ଦକ୍ଷିଣ ଚଣ୍ଡୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା
ଆଠଗଡ : ଆଠଗଡ ସହରର କନ୍ତୋଲସ୍ଥିତ ମା’ଦକ୍ଷିଣ ଚଣ୍ଡୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସିଦ୍ଧ ଝାମୁଯାତ୍ରା ଦେଖିବା ପାଇଁ ଆଠଗଡ ସହର ଓ ଆଖପାଖ ଗ୍ରାମାଞ୍ଚଳର ୫ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଆଠଗଡ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶୁକ୍ରବାର ପ୍ରତ୍ୟୁଷରେ ମୁଖ୍ୟ ପୂଜକ ସୁଶାନ୍ତ କୁମାର ମିଶ୍ର ଏବଂ ସହଯୋଗୀ ହୃଷିକେଶ ମହାପାତ୍ର ଓ ମହେଶ୍ୱର ମହାପାତ୍ର ମା’ଙ୍କର ସ୍ୱତନ୍ତ୍ର ପୂଜାନୀତି ସଂପନ୍ନ କରିଥିଲେ। ଗତକାଲି ସନ୍ଧ୍ୟାରୁ ୪୦ଜଣ ମାନସିକ ବ୍ରତଧାରୀ ଉପବାସରେ ରହି କେବଳ ପଣା ପିଇ ମାଆଙ୍କ ନିକଟରେ ଗୁହାରିଆ ପଡିଥିଲେ। ଶୁକ୍ରବାର ଅପରାହ୍ନରେ ମାଆଙ୍କ ଆଜ୍ଞାମାଳ ମିଳିବା ପରେ ମାନସିକ ବ୍ରତଧାରୀ ମାନେ ନିକଟସ୍ଥ ବିଶ୍ୱନାଥ ସାଗରରେ ପୂଜାର୍ଚ୍ଚନା ପରେ ବୁଡ ପକାଇ ଏକ ଶୋଭାଯାତ୍ରାରେ କାଳେସୀ ଶିବରାମ ବେହେରାଙ୍କ ସହିତ ଆସି ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ୪୦ଟି ଝାମୁଗାତରେ ଜଣେ ମହିଳା ବ୍ରତଧାରୀଙ୍କ ସହିତ ୪୦ଜଣ ରଡନିଆଁରେ ଜଳୁଥିବା ଝାମୁଗାତରେ ଚାଲିଥିଲେ। ଝାମୁ ଚାଲିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ଯାତ୍ରା ପଡିଆ ପ୍ରକମ୍ପିତ ହୋଇ ଉଠିଥିଲା। ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପଣା ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଉନ୍ନୟନ କମିଟି ସଭାପତି ଲକ୍ଷ୍ମୀଧର ପୃଷ୍ଟି, ସଂପାଦକ ଲଳିତ ମୋହନ ନାୟକ, ବରିଷ୍ଠ ସଦସ୍ୟ ସୁନିଲ କୁମାର ଦଳାଇ ଓ ପ୍ରେମାନନ୍ଦ ମୁଦୁଲି ଏବଂ ଝାମୁଯାତ୍ରା କମିଟି ସଭାପତି ଅଜିତ୍ ନାୟକ, ସଂପାଦକ ବି.ଶୁଭ୍ରଶଙ୍କର ଜ୍ୟୋତି, ମନୋଜ ବାରିକ, କରିମ୍ ମହମ୍ମଦ ଓ ଆଝାରୁଦ୍ଦିନ୍ ମହମ୍ମଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।
Comments are closed.