେ ପାପା। ଆପ୍ ବୁଢ଼େ ହୋ ରହେ ହେଁ (ଆପଣ ବୁଢ଼ା ହେଉଛନ୍ତି)। ଏହି ଭିଡିଓ ଜରିଆରେ ପତି ଧୋନିଙ୍କୁ ପତ୍ନୀ ସାକ୍ଷୀ ମଧ୍ୟ ଶୁଭକାମନା ଜଣାଇଛନ୍ତି। ଫିନିସର ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ବୀରେନ୍ଦ୍ର ସେହ୍ୱାଗ ଟ୍ୱିଟରରେ ଲେଖିଛନ୍ତି- ଓମ୍ ଫିନିସାୟ ନମଃ। ତାଙ୍କ ସହ ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଆର୍.ପି. ସିଂହଙ୍କ ସହ ବିଗତ ଓ ବର୍ତ୍ତମାନର ବହୁ କ୍ରିକେଟର ଧୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୀର୍ଘ ୧୪ ବର୍ଷ ହେଲା ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳ ପାଇଁ ଖେଳୁଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟ୍ୱେଣ୍ଟି୨୦ ବିଶ୍ୱକପ୍ ସହ ୨୦୧୧ ବିଶ୍ୱକପ୍ ଜିତିଥିଲା। ୩୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଧୋନି ଅବସରର ନାମ ନେଉନାହାନ୍ତି। ଏବେ ବି ତାଙ୍କଠାରେ ଯୁବସୁଲଭ ଚପଳତା ଓ ଫିଟ୍ନେସ୍ ରହିଛି। ଏବେ ବି ସେ ଜଣେ ମ୍ୟାଚ୍ ୱିନର; ତାହା ସେ ଗତ ଆଇପିଏଲ୍ରେ ଦେଖାଇଛନ୍ତି। ଦେଶର ୩ୟ କ୍ରିକେଟର ଭାବେ ଦିନକ ତଳେ ଧୋନି ୫୦୦ତମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ଧୋନି ୯୦ ଟେଷ୍ଟରୁ ୬ଟି ଶତକ ସହ ୪୮୭୬ ରନ୍, ୩୧୮ଟି ଦିନିକଆରୁ ୧୦ଟି ଶତକ ସହ ୯୯୬୭ ରନ୍ ଓ ୯୨ଟି ଟ୍ୱେଣ୍ଟି୨୦ ମ୍ୟାଚ୍ରୁ ୧୪୫୫ ରନ୍ ସ୍କୋର୍ କରିଛନ୍ତି। ଏହି ୫୦୦ ମ୍ୟାଚ୍ରୁ ଧୋନି ୬୦୨ଟି କ୍ୟାଚ୍ ଓ ୧୭୮ଟି ଷ୍ଟମ୍ପିଂ ହାସଲ କରିଛନ୍ତି।