ବଳାତ୍କାର ମାମଲାରେ ଦାତି ମହରାଜଙ୍କୁ ଜେରା
ନୂଆଦିଲ୍ଲୀ : ବଳାତ୍କାର ମାମଲାରେ ଫସିଥିବା ଆତ୍ମଘୋଷିତ ଧର୍ମଗୁରୁ ଦାତି ମଦନ ମହାରାଜ ମଙ୍ଗଳବାର ଦିଲ୍ଲୀ ପୁଲିସ୍ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି। ଏପଟେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗକୁ ନେଇ ଦିଲ୍ଲୀର ଏକ କୋର୍ଟ ଜୁନ୍ ୨୧ ମଧ୍ୟରେ ତଦନ୍ତ ସ୍ଥିତି ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ୮ ଦିନ ହେବ ନିଖୋଜ ଥିବା ଦାତି ମଦନ ମହାରାଜ ଏବଂ ଅନ୍ୟ ୪ ଅଭିଯୁକ୍ତଙ୍କୁ ବୁଧବାର ସୁଦ୍ଧା ହାଜର ହେବାକୁ ସମୟ ଦେଇଥିଲା। ଅଭିଯୁକ୍ତଙ୍କ ସନ୍ଧାନରେ ପଲିସ୍ର ଏକ ଦଳ ଦିଲ୍ଲୀ, ରାଜସ୍ଥାନରେ ଦାତି ମଦନ ମହାରାଜଙ୍କ ଆଶ୍ରମ ଉପରେ ଚଢାଉ କରିଥିଲା। ଉଲ୍ଲେଖ ଯେ ଜୁନ୍ ୧୧ରେ ଜଣେ ଶିଷ୍ୟାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ଫତେହପୁରି ବେରୀ ଥାନାରେ ଦାତି ମଦନ ମହାରାରଜଙ୍କ ବିରୋଧରେ ଆଇପିସି ଧାରା ୩୭୬, ୩୭୭ ଏବଂ ୩୫୪ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍ର ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ସୋମବାର କ୍ରାଇମବ୍ରାଞ୍ଚ ଏସ୍ପି ଜସବିର ସିଂହ ମାଲିକ କହିଥିଲେ ଯେ ଦାତି ଏବଂ ଅନ୍ୟ ଅଭିଯୁକ୍ତ ହାଜର ସମୟ ମଧ୍ୟରେ ହାଜନ ନହେଲେ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବ। ଦାତି ଏହି ମାମଲାରେ ଅଗ୍ରୀମ ଜାମିନ ପାଇଁ ଉଦ୍ୟମ କରୁଥିଲେ। ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଅର୍ପଣ କରାଯାଇଛି। ପ୍ରକାଶଯୋଗ୍ୟ ଯେ ଦାତି ମହାରାଜଙ୍କ ଜଣେ ଶିଷ୍ୟା ଅଭିଯୋଗ କରିଛନ୍ତି ଯେ ପ୍ରାୟ ଦୁଇ ବର୍ଷ ତଳେ ଦାତି ତାଙ୍କୁ ଶାନିଧାମ ମଧ୍ୟରେ ବଳାତ୍କାର କରିିଥିଲେ। ସମାଜରେ ଲୋକଲଜ୍ୟା ଭୟରେ ସେ ଏନେଇ ଅଭିଯୋଗ କରିପାରିନଥିଲେ।