କରୋନା ପ୍ୟାକେଜ୍ ସମୟୋଚିତ : ଉପଯୁକ୍ତ କାର୍ଯ୍ୟକାରିତା ଉପରେ ସଫଳତା ନିର୍ଭରଶୀଳ
କରୋନା ସଂକ୍ରମଣ ବିରୋଧୀ ସଂଗ୍ରାମରେ ସରକାରଙ୍କ ‘ଲକ୍ ଡାଉନ୍’ ଅସ୍ତ୍ରରେ ପ୍ରଭାବିତ ଓ ସମର୍ପିତ କର୍ମୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ସହାୟତା(ପ୍ୟାକେଜ୍) ଘୋଷଣା କରିଛନ୍ତି। କରୋନା ବିରୋଧରେ ଏକ ଲମ୍ବା ଯୁଦ୍ଧ ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ ଦିନିଆ ‘ଲକ୍ ଡାଉନ୍’ ଘୋଷଣା କରିଛନ୍ତି। ଏହାପୂର୍ବରୁ ଓଡ଼ିଶା ସମେତ କେତେକ ରାଜ୍ୟ ଆଂଶିକ ଓ ସମ୍ପୂର୍ଣ୍ଣ ‘ଲକ୍ ଡାଉନ୍’ ଘୋଷଣା କରିସାରିଥିଲେ। ଏହାଦ୍ୱାରା ପରିବହନ, ପର୍ଯ୍ୟଟନ ଓ ଅନ୍ୟ କେତେକ ବ୍ୟାବସାୟିକ କାରବାର ପ୍ରଭାବିତ ହୋଇଥିବାବେଳେ ଖଟିଖିଆ, ମଜୁରିଆ ଓ ଛୋଟ ବ୍ୟବସାୟୀମାନେ ଗୁରୁତର ରୋଜଗାର ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏବେ କେନ୍ଦ୍ର ସରକାରଙ୍କ ୨୧ ଦିନିଆ ‘ଲକ୍ ଡାଉନ’୍ ଘୋଷଣା ଯୋଗୁଁ ସେମାନଙ୍କ ପାରିବାରିକ ଅବସ୍ଥା ଆହୁରି ଶୋଚନୀୟ ହେବାକୁ ଯାଉଛି। ଏହି ଯୁଦ୍ଧ ହୁଏତ ଆହୁରି ଲମ୍ବା ହୋଇପାରେ। ଏହି କାରଣରୁ ସେମାନଙ୍କ ସ୍ୱାର୍ଥ ଓ ଜୀବନ ରକ୍ଷା ଲାଗି ପ୍ରାୟ ସବୁ ମହଲରୁ ସରକାରୀ ସହାୟତା ପାଇଁ ଦାବି ଓ ମତ ପ୍ରକାଶ ପାଇ ଆସୁଥିଲା। ଶେଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଅବଶ୍ୟ କେନ୍ଦ୍ରୀୟ ଘୋଷଣାକୁ ଅପେକ୍ଷା ନ କରି ଓଡ଼ିଶା, ପଞ୍ଜାବ, କେରଳ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା ପରି କେତେକ ରାଜ୍ୟ ଏ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ଏହିସବୁ ରାଜ୍ୟ ସେମାନଙ୍କ ଆର୍ଥିକ ସମ୍ବଳ ଓ ସାମର୍ଥ୍ୟ ଅନୁଯାୟୀ ଖଟିଖିଆ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଓ ବିଧବାଙ୍କ ହିତକୁ ଦୃଷ୍ଟିରେ ରଖି ଅଳ୍ପ ବହୁତେ ଆର୍ଥିକ ଓ ଖାଦ୍ୟ ସହାୟତା ଦେଇଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ୟାକେଜ୍ରେ ଖଟିଖିଆ ଓ ଗରିବଙ୍କ ସମେତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ ୨୦ ଲକ୍ଷ ଡାକ୍ତର, ନର୍ସ, ପାରା ମେଡିକାଲ୍, ପରିମଳ କର୍ମଚାରୀ ଓ ଆଶା କର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବୀମା ଯୋଜନା ଘୋଷଣା କରାଯାଇଛି। କରୋନା ଭଳି ଭୟଙ୍କର ପ୍ରାଣଘାତୀ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିଜ ଜୀବନକୁ ବିପନ୍ନ କରି ସେବା ଯୋଗାଉଥିବା କର୍ମଚାରୀଙ୍କ ସ୍ୱାର୍ଥ ଓ ହିତକୁ ଦୃଷ୍ଟି ଦେବା ସ୍ୱାଗତଯୋଗ୍ୟ ପଦକ୍ଷେପ। ସେହିପରି ଦେଶର ଗରିବ ବର୍ଗ ଯେପରି ଆର୍ଥିକ ଓ ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ନିଜକୁ ଅସୁରକ୍ଷିତ ମନେ ନ କରନ୍ତି ସେ ଦିଗକୁ ମଧ୍ୟ ଅର୍ଥମନ୍ତ୍ରୀ ଦୃଷ୍ଟି ଦେଇଛନ୍ତି।
ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ପ୍ରତି ବିପିଏଲ୍ ପରିବାରର ସଦସ୍ୟ ପିଛା ମାସକୁ ୫ କେଜି ଲେଖାଏଁ ଚାଉଳ କିମ୍ବା ଗହମ ମାଗଣାରେ ଦିଆଯିବ। ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ୍ କାର୍ଡରେ ମିଳୁଥିବା ରାସନ୍ ଅତିରିକ୍ତ ସେମାନେ ଏହି ସୁବିଧା ପାଇବେ। ଏଥିସହିତ ଆସନ୍ତା ତିନି ମାସ ପାଇଁ ପରିବାର ପିଛା ୧ କେଜି ଲେଖାଏଁ ଡାଲି ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ୱାରା ୮୦ କୋଟି ଲୋକ ଉପକୃତ ହେବେ ବୋଲି କୁହାଯାଇଛି। ଦ୍ୱିତୀୟ ଭାଗ ବା ‘ଅର୍ଥ ହସ୍ତାନ୍ତର ଯୋଜନା’ରେ ଗରିବ କୃଷକ(ପିଏମ୍ କିଷାନ୍ ତାଲିକାଭୁକ୍ତ)ଙ୍କୁ ପ୍ରଥମ କିସ୍ତି ବାବଦ ୨ ହଜାର ଟଙ୍କା ଖୁବ୍ ଶୀଘ୍ର ସେମାନଙ୍କ ଆକାଉଣ୍ଟରେ ଜମା କରି ଦିଆଯିବ। ଏଥିସହିତ ମନରେଗାରେ ମଜୁରି ଦୈନିକ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ମନରେଗା ଶ୍ରମିକଙ୍କ ହାତକୁ ଅତିରକ୍ତ ୨ ହଜାର ଟଙ୍କା ଲେଖାଏଁ ଆସିବ ବୋଲି ଆକଳନ କରାଯାଇଛି। ସେହିପରି ଭିନ୍ନକ୍ଷମ, ବୟସ୍କ ଓ ବିଧବାଙ୍କୁ ଆସନ୍ତା ତିନିମାସ ପାଇଁ ଦୁଇଟି କିସ୍ତିରେ ୫୦୦ ଟଙ୍କା ଲେଖାଏଁ ମୋଟ ୧ ହଜାର ଟଙ୍କା ଏବଂ ଉଜ୍ଜ୍ୱଳା ଯୋଜନାରେ ଆସନ୍ତା ତିନି ମାସ ପାଇଁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ। ଦୀନ ଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ମିଶନ୍ ଯୋଜନା ଅଧୀନରେ ଦେଶର ୬୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ବନ୍ଧକରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ସୁବିଧା ପ୍ରଦାନ କରାଯିବ। ‘କରୋନା ଲକ୍ ଡାଉନ୍’ ଯୋଗୁଁ କାର୍ଯ୍ୟଦିବସ ଓ ଉତ୍ପାଦନ ହ୍ରାସଜନିତ କ୍ଷତି ସହୁଥିବା ସଂସ୍ଥାରେ କର୍ମଚାରୀମାନେ ଦରମା କାଟ ଓ ଛଟେଇ ଆଶଙ୍କାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଉକ୍ତ ସଂସ୍ଥାମାନଙ୍କର କ୍ଷତିକୁ ପରୋକ୍ଷରେ ଭରଣା କରିବାକୁ ପ୍ରୟାସ କରିଛନ୍ତି। ଏହିକ୍ରମରେ ଆସନ୍ତା ତିନିମାସ ପର୍ଯ୍ୟନ୍ତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଉଭୟ କର୍ମଚାରୀ(ସର୍ତ୍ତଯୁକ୍ତ) ଓ ନିଯୁକ୍ତିଦାତାଙ୍କ ଅବଦାନ ପରିମାଣକୁ କେନ୍ଦ୍ର ସରକାର ଭରଣା କରିବେ। ଏହାଦ୍ୱାରା ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୮୦ ଲକ୍ଷ କର୍ମଚାରୀ ଉପକୃତ ହେବେ ବୋଲି ସରକାର ଆକଳନ କରିଛନ୍ତି। ଏଥିସହିତ ଇପିଏଫ୍ ପାଣ୍ଠିରୁ ଜମା ଉଠାଣ କଟକଣାକୁ କୋହଳ କରାଯାଇଛି। କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସେସ୍ ପାଣ୍ଠିରୁ ୩୧ ହଜାର କୋଟି ଟଙ୍କା ଶ୍ରମିକମାନଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦେଶ ଦିଆଯାଇଛି। ସେହିପରି ଜିଲା ଖଣିଜ ପାଣ୍ଠିକୁ ସ୍ୱାସ୍ଥ୍ୟ ସେବାରେ ବିନିଯୋଗ କରିବା ପାଇଁ ମଧ୍ୟ ରାଜ୍ୟ ସରକାରମାନଙ୍କୁ ଅନୁମତି ଦିଆଯାଇଛି।
କରୋନା ପ୍ରଭାବଜନିତ ସାମ୍ପ୍ରତିକ ଓ ପରବର୍ତ୍ତୀ ଅର୍ଥନୈତିକ ସଙ୍କଟର ମୁକାବିଲା ଦିଗରେ ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ୍ ସମ୍ପୂର୍ଣ୍ଣ ସମର୍ଥ ବୋଲି ମନେ ନ ହେଲେ ମଧ୍ୟ କେତେକାଂଶରେ ସଫଳ ହେବ ବୋଲି ଆଶା ସଞ୍ଚାର ହୋଇଛି। ବିଶେଷକରି ଗରିବ ବର୍ଗ ହାତକୁ ଅର୍ଥ ଆସିଲେ ଏବଂ ଖାଦ୍ୟ ନିରାପତ୍ତା ଚିନ୍ତା ଦୂର ହେଲେ ସେମାନଙ୍କ ଖର୍ଚ୍ଚ କ୍ଷମତା ବଢ଼ିବ। ଏହାଦ୍ୱାରା ଚାହିଦା ବୃଦ୍ଧି ପାଇ ଉପଭୋକ୍ତା ବଜାର ଚଳଚଞ୍ଚଳ ହୋଇପାରିବ। ଅନେକ ଆଶା ସତ୍ତ୍ୱେ ପ୍ୟାକେଜର ଅସଲ ଲକ୍ଷ୍ୟ ପୂରଣ ଦିଗରେ କିଛିଟା ସନ୍ଦେହ ସୃଷ୍ଟି ହେଉଛି। ବିଶେଷ କରି ଉଜ୍ଜ୍ୱଳା ଯୋଜନାରେ ମାଗଣା ସିଲିଣ୍ଡର ଯୋଗାଣ ବ୍ୟବସ୍ଥାର ବ୍ୟାପକ ଦୁରୁପଯୋଗ ହେବାର ଆଶଙ୍କା ରହିଛି। ପୂର୍ବ ରେକର୍ଡ ଆଧାରରେ ଏହି ଆଶଙ୍କା ଅମୂଳକ ନୁହେଁ। ସେହିପରି ସାମାଜିକ ଦୂରତ୍ୱ ଯୋଗୁଁ କାମଧନ୍ଦା ପ୍ରାୟତଃ ବନ୍ଦ ହୋଇଯାଇଛି। କଟକଣା ଉଠିବା ବେଳକୁ ଚାଷକାମ ପ୍ରାୟ ଆରମ୍ଭ ହୋଇସାରିଥିବ। ତେଣୁ ମନରେଗାରେ ଘୋଷିତ ବର୍ଦ୍ଧିତ ମଜୁରି ଠିକଣା ସମୟରେ ଲୋକଙ୍କ କାମରେ ଆସିବ ନାହିଁ। ଏସବୁର ଊର୍ଦ୍ଧ୍ବରେ ରହିଛି ଯୋଜନା ବା ଘୋଷଣା ରୂପାୟନରେ ରାଜନୈତିକୀକରଣ ଓ ଦୁର୍ନୀତି। କରୋନା ବିପତ୍ତିଜନିତ ସ୍ଥିତିକୁ ହୃଦୟଙ୍ଗମ କରି ରୂପାୟନ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଯଦି ସଚ୍ଚୋଟ ଓ ସାଧୁତା ଅବଲମ୍ବନ କରିବେ ତେବେ ଯାଇ ହିତାଧିକାରୀ ଉପକୃତ ହୋଇପାରିବେ। ଅନ୍ୟଥା ଥିଲାବାଲାଙ୍କ ପକେଟ୍ ଆହୁରି ଉଷ୍ମ ହେବ ଓ ଗରିବମାନେ ହତାଶ ହେବା ସାର ହେବ। ଆୟୁଷ୍ମାନ ଯୋଜନାରେ କେନ୍ଦ୍ର-ରାଜ୍ୟ ବିବାଦ ଏ ପର୍ଯ୍ୟନ୍ତ ତୁଟିନାହିଁ। ତେଣୁ ସବୁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ପିଏମ୍ କିଷାନ୍ରେ ଆର୍ଥିକ ସହାୟତାର ସୁଫଳ ମିଳିବାରେ ସନ୍ଦେହ ଉଠିବା ସ୍ୱାାଭାବିକ। ତେଣୁ ଅର୍ଥମନ୍ତ୍ରୀ ଆହୁରି ବାସ୍ତବବାଦୀ ହେବା ଆଶା କରାଯାଉଥିଲା। ହୁଏତ ପରବର୍ତ୍ତୀ ସମୟରେ ଏ ଦିଗରେ କେନ୍ଦ୍ର ସରକାର ଚିନ୍ତା କରିପାରନ୍ତି। ସାମ୍ପ୍ରତିକ ଓ ଭବିଷ୍ୟତ ସଙ୍କଟରୁ ମୁକୁଳିବା ଲାଗି ସଂଘୀୟ ବ୍ୟବସ୍ଥାରେ ସମସ୍ତ ପ୍ରକାର ବାଦ ବିବାଦ ଓ ଅହଂ ବର୍ଜିତ ହେଲେ ଜନତା ଉପକୃତ ହେବେ।
Comments are closed.