କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା
ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝରଗଡ : ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୁଧବାର କେନ୍ଦୁଝର ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ ଓ ସମୀକ୍ଷା କରିଛନ୍ତି। ଜିଲା ପ୍ରଶାସନର ଅଭିନବ ପ୍ରୟାସ ‘ଆମ କଳିକା କେନ୍ଦ୍ର’ର ଭୂୟସୀ ପ୍ରଶଂସା କରିବା ସହିତ ଶିଶୁ ତଥା ମାତୃକଲ୍ୟାଣ ଦିଗରେ ଏହା ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସୁଲେଇଖମାରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ କ୍ୟାମ୍ପସ୍ ବୁଲି ଶୈକ୍ଷିକ ପରିବେଶ ଅନୁଧ୍ୟାନ କରିଥିଲେ ଏବଂ କ୍ୟାମ୍ପସର ପରିବେଶକୁ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସହ ମୁଖ୍ୟ ଶାସନ ସଚିବ ବାର୍ତ୍ତାଳାପ କରି ଶିକ୍ଷାର ସଦୁପଯୋଗ କରି ଭବିଷ୍ୟତରେ ଉତ୍କର୍ଷତା ହାସଲ କରିବାକୁ ଚେଷ୍ଟା କରିବା ନିମନ୍ତେ ଆହ୍ୱାନ ଜଣାଇଥିଲେ। ଭୂତତ୍ୱ ବିଭାଗ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ କେନ୍ଦୁଝର ଜିଲାରେ ଭୂତତ୍ୱବିଜ୍ଞାନ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ଭରପୁର ଉତ୍ସ ରହିଛି ବୋଲି କହିବା ସହିତ ଏହାର ସୁଯୋଗ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ୱ ବିଦ୍ୟାଳୟର ସୁନାମ ବର୍ଦ୍ଧନ କରିବାକୁ ଛାତ୍ରଛାତ୍ରୀମାନେ ଅଙ୍ଗୀକାରବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ଡି.ଏମ୍.ଏଫ୍. ଅନୁଦାନରେ ପୁରୁଣାବାଜାରସ୍ଥିତ ନବୀକୃତ ଗୋପାଳଜୀଉ ପାଠାଗାରର ଉଦ୍ଘାଟନ କରି ଏହି ପାଠାଗାର କେନ୍ଦୁଝର ଜିଲାର ମହାନ୍ ସଂସ୍କୃତିର ଉଜ୍ଜ୍ୱଳ ସ୍ୱାକ୍ଷର ବହନ କରିଛି ବୋଲି ଉଲ୍ଲେଖ କରିଥିଲେ। ଏହାପରେ ସଦର ବ୍ଲକ ଅର୍ନ୍ତଗତ ମୁକୁନା ଗ୍ରାମ ପରିଦର୍ଶନ କରି ସେଠାରେ କୃଷି ଉତ୍ପାଦନ ଗୋଷ୍ଠୀ (ଏ.ପି.ସି.) ଦ୍ୱାରା କରାଯାଇଥିବା ପରିବା ଚାଷ ବୁଲି ଦେଖିବା ସହିତ ମହିଳା ଚାଷୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ମହିଳା ଚାଷୀମାନେ ପାଉଥିବା ଲାଭ ସମ୍ପର୍କରେ ଅବଗତ ହୋଇ ଆଗାମୀ ବର୍ଷମାନଙ୍କରେ କିପରି ଲାଭକୁ ବହୁଗୁଣିତ କରିପାରିବେ ସେଥିପାଇଁ ସେମାନେ ଯୋଜନାବଦ୍ଧ ଭାବେ ପରିବା ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବା ଚାଷ ନିମନ୍ତେ ଆବଶ୍ୟକୀୟ ଚେକ୍ ଡ୍ୟାମ୍ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳଙ୍କୁ କହିଥିଲେ। ୫-ଟି ଉପକ୍ରମ ଅଧିନରେ ରୂପାନ୍ତରିତ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ମୁକୁନା ପରିଦର୍ଶନ କରି ସେଠାରେ ସ୍ମାର୍ଟ ଶ୍ରେଣୀଗୃହ, ଆଇସିଟି ଲ୍ୟାବ୍, ବିଜ୍ଞାନାଗାର ଏବଂ ବିଦ୍ୟାଳୟର ପାରିପାଶ୍ୱିର୍କ ପରିବେଶ ନିରୀକ୍ଷଣ କରିବା ସହ ଏଭଳି ବିକଶିତ ଭିତ୍ତିଭୂମି ଶିକ୍ଷାର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ମଧ୍ୟ ମୁଖ୍ୟ ଶାସନ ସଚିବ ବାର୍ତ୍ତାଳାପ କରିଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପାୱାର ପଏଣ୍ଟ ପ୍ରେଜେଣ୍ଟେସେନ ମାଧ୍ୟମରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସମ୍ପର୍କରେ ତଥ୍ୟ ଓ ଚିତ୍ର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା। ସେଠାରେ ବିଭିନ୍ନ ବିଭାଗ, ପ୍ରାକ୍ଟିକାଲ୍ ଗୃହ, ପାଠାଗାର ପରିଦର୍ଶନ କରିବା ସହିତ ପରିସରର ପ୍ରଶଂସା