ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ବାଲେଶ୍ବର : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଆସି ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ ପ୍ରକଳ୍ପ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି । ଶନିବାର ସେ ସିମୁଳିଆ ବ୍ଲକ ମଇତାପୁରରେ ଏସଏଚଜି ମହିଳାଙ୍କ ଦ୍ୱାରା ଚାଷ କରାଯାଇଥିବା ସୋରିଷ କ୍ଷେତ ବୁଲି ଦେଖିବା ସହ ତେଲ ପେଡ଼ା, ମସଲା ପ୍ରସ୍ତୁତ, ମୁଢ଼ି ତିଆରି ଓ ଛୋଟ ଧାନକଳ ଏସଏଚଜି ମହିଳାଙ୍କୁ ପ୍ରଦାନ କରିଥିଲେ । ରବିବାର ଚାନ୍ଦିପୁର ବେଳାଭୂମି ଉନ୍ନତିକରଣ ପ୍ରକଳ୍ପ ବୁଲି ଦେଖିବା ସହିତ କାର୍ଯ୍ୟର ଗୁଣବତ୍ତା ରକ୍ଷା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ନିର୍ମାଣଧୀନ ମେରାଇନ ଡ୍ରାଇଭର ଲମ୍ବ ବୃଦ୍ଧି ଓ ଏକାଧିକ ପ୍ରବେଶ ପଥ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲାପାଳଙ୍କ ସମେତ ପର୍ଯ୍ୟଟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ପ୍ରତି ଏଣ୍ଟ୍ରି ପଏଣ୍ଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବଜାର ବ୍ୟବସ୍ଥା ନିମନ୍ତେ ସେ ଗୁରୁତ୍ୱାରୋପ କରିଥିଲେ । ଏନେଇ ସେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ପରେ ସେ ଏଫଏମ ମେଡିକାଲ କଲେଜର ନିର୍ମାଣାଧୀନ ଡାକ୍ତରଖାନା ବୁଲି ଦେଖିଥିଲେ। ଏହାପରେ ସେ ତାଳସାରୀ ମେଳାଭୂମି ଉନ୍ନତୀକରଣ ପ୍ରକଳ୍ପ କାର୍ଯ୍ୟ, ଭୋଗରାଇ ଶଙ୍ଖାରୀ ସ୍ଥିତ ମନୋଜ ଦାସଙ୍କ ସ୍ମୃତିପୀଠ ବିକାଶ କାର୍ଯ୍ୟ, ବିଚିତ୍ରପୁର ଜେଟି ଓ ଇକୋ ଟୁରିଜିମ କ୍ଷେତ୍ର ବୁଲି ଦେଖିଥିଲେ। ଏହି ଅବସରରେ ପାୱାର ବୋଟରେ ସେ ସୁବର୍ଣ୍ଣରେଖା ମୁହାଣ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଫେରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବାଲେଶ୍ୱର ସହର ଉପକଣ୍ଠ ନୁଣିଆ ଯୋଡ଼ିଠାରେ ନିର୍ମାଣଧୀନ ରିଭର ଫ୍ରଣ୍ଟ ଗାର୍ଡ଼େନ ବୁଲି ଦେଖିଥିଲେ। ତେବେ ସମୟ ଅଭାବରୁ ସ୍ଥିରୀକୃତ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମକୁ ସେ ବାତିଲ କରିଥିଲେ । ତେବେ ମୁଖ୍ୟ ଶାସନ ସଚିବଙ୍କର ଏହି ଗସ୍ତକାଳରେ ତାଙ୍କ ସହ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଏସପି ସାଗରିକା ନାଥ, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ସୁଚାରୁ ବଳ (ରାଜସ୍ୱ), ଉପ-ଜିଲାପାଳ କୁନାଲ ମୋତିରାମ ଚୌହାନ, ଆଏଏସ ପ୍ରବେସନର କିରଣ ଦୀପ କୌର, ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ, ପର୍ଯ୍ୟଟନ ଅତିରିକ୍ତ ନିର୍ଦ୍ଦେଶକ ଗଗନ ସାହୁ, ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.