୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଆଜି ଲୋକାର୍ପିତ ହୋଇଥିବା ୧୩୦ଟି ସ୍କୁଲ ମଧ୍ୟରୁ ନୂଆପଡାର ୭ଟି, ଗଞ୍ଜାମର ୮୩ଟି, ସମ୍ବଲପୁରର ୨୫ଟି, ନୟାଗଡ଼ର ୮ଟି ଓ ରାୟଗଡ଼ାର ୭ଟି ସ୍କୁଲ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉତ୍କର୍ଷତା ପାଇଁ ପ୍ରତିଯୋଗୀ ମନୋଭାବର ବିକାଶ ଜରୁରୀ। ରୂପାନ୍ତରଣ ପରେ ସ୍କୁଲର ପରିବେଶ ପିଲାଙ୍କ ଭିତରେ ପ୍ରତିଯୋଗୀ ମନୋଭାବକୁ ଅଧିକ ସୁଦୃଢ କରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଆରମ୍ଭ ହୋଇଥିବା ଏ ନୂଆ ଯୁଗର ପୁରା ସୁଯୋଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଜଣାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୨୪ ନଭେମ୍ବର ସୁଦ୍ଧା ରାଜ୍ୟର ୧୦୭୫ଟି ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମ ଚାଲିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ। କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

ମୁଖ୍ୟମନ୍ତ୍ରୀ କହିଲେ, ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ କୌଶଳ ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଆହ୍ୱାନକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ। ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ।

୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତରଣ ହେଉଛି ଆମର ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି, ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି। ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି। ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ। ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତରଣ କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି। ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା। ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି। ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ। ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି। ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି। ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ। ଏହି କାର୍ଯ୍ୟକ୍ରମରେ ୪ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ଭାରତୀ ସାହୁ , ସୌମ୍ୟ ଶ୍ରୀ ବଡପଣ୍ଡା, ଭାଗ୍ୟ ଲକ୍ଷ୍ମୀ ପ୍ରଧାନ, ସ୍ମରଣିକା ପଟନାୟକ, ଓ ସରସ୍ବତୀ ସାହୁ ପ୍ରମୁଖ ଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ରୂପାନ୍ତରଣ ଆମ ପାଇଁ ସୁଯୋଗ ଆଣିଛି। ତାର ସଦ୍ ବ୍ୟବହାର କରିବୁ ଓ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ କରିବୁ। ଏହା ସହିତ ସୋମାନଙ୍କ ଜୀବନର ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଜଗନ୍ନାଥ ସାରକା, ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ସତ୍ୟନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ନିର୍ଧାରିତ ସମୟ ସୀମା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର କାର୍ଯ୍ୟ ଶେଷ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.