କରିଥିଲେ ଏବଂ ସ୍ମୃତି ସ୍ୱରୂପ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ତୁଳସୀପୁର ଗ୍ରାମ ପରିଦର୍ଶନରେ ଯାଇ ମୁଖ୍ୟ ଶାସନ ସଚିବ କ୍ରେଚ୍ ପରିଦର୍ଶନ କରି କର୍ମଜୀବୀ ଦମ୍ପତିମାନଙ୍କ ପିଲାମାନଙ୍କୁ କିପରି ଯତ୍ନ ନିଆଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଶିଶୁମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଘରେ କିପରି ଶିଶୁମାନଙ୍କର ଯତ୍ନ ନିଆଯିବ ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯିବ ସେ ସମ୍ପର୍କରେ ପିତାମାତାମାନଙ୍କୁ ସଚେତନ କରାଇବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ ଆଲୁମିନିଙ୍କ ସହ ବାର୍ତ୍ତାଳାପ କରିଥିଲେ। ଧରଣୀଧର ବିଶ୍ୱ ବିଦ୍ୟାଳୟର ସୁପରିଚାଳନା, କିପରି ଏହାକୁ ଏକ ମର୍ଯ୍ୟାଦା ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ ଏବଂ ଗବେଷଣାକୁ ଗୁରୁତ୍ୱ ଦିଆଯିବ ସେ ସମ୍ପର୍କରେ ମୁଖ୍ୟ ସଚିବ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ। ଏହାପରେ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟକ୍ଷ ଓ ପ୍ରାଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ କ୍ୟାମ୍ପସ୍ ଜରିଆରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅଭିନନ୍ଦନ ଜଣାଇଥିଲେ। ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଓ ଆବଶ୍ୟକତାର ପୁରଣ ସମ୍ପର୍କରେ ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଜିଲାପାଳ ଆଶିଷ ଠାକରେ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଆଇଏଏସ୍. ପ୍ରୋବେସନର ଧିମେନ୍ ଚକ୍ମା, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ। ଏହାପରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ମିନି କନ୍ଫରେନ୍ସହଲ୍ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଜିଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ଜିଲାପାଳ ଶ୍ରୀ ଠାକରେ ସ୍ୱାଗତ ସମ୍ଭାଷଣ କରି ଜିଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ। ଉକ୍ତ ସମୀକ୍ଷା ବୈଠକରେ କାନ୍ପୁର ଜଳସେଚନ ପ୍ରକଳ୍ପର ଶେଷ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ କିପରି ତୁରନ୍ତ ଶେଷ ହେବ ସେ ସମ୍ପର୍କରେ ସମୀକ୍ଷା କରିବା ସହିତ ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରୋଜେକ୍ଟ, ବୃହତ୍ ଉଠାଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟକ୍ରମ, ପାନୀୟଜଳ ପ୍ରକଳ୍ପ, ୱାଟ୍କୋ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ଅର୍ନ୍ତଗତ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏତଦ୍ବ୍ୟତୀତ ଡିଏମଏଫ୍. ଓ ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଡି.ଏଫ୍.ଓ. ଧନରାଜ ଏଚ୍.ଡି.ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆନନ୍ଦପୁର ଉପଖଣ୍ଡ ବୀରଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି ସେଠାରେ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପର ହେଡ୍ସ୍ ୱାର୍କସ୍ ସାଇଟ୍ ପରିଦର୍ଶନ କରିଥିଲେ ଏବଂ ପ୍ରକଳ୍ପର ଅଗ୍ରଗତି ତଦାରଖ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.