ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଆଜି ଆସିବ ପାର୍ଥିବ ଶରୀର
ଭୁବନେଶ୍ବର : ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଖବର ବିଷୟରେ ଜାଣି ସେ ବହୁତ ଦୁଃଖିତ ବୋଲି ଟ୍ବିଟ ବାର୍ତ୍ତାରେ କହିଛନ୍ତି । ମାଟି ମା’ର ସେବାରେ ସୁଶାନ୍ତଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ । ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ଆଜି ସୁଶାନ୍ତଙ୍କ ଜନ୍ମସ୍ଥାନକୁ ତାଙ୍କ ପାର୍ଥିବ ଶରୀର ଆସିବ ଓ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । ବୈତରଣୀ ରାଜଘାଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଝାଡ଼ଖଣ୍ଡ ଚାଏବସାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି । ସହିଦ୍ ଓଡ଼ିଆ ଯବାନଙ୍କ ନାଁ ସୁଶାନ୍ତକୁମାର ଖୁଣ୍ଟିଆ ଓ ଘର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାଯାଇଛି । ପଶ୍ଚିମ ସିଂହଭୂମ ଜିଲାର କୋଲହାନ ଜଙ୍ଗଲର ଗୋଇଲକେରା ପୁଲିସ ଥାନା ଅନ୍ତର୍ଗତ ହାତିବୁରୁ ଜଙ୍ଗଲ ନିକଟସ୍ଥ ସୋସୋପି ଗ୍ରାମ ନିକଟରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସିଆରପିଏଫ ୬୦ ବାଟାଲିୟନର ଦୁଇଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସୁରକ୍ଷା ବଳ ପକ୍ଷରୁ ଆଖିବୁଜା ଗୁଳିଚାଳନା ପରେ ମାଓବାଦୀ ଜଙ୍ଗଲ ପାହାଡ଼ର ସୁଯୋଗ ନେଇ ଫେରାର୍ ହୋଇଯାଇଥିଲେ। ଯବାନମାନେ ଆହତ ସାଥି ଯବାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟିଂ କରାଯାଇ ରାଞ୍ଚି ହାସପାତାଳକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆହତ ଅନ୍ୟ ଜଣେ ଯବାନ ମୁନାଲାଲ ଯାଦବଙ୍କ ଘର ଉତ୍ତରପ୍ରଦେଶରେ ବୋଲି ସୂଚନା ମିଳିଛି।
ଗତ ୯ତାରିଖରେ ଟଣ୍ଟୋ ପୁଲିସ ଷ୍ଟେସନ ଅଞ୍ଚଳର ତୁମ୍ବାହା ଜଙ୍ଗଲରେ ଏକକୋଟି ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀ ମିସ୍ରି ବେସ୍ରା ଦସ୍ତା ସହ ସୁରକ୍ଷାବଳ ଯବାନ ମୁହାଁମୁହିଁ ହୋଇଥିଲେ। ମିସ୍ରି ବେସ୍ରା ସହ ଅନ୍ୟ ଦୁର୍ଦାନ୍ତ ମାଓବାଦୀ ତୁମ୍ବାକା ଜଙ୍ଗଲ ଅଞ୍ଚଳରେ ଶିବିର ଚଳାଇଥିବା ସୂଚନା ଆଧାରରେ ସୁରକ୍ଷା ବଳ ସତର୍କତାର ସହ ତଲାସି ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ମାଓବାଦୀଙ୍କ ଗୁଳିଚାଳନାକୁ ପ୍ରତିହତ କରିବା ପାଇଁ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। ଯବାନଙ୍କ ଗୁଳିଚାଳନା ପରେ ଭୟଭୀତ ମାଓବାଦୀ ପଛଘୁଞ୍ଚା ଦେଇଥିଲେ। ତଲାସି ଚଳାଇଥିବା ଯବାନମାନେ ମିସ୍ରି ବେସ୍ରାଙ୍କ ଶିବିରରେ ପହଞ୍ଚି ଜେନେରେଟର, ପେନ୍ ଡ୍ରାଇଭ୍,ଆପତ୍ତିଜନକ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ନକ୍ସଲାଇଟ୍ ସାହିତ୍ୟ, ପୋଷ୍ଟର ବ୍ୟାନର ଏବଂ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ସେଠାକାର ପୁଲିସ ଅଧୀକ୍ଷକ ଆଶୁତୋଷ ଶେଖର କହିଛନ୍ତି ଯେ ମିସିର ବେସରା ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାବାହିନୀ ମାଓବାଦୀଙ୍କ ଏକ ବଙ୍କରକୁ ଭାଙ୍ଗି ଦେଇଛନ୍ତି। ଏହାସହ ପୁଲିସ ମାଓ ଶିବିରକୁ ଧ୍ବଂସ କରିବାରେ ସଫଳ ମଧ୍ୟ ହୋଇଛି। ମାଓବାଦୀଙ୍କୁ ମୂଳପୋଛ କରିବା ଯାଏଁ ତଲାସି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସ୍ପଷ୍ଟ କରିଛନ୍ତି ା ଅନ୍ୟପକ୍ଷରେ ଚିକିତ୍ସାଧୀନ ଅବସ୍ଥାର ସହିଦ୍ ସୁଶାନ୍ତ ମାତ୍ର ଚାରିମାସ ତଳେ ବିବାହ କରିଥିବା ଓ ତାଙ୍କ ପରିବାରର ସେ ଏକମାତ୍ର ରୋଜଗାରିଆ ପୁଅ ଥିଲେ ବୋଲି ଜଣାଯାଇଛି।
ଦଇବ ଯେବେ ଦୁଃଖ ଦିଏ…
ଦଇବ ଏମିତି ବି ଦୁଃଖ ଦିଏ ଯାହା କହି ହୁଏନା କି ସହି ହୁଏନା। କାହା ପରିବାରକୁ ଖୁସି ଅଜାଡ଼ି ଦେଉଥିବାବେଳେ କାହା ପରିବାରରେ ଦୁଃଖର ପାହାଡ଼ ଲଦି ଦିଏ। କିଏ ଖୁସିରେ ନ ହସି ରହିପାରେନା, ଆଉ କାହା ଆଖିରୁ ଲୁହ ଶୁଖେନା। କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ସୁଶାନ୍ତ ଖୁଣ୍ଟିଆଙ୍କ ପରିବାର। ୨୦୧୧ ମସିହାରେ ସିଆରପିଏଫରେ ଯୋଗ ଦେଇଥିଲେ ଯବାନ ସୁଶାନ୍ତ ଖୁଣ୍ଟିଆ। ଏଇ ଦେଢ଼ବର୍ଷ ହେବ ସେ କୁଆଡ଼େ ସିଆରପିଏଫ ୬୦ବାଟାଲିୟନରେ ଯୋଗଦେଇ ଝାଡ଼ଖଣ୍ଡ ରାଜ୍ୟରେ ଅବସ୍ଥାପିତ ଥିଲେ ବୋଲି ଶୁଣିବାକୁ ମିଳେ। ସୁଶାନ୍ତଙ୍କ ପୂର୍ବରୁ ତାଙ୍କ ବାପା କରୋନା କାଳରେ ପ୍ରାଣ ହରାଇଥିବାବେଳେ ତାଙ୍କ ଭାଇଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଅଭାବୀ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସୁଶାନ୍ତ। ମା’ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ଥିବାବେଳେ ଭୁବନେଶ୍ବରର ଏକ ହାସପାତାଳରେ ଚିକିତ୍ସାଧୀନ ଥିବା ଓ ତାଙ୍କ ନିକଟରେ ସୁଶାନ୍ତଙ୍କ ଭଉଣୀ ଜଗି ରହିଥିବା ସୂଚନାରୁ ଜଣାପଡ଼ିଛି। ଏଇ ଚାରିମାସ ତଳେ ସୁଶାନ୍ତ ଜଣେ ସରକାରୀ ଚାକିରିଆଙ୍କ ହାତ ଧରିଥିଲେ। ବହୁ ଦୁଃଖ ଭିତରେ ହସ ଟିକିଏ ସାଉଁଟିଥିବା ସୁଶାନ୍ତଙ୍କ ପରିବାର ଉପରେ ଆଜି ପୁଣି ଦାରୁଣ ଦୁଃଖ ଲଦି ହୋଇଯାଇଛି। ସେପଟେ ଭୁବନେଶ୍ବରରେ ଆଜି ତାଙ୍କ ମା’ଙ୍କ ବ୍ରେନ ଟ୍ୟୁମର ଅପରେସନ ଚାଲିଥିବାବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଉପରେ ପାହାଡ଼ ଛିଡ଼ିପଡ଼ିଲା ପରି ହୋଇଛି । ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ଏଏନଏମ୍ ଭାବେ କାର୍ଯ୍ୟରତ ଥିବା ଶୁଣିବାକୁ ମିଳୁଛି। ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କ ଗାଁ ସମେତ ସମଗ୍ର ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
Comments are closed.