କଂଗ୍ରେସର ନ୍ୟାୟ ଯୋଜନା ଲାଗୁ ହେବା ଅସମ୍ଭବ: ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ
ନୂଆଦିଲ୍ଲୀ : ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ମଙ୍ଗଳବାର କଂଗ୍ରେସର ନ୍ୟାୟ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ପାନଗାରିଆ କହିଛନ୍ତି ଯେ କଂଗ୍ରେସର ନ୍ୟୁନତମ ଆୟ ଯୋଜନା ‘ନ୍ୟାୟ’ ଲାଗୁ କରିିବା ପ୍ରାୟ ଅସମ୍ଭବ। କାରଣ ଏହି ଯୋଜନାର ବଜେଟ ଦେଶର ମୋଟ ବଜେଟର ପାଖାପାଖି ୧୩ ପ୍ରତିଶତ। ୫ କୋଟି ପରିବାରକୁ ବର୍ଷକୁ ୭୨ ହଜାର ଲେଖାଏଁ ଟଙ୍କା ଦିଆଗଲେ ପ୍ରାୟ ୩.୬ ଲକ୍ଷ କୋଟି ଟଙ୍କା ଆବଶ୍ୟକ। ୩.୬ ଲକ୍ଷ କୋଟି ଟଙ୍କା ହେଉଛି ଦେଶର ମୋଟ ବଜେଟର ୧୩ ପ୍ରତିଶତ ପାଖାପାଖି। ଏହି ୩.୬ ଲକ୍ଷ କୋଟି ଟଙ୍କା କେଉଁଠୁ ଆସିବ ତାହା କଂଗ୍ରେସ ପକ୍ଷରୁ କୁହାଯାଇନାହିଁ। ଏହା ଆମ ଦେଶର ପ୍ରତିରକ୍ଷା ବଜେଟଠାରୁ ବହୁ ଅଧିକ। ତେଣୁ ଏଭଳି ଏକ ଯୋଜନା ଲାଗୁ ହେବା ପ୍ରାୟ ଅସମ୍ଭବ।
ପ୍ରକାଶଯୋଗ୍ୟ ଯେ ପାନଗାରିଆ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ନିତି ଆୟୋଗର ଉପାଧ୍ୟକ୍ଷ ରହିଥିଲେ। ସେ ଏହି ଯୋଜନା ଉପରେ ୩ଟି ପ୍ରଶ୍ନ କରିଛନ୍ତି। ଏହି ଯୋଜନାର ଲାଭ ସମସ୍ତଙ୍କୁ ମିଳିବ କି ?, ଏହାକୁ ପାରଦର୍ଶିତା ସହ ଲାଗୁ କରାଯାଇ ହେବ କି ?, ଏହା ଦେଶର ରାଜକୋଷ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ କି ? ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ନ୍ୟାୟ ଯୋଜନା ଜରିଆରେ ଦେଶର ୨୫ କୋଟି ଲୋକ ବା ୫ କୋଟି ପରିବାରକୁ ଲାଭ ପହଞ୍ଚାଯିବ। ରାହୁଲ ଗାନ୍ଧୀ ଏହାକୁ ଏକ କ୍ରାନ୍ତିକାରୀ ଯୋଜନା ବୋଲି କହୁଛନ୍ତି। ତେବେ ଏହି ଯୋଜନାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.