ନୂଆଦିଲ୍ଲୀ: ଗତବର୍ଷ ଅପେକ୍ଷା ଚଳିତ ଥର କୋଭିଡର ଦ୍ରୁତ ସଂକ୍ରମଣ ଅତ୍ୟନ୍ତ ଜଟିଳ ରୂପ ଧାରଣ କରିଛି। ଏହା ଦେଶରେ ସବୁକ୍ଷେତ୍ରରେ ଅଧିକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି କରିବ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ତେବେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୧୧ ପ୍ରତିଶତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ରାଜୀବ କହିଛନ୍ତି, ସାଂପ୍ରତିକ ପରିସ୍ଥିତିରେ ଉପଭୋକ୍ତା ଏବଂ ପୁଞ୍ଜନିବେଶ ଭଳି ପ୍ରସଙ୍ଗକୁ ନେଇ ଯେଉଁଭଳି ବୃହତ୍ତର ଅନିଶ୍ଚିତ ସ୍ଥିତି ସୃଷ୍ଟି ହେବାକୁ ଯାଉଛି ସେଥିପାଇଁ ରାଷ୍ଟ୍ର ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି। ଆବଶ୍ୟକ ସ୍ଥଳେ ସରକାର ବିତ୍ତୀୟ ପଦକ୍ଷେପ ଜରିଆରେ ଏହାକୁ ନିୟନ୍ତଣ କରିବାକୁ ପଦକ୍ଷେପ ନେବେ। ତାଙ୍କ କହିବା ଅନୁଯାୟୀ ଗତବର୍ଷର ସଂକ୍ରମଣ ପରେ ଭାରତ ବସ୍ତୁ୍ତଃ କୋଭିଡ-୧୯କୁ ପରାଜିତ କରିବା ସ୍ଥିତିରେ ପହଞ୍ଚିଲା। କିନ୍ତୁ ବ୍ରିଟେନ ଏବଂ ଅନ୍ୟ କେତେକ ରାଷ୍ଟ୍ରରୁ ନୂଆ ଷ୍ଟ୍ରେନ ସଂକ୍ରମଣ ସମୁଦାୟ ପରିସ୍ଥିତିକୁ ବଦଳାଇ ଦେଇଛି। ଏବେ ସ୍ଥିତି ଅଧିକ ଜଟିଳ ହୋଇପଡିଛି। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ସିଧାସଳଖ ପ୍ରଭାବ ସେବାକ୍ଷେତ୍ର ଭଳି କେତେକ କ୍ଷେତ୍ର ଉପରେ ପଡିବାବେଳେ ଅର୍ଥନୈତିକ ପରିବେଶରେ ମଧ୍ୟ ବ୍ୟାପକ ଅନିଶ୍ଚିତତା ପରିଲକ୍ଷିତ ହେବାକୁ ଯାଉଛି। ଏହାର ପ୍ରଭାବ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପଡିବ।
କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଧିକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟିକରିବ: ନୀତି ଆୟୋଗ
Popular Categories



