www.samajalive.in
Tuesday, December 9, 2025
15.1 C
Bhubaneswar

ଭୂତାଣୁର ଚକ୍ରବ୍ୟୁହ; ମୁକୁଳା ପରିବେଶରେ ମାଡ଼ୁଛି ମହାମାରୀ

କୋରାପୁଟ : କରେନାର ଚକ୍ରବ୍ୟୁହରେ ଘାରି ହେଉଛନ୍ତି ସମସ୍ତେ। କରୋନା ଯୋଦ୍ଧା ପୁଲିସ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀଙ୍କ ସମେତ ସର୍ବୋପରି ଦୈନିକ ଶତାଧିକ ଲୋକ ଏହି ମହାମାରୀର ଚକ୍ରବ୍ୟୁହରେ ପଡ଼ୁଛନ୍ତି। କିଏ ମୁକୁଳୁଛି, କିଏ ଚକ୍ରବ୍ୟୁହର ମାୟା ଜାଲ ଭିତରେ ହିଁ ଛନ୍ଦି ହୋଇ ଜୀବନ ହାରୁଛି। ସ୍ଥିତି ଏଭଳି ​ଦୈନିକ ମୃତ୍ୟୁ ଓ ଆକ୍ରାନ୍ତ ଖବର ଶୁଣି ମନ ଅତିଷ୍ଠ ହେଲାଣି। ଦୁଃଖର ବିଷୟ ଏତେସବୁ ପରେ ବି ମୁକୁଳା ପରିବେଶରେ ଅମାନିଆଙ୍କ ଯୋଗୁଁ ମାଡ଼ି ଚାଲିଛି ମହାମାରୀ।
ଦୀର୍ଘ ମାସର ବ୍ୟବଧାନ ପରେ ପୁଣିଥରେ ସମ୍ପୂର୍ଣ୍ଣ ହୋଇଛି ସାଧାରଣ ଜନଜୀବନ। ସତେ ଯେପରି କରୋନା କବଳରୁ ମୁକ୍ତି ମିଳିଗଲା, ସ୍ବାଧିନତା ପ୍ରାପ୍ତି ହେଲା ସେ ଭାବନା ଏବେ ପ୍ରାୟ ସମସ୍ତଙ୍କୁ କବଳିତ କରିଛି। ପୁଲିସ ଓ ପ୍ରଶାସନ ଜନସାଧାରଣଙ୍କ ସୁରକ୍ଷା ପାଇଁ ସବୁ କଟକଣା ଓ ନିୟମ ଲାଗୁ କରୁଥିଲେ ହେଁ ଲୋକଙ୍କ ଭାବନା କିନ୍ତୁ ଭିନ୍ନ। ପୁଲିସ ଲୋକଙ୍କ ପାଇଁ ନୁହେଁ ବରଂ ନିଜ ପାଇଁ ସତେ ଯେପରି ଏସବୁ କରୁଛି ସେ ଭାବନାରେ ପୁଲିସ ଗାଡ଼ି ଦେଖିଲେ ଗୋଟିଏ ରୂପ, ପୁଲିସ ଗାଡ଼ି ଚାଲିଯିବା ପରେ ଲୋକଙ୍କ ଆଉ ଗୋଟିଏ ରୂପ ଦେଖିବାକୁ ମିଳୁଛି। ଅମାନିଆଙ୍କ ଉତ୍ପାତ ପୁଣିଥରେ ବଢ଼ିଥିବାବେଳେ ଅବିଭକ୍ତ କୋରାପୁଟରେ ପୁଣିଥରେ ହିଂସା ଓ ଅପରାଧ ମୁଣ୍ଡ ଟେକିବାରେ ଲାଗିଛି। ବହୁ ଥାନାର କର୍ମଚାରୀ ଓ ଅଧିକାରୀ କରୋନା ଆକ୍ରାନ୍ତ ହୋଇ ମହାମାରୀ କବଳରୁ ନିଜର ମୁକ୍ତି ଖୋଜୁଥିବାବେଳେ ଅନେକ ଯୋଦ୍ଧା ଆକ୍ରାନ୍ତ ହୋଇ କରୋନା ସହ ଲଢ଼େଇରେ ବିଜୟୀ ହେବା ପରେ ପୁଣିଥରେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇଛନ୍ତି। ତେବେ ପୁଲିସ ବିଭାଗର ମନୋବଳ ପୂର୍ବ ଭଳି ଆଉ ପରିଲକ୍ଷିତ ହେଉନାହିଁ। ଫଳରେ ଏହାର ସୁଯୋଗ ନେଇ ଅପରାଧି ଓ ଅସାମାଜିକ ତତ୍ତ୍ବ ମୁଣ୍ଡ ଟେକିବାରେ ଲାଗିଛନ୍ତି। ସେହିପରି ବଜାରଘାଟରେ ପୂର୍ବ ଭଳି ଗହଳି ପରିଲକ୍ଷିତ ହେଉଥିବାବେଳେ ଅମାନିଆଙ୍କ ଆଡ୍ଡା ଜମୁଛି। ଛକ ଜାଗାରେ ଦଳ ଦଳ ହୋଇ କିଛି ଟହଲ ମାରୁଥିବାବେଳେ ଅଧିକାଂଶଙ୍କ ମୁହଁରେ ଆଉ ମାସ୍କ ଦେଖିବାକୁ ମିଳୁନାହିଁ। ଅନେକ ଏବେ ବି ପୂର୍ବ ଭଳି ଥୋଡ଼ି ତଳେ ହିଁ ମାସ୍କ ରଖୁଥିବା, ପୁଲିସ କିମ୍ବା ଦଣ୍ଡାଧାରୀଙ୍କୁ ଦେଖିଲେ ଓଠ ଉପରକୁ ମାସ୍କ ଉଠାଉଥିବା ଦେଖିବାକୁ ମିଳୁଛି। ଏପରିକି ଅନେକ ପକେଟରେ ମାସ୍କ ରଖୁଥିବାବେଳେ କେତେକ ବାଇକ୍ ହ୍ୟାଣ୍ଡଲରେ ମାସ୍କ ଝୁଲାଇ ବୁଲୁଥିବା ଦେଖିବାକୁ ମିଳୁଛି। ସତେ ଯେପରି ଏହା ଶରୀର ସୁରକ୍ଷା ପାଇଁ ନୁହେଁ ବରଂ ପୁଲିସ ଦଣ୍ଡରୁ ମୁକ୍ତି ପାଇଁ ସେଭଳି ଅନୁଭବ କରି ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ପୂର୍ବ ଭଳି ବଜାର ଘାଟରେ ବିକ୍ରିବଟା ଚାଲିଥିବାବେଳେ ସାମାଜିକ ଦୂରତା ନିୟମକୁ ପାଦରେ ଦଳି ଚକଟି ଲଦାଲଦି ହୋଇ ଲୋକେ କିଣାକିଣି କରୁଛନ୍ତି। ପନିପରିବା ଦୋକାନରେ ହେଉ ଅବା ମାଛ ମାଂସ ଦୋକାନରେ ଲୋକଙ୍କ ଭିଡ଼ ଦେଖି ଲାଗୁଛି ସତେ ଯେପରି ଲୋକେ ସ୍ବାଧିନତା ପ୍ରାପ୍ତିର ମଜା ଲୁଟୁଛନ୍ତି। କାହାର ଅନୁଭବ ହେଉନି, କେହି କରୋନା ମହାମାରୀର ଭୟାବହତାକୁ ଅଣଦେଖା କରୁଛନ୍ତି।
ଦୈନିକ କୋରାପୁଟରେ ଉପରମୁହଁ। କରୋନା ମିଟର କମିବାର ନାଁ ନେଉନାହିଁ। ପ୍ରତ୍ୟେକଦିନ ପାଖାପାଖି ୯୦ରୁ ୧୦୦ଜଣ ଏହି ମହାମାରୀର ଚକ୍ରବୁହ୍ୟରେ ପଡ଼ୁଛନ୍ତି। ଅନେକଙ୍କ ମୃତ୍ୟୁ ସନ୍ଦେହଜନକ ହେଉଛି। ଦୈନିକ ଶବ ଦେଖିବାକୁ ମିଳୁଛି। ଏହା କରୋନା ଜନିତ କି ନୁହେଁ ତାହା ମଧ୍ୟ ସନ୍ଦେହ ସାପେକ୍ଷ ହୋଇଥିଲେ ମଧ୍ୟ ଅଳ୍ପ କେଇମାସ ମଧ୍ୟରେ କୋରାପୁଟରେ ବର୍ଦ୍ଧିତ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଆଜିସୁଦ୍ଧା କୋରାପୁଟ ଜିଲାରେ ମୋଟ ୫୧୦୫ଜଣ ଆକ୍ରାନ୍ତ ହୋଇଥିବାବେଳେ ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା ଆକଳନଠାରୁ ଢେର ଅଧିକ ହେବାର ଆଶଙ୍କା ପ୍ରକାଶ ପାଇଛି। ଆଉ ପୂର୍ବର ଲକଡାଉନ, ସଟଡାଉନ ନାହିଁ। ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା ଲକ୍ଷ୍ୟରେ ତାଲା ଖୋଲି ଦିଆଯାଉଛି, ତା ମାନେ ନୁହେଁ ଯେ ଲୋକଙ୍କ ଦ୍ବାର ଖୋଲି ଦିଆଗଲା। କରୋନା କଟକଣା ନ ମାନି ଅମାନିଆ ଯେଭଳି ବଜାରଘାଟରେ ବୁଲୁଛନ୍ତି ଆଗକୁ ଏହା ବର୍ଦ୍ଧିତ ସଂକ୍ରମଣର ପ୍ରମୁଖ କାରଣ ପାଲଟିବ ବୋଲି ଅନୁମାନ କରାଯାଉଛି।

କଟକ, ଭୁବନେଶ୍ବରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଆଜିଠାରୁ ପୁଣିଥରେ କୋଭିଡ କଟକଣା କଡ଼ାକଡ଼ି କରାଯାଇସାରିଥିବାବେଳେ କୋରାପୁଟ ସମେତ ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲାରେ ପୁଣିଥରେ କରୋନା କଟକଣା କଡ଼ାକଡ଼ି କରାଯିବାକୁ ମତପ୍ରକାଶ ପାଉଛି ା ଏହାଭିତରେ ଜନସାଧାରଣ କିନ୍ତୁ ଯେ ପର୍ଯ୍ୟନ୍ତ ନିଜେ ସଚେତନ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଏହି ମହାମାରୀର ଚକ୍ରବ୍ୟୁହରୁ ମୁକୁଳିବା ଅସମ୍ଭବ ବ୍ୟାପାର ମନେ ହେଉଛି ା ଏଣୁ ପୁଲିସ ଲାଠି କିମ୍ବା ପ୍ରଶାସନିକ ଛାଟ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲାବାସୀ ନିଜ ନିଜ କ୍ଷେତ୍ରରେ ସଚେତନ ହୋଇ ଏହି ମହାମାରୀ ମୁକାବିଲା କରିବାକୁ ସାଧାରଣରେ ମତପ୍ରକାଶ ପାଉଛି ା ଜିଲା ସୂଚନା ବିଭାଗର ତଥ୍ୟ ଅନୁଯାୟୀ କୋରାପୁଟ ଜିଲାରେ ମୋଟ ୬୪,୪୦୧ଜଣଙ୍କ ରିପୋର୍ଟ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଏଥିରୁ ୬୩ହଜାର ୬୪୮ଜଣଙ୍କ ରିପୋର୍ଟ ଆସିଛି ା ସେମାନଙ୍କ ମଧ୍ୟରୁ ୫୧୦୯ଜଣଙ୍କ ରିପୋର୍ଟ ପଜିଟିଭ ରହିଥିବାବେଳେ ଏଥିରୁ ୪୩୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ସୂଚନା ମିଳିଛି ା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories