www.samajalive.in
Saturday, December 6, 2025
14.1 C
Bhubaneswar

ଆରମ୍ଭ ହେଲା ଫୁଲ ପ୍ରଦର୍ଶନୀ: ପରିଦର୍ଶନ କରିବେ ପ୍ରବାସୀ ଭାରତୀୟ

ଭୁବନେଶ୍ୱର : କାକର ଭିଜା ସକାଳରୁ ଶୀତୁଆ ଅପରାହ୍ଣ ପର୍ଯ୍ୟନ୍ତ ହସୁଥିଲା ଏକାମ୍ର କାନନ ଉଦ୍ୟାନ। କୁଳୁକୁଳୁ ଶବ୍ଦରେ ୱାଟର ଫାଉଣ୍ଟେନ୍‌ ସାଙ୍ଗକୁ ରଙ୍ଗବେରଙ୍ଗର ଫୁଲରେ ଉତ୍‌ଫୁଲ୍ଲିତ ହେଉଥିଲା ପରିବେଶ। ଅନେକ ସ୍ଥାନରେ ଫୁଲର ବାସ୍ନା ପରିବେଶକୁ ସୁଗନ୍ଧିତ କରୁଥିଲା। ଦିନତମାମ ଲାଗି ରହିଥିଲା ଫୁଲପ୍ରେମୀଙ୍କ ଆସର। କିଏ ଫୁଲ ସହ ସେଲ୍‌ଫି ନେଉଥାନ୍ତି ତ ଆଉ କିଏ ଦୋଳି ଖେଳୁଥିଲେ। ସତେ ଯେପରି ଲାଗୁଥିଲା ନିରବତା ଭାଙ୍ଗିଛି ଏକାମ୍ର କାନନ। ଏମିତି ଆଜି ଦେଖିବାକୁ ମିଳିଥିଲା ଫୁଲ ପ୍ରଦର୍ଶନୀରେ। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏକାମ୍ର କାନନ ବାର୍ଷିକ ଫୁଲ ପ୍ରଦର୍ଶନୀ। ପୂର୍ବରୁ ଦୁଇଦିନିଆ ହେଉଥିବାବେଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ଚଳିତ ବର୍ଷ ୫ ଦିନ ପ୍ରଦର୍ଶନୀ ଚାଲିବ। ମଙ୍ଗଳବାର ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ, ଯେ ପୁଷ୍ପ ଚେତନା ଏକ ନୈସର୍ଗିକ ଉପଲବ୍ଧି ଏବଂ ଏହା ଆମ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। କଳଙ୍କବିହୀନ ସ୍ବଚ୍ଛ ହୃଦୟ ଏବଂ ଶାନ୍ତି ଓ ବିଶ୍ବାସର ପ୍ରତୀକ ହେଉଛି ଫୁଲ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଶ୍ବର ବିଭିନ୍ନ ଦେଶର ପ୍ରତିନିଧିମାନେ ଏ ପ୍ରଦର୍ଶନୀକୁ ପରିଦର୍ଶନ କରିବେ ଓ ଆମ ପୁଷ୍ପବିତାନ ଏବଂ ତାର ଚିତ୍ତାକର୍ଷକ ରଙ୍ଗରୂପ ଦର୍ଶନ କରି ସମ୍ମୋହିତ ହେବେ ବୋଲି ଶ୍ରୀ ମାଝୀ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ କୁମାର ପାତ୍ର, ପ୍ରଶାସନିକ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ର, ପ୍ଲାଣ୍ଟ ଲଭର୍ସ ଆସୋସିଏସନର ସଭାପତି କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆଞ୍ଚଳିକ ଉଦ୍ଭିଦ କେନ୍ଦ୍ରର ବାର୍ଷିକ ପତ୍ରିକା ‘ସବୁଜିମା’ ଲୋକାର୍ପିତ ହୋଇଥିଲା। ନୂତନ ଫାଟକ ପରିସର, ବହୁ ରଙ୍ଗୀନ ଉଦ୍ୟାନ ଓ କାକଟସ ହାଉସର ଉଦ୍‌ଘାଟନ କରାଯାଇଛି। ଏହି ପୁଷ୍ପ ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୭୦ରୁ ଊର୍ଦ୍ଧ୍ବ ପ୍ରତିଷ୍ଠାନ ଯୋଗ ଦେଇଛନ୍ତି। ଏହାବ୍ୟତୀତ କଟ ଫ୍ଲାୱାର, ବୋନସାଇ ଓ ବିଭିନ୍ନ ପ୍ରକାରର ଅର୍କିଡ ମଧ୍ୟ ପ୍ରଦର୍ଶିତ ହେଉଛି। ପ୍ରଦର୍ଶନୀ ସ୍ଥଳରେ ଓଡ଼ିଶୀ, ଛଉ, ସମ୍ବଲପୁରୀ ଓ ପାଇକ ନୃତ୍ୟର ଆକର୍ଷଣୀୟ ଆୟୋଜନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories