କଂଗ୍ରେସ-ବିଜେପି ଡିଜିଟାଲ୍‌ ଲଢେଇ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଜୋରଦାର ପ୍ରଚାର ଚଳାଇଥିବା କଂଗ୍ରେସ ଏବଂ ବିଜେପି ଏବେ ପରସ୍ପର ବିରୋଧରେ ଡିଜିଟାଲ୍‌ କ୍ଷେତ୍ରକୁ ଉପଯୋଗ କରୁଛନ୍ତି। ଗୋଟିଏ ପଟେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘କର୍ଣ୍ଣାଟକର ମୋଷ୍ଟ ୱାଣ୍ଟେଡ୍‌’ ଶୀର୍ଷକ ଭିଡିଓ ପ୍ରସ୍ତୁତ କରିଥିବା ବେଳେ ଅନ୍ୟପଟେ ବିଜେପି ଏହାର ପ୍ରତ୍ୟୁତ୍ତରରେ ଟ୍ୱିଟର୍‌ରେ ‘ସିନ୍‌ସ ଅଫ୍‌ କଂଗ୍ରେସ’ ଶୀର୍ଷକ ତାଲିକା ପୋଷ୍ଟ କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମେ ‘କର୍ଣ୍ଣାଟକର ମୋଷ୍ଟ ୱାଣ୍ଟେଡ୍‌’ ଶୀର୍ଷକ ଭିଡିଓକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏଥିରେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇପଡିଥିବା ବିଜେପି ନେତାମାନଙ୍କ ସହିତ ମୋଦି ଏବଂ ତାଙ୍କ ଦଳର ଅନ୍ୟ ପ୍ରମୁଖ ନେତାମାନଙ୍କୁ ଏକତ୍ର ଦେଖିବାକୁ ମିଳିଛି। ରାହୁଲ ଏହି ଭିଡିଓ ତଳେ ଲେଖିଥିଲେ ‘ପ୍ରିୟ ମୋଦିଜୀ, ଆପଣ ବହୁତ କଥା କହୁଛନ୍ତି। ସମସ୍ୟା ହେଉଛି, ଆପଣଙ୍କ କଥା ଓ କାମ ମଧ୍ୟରେ ତାଳମେଳ ରହୁ ନାହିଁ। କର୍ଣ୍ଣାଟକ ନିର୍ବାଚନ ଲାଗି ଆପଣଙ୍କ ଦ୍ୱାରା ପ୍ରାର୍ଥୀ ମନୋନୟନର ଏକ ଟ୍ରେଲର ଏହି ଭିଡିଓ।’ ତେବେ ଭିଡିଓଟି କର୍ଣ୍ଣାଟକର ମୋଷ୍ଟୱାଣ୍ଟେଡ୍‌ମାନଙ୍କ ଭିଡିଓ ଭଳି ପ୍ରତୀତ ହେଉଛି ବୋଲି ରାହୁଲ ଦର୍ଶାଇଥିଲେ। ଏଥିସହ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇପଡିଥିôବା ରେଡ୍ଡି ଭ୍ରାତାମାନଙ୍କ ସମେତ ୧୧ ଜଣଙ୍କୁ ଟିକଟ୍‌ ପ୍ରଦାନ କରିବା ସମ୍ବନ୍ଧରେ ସେ ମୋଦିଙ୍କ ଠାରୁ ୫ ମିନିଟ୍‌ର ଜବାବ୍‌ ଲୋଡିଥିଲେ।
ଏହି ଭିଡିଓ ପ୍ରସାରିତ ହେବାର କିଛି କ୍ଷଣ ପରେ କର୍ଣ୍ଣାଟକ ବିଜେପି ୟୁନିଟ୍‌ ପକ୍ଷରୁ ‘ସିନ୍‌ସ ଅଫ୍‌ କଂଗ୍ରେସ’ ଶୀର୍ଷକରେ ଟ୍ୱିଟର୍‌ରେ କଂଗ୍ରେସ ବିରୋଧରେ ବାର୍ତ୍ତା ପୋଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ କର୍ଣ୍ଣାଟକରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିଗତ ୫ ବର୍ଷ ମଧ୍ୟରେ ଲୁଟ୍‌ପାଟ୍‌ରେ ବୁଡି ରହିଥିବା ପ୍ରମାଣିତ ହେଉଛି। ସିଦ୍ଧରମୈୟା ସରକାରଙ୍କ ୧୫ଟି ଦୁର୍ନୀତିର ତାଲିକା ମଧ୍ୟ ଏହି ବାର୍ତ୍ତା ସହ ବିଜେପି ଟ୍ୱିଟର୍‌ରେ ପୋଷ୍ଟ କରିଛି। ବିଜେପି ପୋଷ୍ଟ କରିଥିବା କଂଗ୍ରେସ ସରକାରର ଦୁର୍ନୀତି ମଧ୍ୟରେ ରହିଛି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁଅ ୟଥିନ୍ଦ୍ରଙ୍କ ମାଲିକାନାଧୀନ ମାଟ୍ରିକ୍ସ ଇମେଜିଂ ଡିଜିଟାଲ ସଲ୍ୟୁସନକୁ ସରକାରୀ ଟେଣ୍ଡର ପ୍ରଦାନ। ସରକାରୀ ହସ୍ପିଟାଲରେ ସିଟି ସ୍କାନ ଓ ଏମଆରଆଇ ଲ୍ୟାବ ସ୍ଥାପନ ପାଇଁ ସିଦ୍ଧରମୈୟାଙ୍କ ପୁଅକୁ ଟେଣ୍ଟ ଦିଆଯାଇଛି। ୧୮୦୦କୋଟି ଟଙ୍କାରେ ଷ୍ଟିଲ ଫ୍ଲାଏ ଓଭର ନିର୍ମାଣ ପ୍ରସ୍ତାବ। ଗୋଟିଏ ଦିନରେ ୩୬,୦୦୦ ନଳକୂପ ଖନନ। ଏପରିକି ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮୦୦ ନଳକୂପ ଖନନ କରାଯିବା। ଏହି ନଳକୂପ ଖନନରେ ସମସ୍ତ ପ୍ରକାର ପରିବେଶ ନିୟମକୁ ଉଲ୍ଲଙ୍ଘନ କରାଯାଇଥିଲା। ୨୫୦୦କୋଟି ଟଙ୍କାର ବସ୍ତି ଉନ୍ନୟନ ବୋର୍ଡ ଗଠନ। ବୋର୍ଡ ଦ୍ୱାରା ବେଆଇନ ଠିକା ପ୍ରଦାନ ପୂର୍ବକ ସରକାର ୧୦% କମିଶନ ନେଇଛନ୍ତି। ୨୧୫୭ କୋଟି ଟଙ୍କାର ଏସ୍‌ସି/ଏସ୍‌ଟି ହଷ୍ଟେଲ ପରିଚାଳନାରେ ଅନିୟମିତତା।
ଶନିବାର କର୍ଣ୍ଣାଟକ ନିର୍ବାଚନ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମେ ୧୫ ତାରିଖ ନିର୍ବାଚନ ଫଳ ପ୍ରକାଶ ପରେ କଂଗ୍ରେସ ‘ପିପିପି’ରେ ସୀମିତ ରହିବ। ଅର୍ଥାତ୍‌ କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପରେ କଂଗ୍ରେସର କ୍ଷମତା କେବଳ ପଞ୍ଜାବ, ପୁଡୁଚେରି ଓ ପରିବାର ମଧ୍ୟରେ ସୀମିତ ରହିବ। ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରୁ କଂଗ୍ରେସ ସତ୍ତା ହରାଇଥିବାବେଳେ ଆଗକୁ କର୍ଣ୍ଣାଟକରୁ ନିଜର ସତ୍ତା ହରାଇବା ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମେ’ ୧୨ରେ ବିଧାନସଭା ନିର୍ବାଚନ ଲାଗି ମତଦାନ କରିବା ବେଳେ କଂଗ୍ରେସର ଏହି ଦୁର୍ନୀତି ନ ଭୁଲିବା ଲାଗି ଭୋଟରଙ୍କୁ ବିଜେପି ପକ୍ଷରୁ ନିବେଦନ କରାଯାଇଛି।

Leave A Reply