ଲକ୍ଷ୍ନୌ : ଉତ୍ତରପ୍ରଦେଶ ମଥୁରାଠାରେ ଏକ ସଡ଼କ ଦୁର୍ଘଟଣାରେ ଦିଲ୍ଲୀର ପ୍ରସିଦ୍ଧ ପପ ଗାୟିକା ଶିବାନୀ ଭାଟିଆଙ୍କ ମୃତ୍ୟୁ ଘଟିଛି । ସୋମବାର ଆଗ୍ରାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଯମୁନା ଏକ୍ସପ୍ରେସ୍ ୱେର ମଥୁରାଠାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଶିବାନୀ ହେଉଛନ୍ତି ବିହାର ସୀତାମାଢି ନିବାସୀ। ସେ କିଛି ବର୍ଷ ହେବ ନିଜ ସ୍ୱାମୀ ନିଖିଲ ଭାଟିଆଙ୍କ ସହ ଦିଲ୍ଲୀର ଲାଜପତନଗରରେ ରହୁଥିଲେ। ଜଣେ ଭଲ ପପ ଗାୟିକା ଭାବେ ଦିଲ୍ଳୀ ଏନସିଆର ଏବଂ ଆଖପାଖ ଅଞ୍ଚଳରେ ସେ ଖ୍ୟାତି ଅର୍ଜନ କରିଥିଲେ। ସୋମବାର ଆଗ୍ରାରେ ତାଙ୍କର ଏକ ଶୋ ଥିଲା। ଏଥିରେ ଯୋଗଦେବାକୁ ସେ ନିଜ ସ୍ୱାମୀଙ୍କ ସହ ଯାଉଥିଲେ। ତାଙ୍କ ସ୍ୱାମୀ ନିଖିଲ କାର ଚଳାଉଥିଲେ। ମଥୁରା ମାଣ୍ଟ ଟୋଲ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ପୁଲିସ୍ ଶିବାନୀ ଓ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବାନୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତ ଗତି ଯୋଗୁଁ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
Popular Categories



