ସ୍ୱର୍ଣ୍ଣିମ ଶନିବାର: ୮ ସ୍ୱର୍ଣ୍ଣ, ୨ରୌପ୍ୟ, ୨ କାଂସ୍ୟ
ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଭାରତର କ୍ରୀଡ଼ା ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିହୋଇଛି। ଭାରତୀୟ କ୍ରୀଡ଼ାବିତ୍ମାନେ ଗୋଟିଏ ଦିନରେ ୮ଟି ସ୍ୱର୍ଣ୍ଣ ପଦକ ସହିତ ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ଜିତିଛନ୍ତି। ପ୍ରତିଯୋଗିତାର ଅଦ୍ୟାବଧି ଫଳାଫଳ ଅନୁଯାୟୀ ଭାରତ ୨୪ଟି ସ୍ୱର୍ଣ, ୧୩ଟି ରୌପ୍ୟ ଓ ୧୬ଟି କାଂସ୍ୟ ପଦକ ସହିତ ମୋଟ ୫୩ଟି ପଦକ ଜିତି ତାଲିକାର ତୃତୀୟ ସ୍ଥାନରେ ସ୍ଥିତି ସୁଦୃଢ଼ କରିପାରିଛି। ଆଜି ମୁଷ୍ଟି ଯୋଦ୍ଧା ଓ କୁସ୍ତି ଯୋଦ୍ଧାମାନେ ଭାରତ ପାଇଁ ଉଲ୍ଲେଖନୀୟ ସଫଳତା ଆଣିଛନ୍ତି। ଆଜିର ମୋଟ ୧୦ପଦକ ମଧ୍ୟରୁ କୁସ୍ତିରେ ୨ଟି ସ୍ୱର୍ଣ୍ଣ ଓ ୨ଟି କାଂସ୍ୟ ପଦକ ସହିତ ମୋଟ ୪ଟି ପଦକ ମିଳିଥିବା ବେଳେ ମୁଷ୍ଟିରେ ୨ ସ୍ୱର୍ଣ୍ଣ ଓ ୨ ରୌପ୍ୟ ସହିତ ୪ଟି ପଦକ ଆସିଛି। ଜାଭ୍ଲିନ୍ ଥ୍ରୋ, ବନ୍ଧୁକ ଚାଳନା ଟିଟିରେ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ମିଳିଛି।
ମହିଳା ୫୦ କେଜି ଫ୍ରି ଷ୍ଟାଇଲ୍ କୁସ୍ତିରେ ଭିନେଶ ଫୋଗଟ୍ ଏବଂ ୧୨୫ କେଜି ପୁୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିରେ ସୁମିତ ମଲ୍ଲିକ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହାପୂର୍ବରୁ ମହିଳା ୪୫-୪୮ କେଜି ବର୍ଗରେ ଭାରତର ଷ୍ଟାର ବକ୍ସର ମେରି କମ୍, ୫୦ ମି ବନ୍ଧୁକ ଚାଳନାରେ ସଞ୍ଜିବ ରାଜପୁତ, ୫୨ କେଜି ପୁରୁଷ ବର୍ଗ ମୁଷ୍ଟି ଯୁଦ୍ଧରେ ଗୌରବ ସୋଲାଙ୍କି ଏବଂ ଜାଭ୍ଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସିଙ୍ଗିଲ୍ ମହିଳା ଟେବୁଲ୍ ଟେନିସ୍ରେ ମାନିକ ବାତ୍ରା ମଧ୍ୟ ସ୍ୱର୍ଣର୍ ପଦକ ଜିତିଛନ୍ତି।
ସେହିପରି ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ୪୯ କେଜି ପୁରୁଷ ବର୍ଗରେ ଅମିତ୍ ପନ୍ଘାଲ୍ ଓ ୬୦ କେଜି ପୁରୁଷ ବର୍ଗରେ ମନିଶ କୌଶିକ ରୌପ୍ୟ ପଦକ ଜିତିଥିବା ବେଳେ କୁସ୍ତି ଯୁଦ୍ଧ ପ୍ରତିଯୋଗିତା ୬୨ କେଜି ମହିଳା ବର୍ଗରେ ସାକ୍ଷୀ ମଲ୍ଲିକ ଓ ୮୬ କେଜି ପୁରୁଷ ସୋମବୀର କାଂସ୍ୟ ପଦକ ଜିତିଛନ୍ତି।