ଛାତ୍ରୀ ଓ ଶିକ୍ଷୟିତ୍ରୀ ଅସୁରକ୍ଷିତ, ପୂର୍ତ୍ତ ବିଭାଗ ନୀରବଦ୍ରଷ୍ଟା

ଦୁଇ ବର୍ଷ ହେବ ଭାଙ୍ଗିଲାଣି ବାଳିକା ହାଇସ୍କୁଲ ପାଚେରୀ

ଆଠଗଡ :  ଆଠଗଡର ବହୁ ପୁରାତନ ସରକାରୀ ବାଳିକା ହାଇସ୍କୁଲର ପଛପାଖର ପାଚେରୀ ୨ଟି ସ୍ଥାନରେ ପ୍ରାୟ ୨ବର୍ଷରୁ ଅଧିକ ସମୟ ହେବ ଭାଙ୍ଗିଯାଇଛି । ଫଳରେ ବହୁ ଅସମାଜିକ ତତ୍ତ୍ୱ ବିଦ୍ୟାଳୟ ମଧ୍ୟରେ ଅବାଧ ବିଚରଣ କରିବା ସହ ବିଭିନ୍ନ ସାମଗ୍ରୀ ଚୋରୀ କରୁଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଓ ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବାରମ୍ବାର ପୂର୍ତ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ପଛପଟେ ବହୁ ପୁରୁଣା ପାଚେରୀର ଗୋଟିଏ ସ୍ଥାନରେ ୧୦ଫୁଟ ଓ ଅନ୍ୟ ଏକ ସ୍ଥାନରେ ୧୫ଫୁଟରୁ ଅଧିକ ଚଉଡା ପାଚେରୀ ଭାଙ୍ଗିଯାଇଛି । ବିଗତ ବର୍ଷ ଏହି ବିଦ୍ୟାଳୟଟି ୫-ଟି ବିଭାଗ ଦ୍ୱାରା ରୂପାନ୍ତରିତ ହୋଇଥିବାବେଳେ ଏହି ଭଙ୍ଗା ପାଚେରୀକୁ ମରାମତି କରିବା ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ପାଚେରୀ ଭାଙ୍ଗିବା ଫଳରେ ବିଦ୍ୟାଳୟ ପରିସରରେ ଥିବା କ୍ୱାର୍ଟରରେ ଶିକ୍ଷୟିତ୍ରୀ ଓ କର୍ମଚାରୀ ରହୁଥିବାବେଳେ ସବୁବେଳେ ସେମାନଙ୍କର ଚୋରୀ ଭୟ ରହୁଛି । କାରଣ ସ୍କୁଲ ପରିସରରେ ଥିବା ଅନେକ ସାମଗ୍ରୀ ଇତିମଧ୍ୟରେ ଚୋରି ହୋଇଯାଇଛି । ଚୋରୀ ଘଟଣାକୁ ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଛି । ଏବେ ପ୍ରାୟ ପ୍ରତିଦିନ ମଧ୍ୟରାତ୍ରିରେ କିଛି ଅସମାଜିକ ତତ୍ତ୍ୱ ଉକ୍ତ ବିଦ୍ୟାଳୟ ମଧ୍ୟକୁ ଭାଙ୍ଗିଥିବା ପାଚେରୀ ବାଟରେ ଆସି ବୁଲାବୁଲି କରିବା ସହ ଚୋରୀ କରୁଛନ୍ତି ଏବଂ ଏପରିକି ସ୍କୁଲ ପରିସରରେ ମଳତ୍ୟାଗ କରୁଛନ୍ତି ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ । ପୂର୍ତ୍ତବିଭାଗ ପକ୍ଷରୁୁ ଉକ୍ତ ପାଚେରୀ ନିର୍ମାଣ ପାଇଁ ଶାସକ ଦଳର ଜଣେ ଅନଭିଜ୍ଞ ଠିକାଦାରଙ୍କୁ ଦୀର୍ଘଦିନ ହେଲା କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ସେ ଏହା କରୁନଥିବା ଅନ୍ୟ ଏକ ସୁତ୍ରରୁ ଜଣାପଡିଛି। ଏ ସଂପର୍କରେ ପୂର୍ତ୍ତବିଭାଗ ଚୌଦ୍ୱାର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ମହାନ୍ତିଙ୍କୁ ତାଙ୍କ ପ୍ରତିକ୍ରିୟା ପଚାରିବାରୁ ଖୁବ୍‌‌ଶୀଘ୍ର ବାଳିକା ହାଇସ୍କୁଲର ଭାଙ୍ଗିଥିବା ପାଚେରୀ ନବୀକରଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.