ଆତିକ, ଅସ୍ରଫ୍‌ ହତ୍ୟା ଘଟଣା : ଆଦିତ୍ୟନାଥଙ୍କ ଇସ୍ତଫା ଦାବି କଲେ ବିରୋଧୀ

ନୂଆଦିଲ୍ଲୀ : ଆତିକ ଓ ଅସ୍ରଫ୍‌କୁ ପୁଲିସ ଉପସ୍ଥିତିରେ ହତ୍ୟା କରାଯିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଉତ୍ତରପ୍ରଦେଶରେ ଜଙ୍ଗଲରାଜ୍‌ ଚାଲିଥିବା ବିରୋଧୀ ଦଳ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି।
ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନିଜ ପ୍ରତିକ୍ରିୟାରେ କହିଛନ୍ତି ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୁଲିସ ଉପସ୍ଥିତିରେ ଆତିକ୍‌ ଓ ଅସ୍ରଫ୍‌କୁ ହତ୍ୟା ଘଟଣାର ଏହା ନିଦର୍ଶନ। ଏଥିରୁ ସାଧାରଣ ଜନତା କେତେ ସୁରକ୍ଷିତ ତାହା ସହଜରେ ଅନୁମେୟ। ଏହି ଘଟଣାାକୁ ନେଇ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍‌। ସେହିପରି ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ କହିଛନ୍ତି ଉତ୍ତରପ୍ରଦେଶରେ ଯାହା ଘଟୁଛି ତାହା ଦୁର୍ଭାଗ୍ୟଜନକ। କେତେକ ଗଣମାଧ୍ୟମ ବିନା ବିଚାରରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଲାଗି ପଡ଼ିଛନ୍ତି। ବିଏସ୍‌ପି ମୁଖ୍ୟ ମାୟାବତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଉତ୍ତରପ୍ରଦେଶ ଏନ୍‌କାଉଣ୍ଟର ରାଜ୍ୟରେ ପରିଣତ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ସବୁ ଏନ୍‌କାଉଣ୍ଟର ମାମଲାର ତଦନ୍ତ କରିବାକୁ ନିର୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ଉଚିତ୍‌ ବୋଲି ମାୟାବତୀ କହିଥିଲେ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଆଇନ ସମସ୍ତଙ୍କ ଠାରୁ ଊର୍ଦ୍ଧ୍ବରେ ରହିବା ଉଚିତ୍‌। ସେହିପରି ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ଏକ ବାର୍ତ୍ତା ଛାଡ଼ି ଉତ୍ତରପ୍ରଦେଶରେ ଯାହା ଘଟୁଛି ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ପୁଲିସ ଉପସ୍ଥିତିରେ ଦୁଇଜଣଙ୍କୁ ହତ୍ୟା କରାଯିବା ଘଟଣା ନିନ୍ଦନୀୟ ବୋଲି ଦର୍ଶାଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ୍‌ କହିଛନ୍ତି ଉତ୍ତରପ୍ରଦେଶରେ ଯାହା ଘଟୁଛି ତାହା ନିନ୍ଦନୀୟ। ଜେଏମ୍ଏମ୍‌ ମୁଖପାତ୍ର ବିନୋଦ ଦୁବେ କହିଛନ୍ତି ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ନିଜକୁ ଦାୟୀ କରିବା ସହ ଇସ୍ତଫା ଦେବା ଆବଶ୍ୟକ।
ଆତିକ ଓ ଅସ୍ରଫ୍‌କୁ ହତ୍ୟା କରିବା ପଛରେ ଷଡ଼ଯନ୍ତ୍ର ରହିଥିବା ନେଇ ସନ୍ଦେହବ୍ୟକ୍ତ କରିଛନ୍ତି ରାଜ୍ୟସଭା ସାଂସଦ କପିଳ ସିବଲ୍‌। ସୋମବାର ସାମାଜିକ ଗଣମାଧ୍ୟମରେ ଏହି ଘଟଣାକୁ ନେଇ କେତେକ ପ୍ରଶ୍ନ ଉଠାଇଛନ୍ତି ସିବଲ୍‌। ରାତି ୧୦ଟାରେ ଆତିକ୍‌ ଓ ଅସ୍ରଫ୍‌କୁ କ’ଣ ପାଇଁ ଡାକ୍ତରଖାନା ଯାଞ୍ଚ ପାଇଁ ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଦୁଇଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ନ ଥିବାରୁ ରାତିରେ କାହିଁକି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିଲା ତାହା ତଦନ୍ତ କରାଯିବା ଆବଶ୍ୟକ ବୋଲି ସିବଲ୍ କହିଛନ୍ତି। ଏଥିସହ ଦୁଇଜଣଙ୍କୁ ଗାଡ଼ିରୁ ଓହ୍ଲାଇ କାହିଁକି ଚଲାଇ ଚଲାଇ ନିଆଯାଉଥିଲା ବୋଲି ସିବଲ୍ ପ୍ରଶ୍ନ କରିଛନ୍ତି। ଦୁଇଜଣଙ୍କ ନିକଟକୁ ସାମ୍ବାଦିକଙ୍କୁ କାହିଁକି ଯିବାକୁ ସୁଯୋଗ ଦିଆଗଲା, ଦୁର୍ବୃତ୍ତମାନେ ଦାମୀ ବନ୍ଧୁକ କେଉଁଠାରୁ ଆଣିଲେ, ହତ୍ୟା ପରେ କାହିଁକି ଆତ୍ମସମର୍ପଣ କଲେ ସେ ସବୁ ସମ୍ପର୍କରେ ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ବୋଲି ସିବଲ୍‌ ସ୍ପଷ୍ଟ କରି ଦେଇଛନ୍ତି।

Comments are closed.