ହରିଦ୍ବାର ଯାତ୍ରା ନିମନ୍ତେ ମନସ୍ଥ କରି ହାତରସ ରେଳ ଷ୍ଟେସନର ଏକ ସ୍ଥାନରେ ବସିଥାନ୍ତି ସ୍ବାମୀ ବିବେକାନନ୍ଦ। କ୍ଷୁଧାତୁର ଥିଲେ, ତେଣୁ ମାନସିକ ସ୍ଥିତି ଠିକ୍ ନଥିଲା। ସେହି ଛୋଟକାଟର େଷ୍ଟସନଟିରେ ଷ୍ଟେସନମାଷ୍ଟର ଭାବରେ କାର୍ଯ୍ୟରତ ଥିଲେ ଶରତଚନ୍ଦ୍ର ଗୁପ୍ତ। ଚୁମ୍ବକ ଲୁହାକୁ ଆକର୍ଷିତ କଲାପରି ଏକ ଅଜଣା ଆକର୍ଷଣରେ ଆକର୍ଷିତ ହୋଇ ଶରତଚନ୍ଦ୍ର ଚାଲିଯାଇଥିଲେ ବିବେକାନନ୍ଦଙ୍କ ନିକଟକୁ। ବୋଧହୁଏ ବିବେକାନନ୍ଦଙ୍କ ମୁଖମଣ୍ଡଳର ଅନନ୍ୟ ଦୀପ୍ତି, ତେଜସ୍ବୀ ଚେହେରା ତାଙ୍କୁ ଆକୃଷ୍ଟ କରିଥିଲା। ଗୁଣ ଚିହ୍ନେ ଗୁଣିଆ ଭଳି ସ୍ବାମୀଜୀଙ୍କ ନିକଟରେ ପହଞ୍ଚିବା ପରେ ଜାଣିପାରିଥିଲେ ସେ କ୍ଷୁଧିତ ଅଛନ୍ତି ବୋଲି। ନିଜ ସରକାରୀ ବାସଭବନକୁ ଆମନ୍ତ୍ରଣ କରିଥିଲେ ଭୋଜନ ତଥା ବିଶ୍ରାମ ନିମନ୍ତେ। ସାନ୍ନିଧ୍ୟ ଲାଭ ମାତ୍ରେ ଶରତଚନ୍ଦ୍ରଙ୍କଠାରେ ଅଦ୍ଭୁତ ପ୍ରତିକ୍ରିୟା ଦେଖା ଦେଇଥିଲା। ସ୍ବାମୀଜୀଙ୍କ ବ୍ୟକ୍ତିତ୍ବରେ ମୁଗ୍ଧ ହୋଇ ତାଙ୍କର ପଦାଙ୍କ ଅନୁସରଣ କରିବା ନିମନ୍ତେ ନିଜର ମନୋଭାବ ବ୍ୟକ୍ତ କରିଥିଲେ।
ଗୈରିକବସନ ପରିଧାନ କରି, କାନ୍ଧରେ ଝୁଲା ପକାଇ ସନ୍ନ୍ୟାସୀର ଭୂମିକା ନିଭାଇବାକୁ ପ୍ରସ୍ତୁତ ହୋଇଯାଇଥିଲେ ଶରତଚନ୍ଦ୍ର। ସମଗ୍ର ବିଶ୍ବକୁ ଆଧ୍ୟାତ୍ମିକତାର ଆଲୋକରେ ଆଲୋକିତ କରିବାକୁ ଯିଏ ସଂକଳ୍ପବଦ୍ଧ, ଭଟ୍ଟା ପଡ଼ିଯାଇଥିବା ଧର୍ମୀୟ ଚେତନାର ପୁନରୁତ୍ଥାନ ପାଇଁ ଯିଏ ଏକାନ୍ତ ଭାବରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି, ସେ ଖୋଜୁଥିଲେ ଏହି ଭଳି ଜଣେ ତ୍ୟାଗୀ ଶିଷ୍ୟ। ରାଷ୍ଟ୍ରର ପୁନରୁତ୍ଥାନ (ନୈତିକ, ଆଧ୍ୟାତ୍ମିକ) ଥିଲା ଜୀବନର ଏକମାତ୍ର ଲକ୍ଷ୍ୟ, ବ୍ରତ। ତେବେ ତତ୍କାଳୀନ ଭାରତବର୍ଷରେ ଏହା ଏତେ ସହଜ ନଥିଲା। ସାଗ୍ରହରେ ଶରତ ଚନ୍ଦ୍ର ଶିଷ୍ୟତ୍ବ ସ୍ବୀକାର କରିଥିଲେ। ପ୍ରଥମ ଶିଷ୍ୟ ହେବାର ଗୌରବ ଅର୍ଜନ କରିଥିଲେ ସେ। ଦୁହେଁ ତୀର୍ଥଯାତ୍ରା କାଳରେ ଅକଳ୍ପନୀୟ ଦୁଃଖକଷ୍ଟର ସମ୍ମୁଖୀନ ହୋଇଥିଲେ। ଶରତଚନ୍ଦ୍ର ଅନାହାର ଜନିତ ଦୁଃଖକଷ୍ଟ କାରଣରୁ ରୁଗ୍ଣ, ବ୍ୟାଧିଗ୍ରସ୍ତ ହୋଇ ପଡ଼ିଥିଲେ ହେଁ ଗୁରୁଙ୍କର ପଦାଙ୍କ ଅନୁସରଣରୁ ବିଚ୍ୟୁତ ହୋଇ ନଥିଲେ। ଭିକ୍ଷା ମାଗି ଜୀବନନିର୍ବାହ କରିବାକୁ ପଡ଼ୁଥିଲା। ମାନବରୂପୀ ମାଧବ ସେବା ନିମିତ୍ତ ଉତ୍ସର୍ଗୀକୃତ ବ୍ୟକ୍ତି ଥିଲେ ଶରତ ଚନ୍ଦ୍ର। ଚାକିରିର ମୋହ ତ୍ୟାଗ କରି ସନ୍ନ୍ୟାସୀ ଜୀବନଯାପନ କରିବା ଦିଗରେ ଥିଲା ଏକ ମହତ୍ ଲକ୍ଷ୍ୟ। ରାଷ୍ଟ୍ର ସେବା, ଜନସେବା, ଏହାକୁ ଶରତଚନ୍ଦ୍ର ଶିଷ୍ୟ ଭାବରେ ପରିପୂରଣରେ ସକ୍ଷମ ହୋଇଥିଲେ। ଜଣେ ଅନ୍ତରଙ୍ଗ ଅନୁଗାମୀ ଭାବରେ ସେ ଯେ ନିଜ ଭୂମିକା ନିଭାଇବାରେ ସକ୍ଷମ ହୋଇଥିଲେ, ଏହା ସମ୍ଭବ ହୋଇଥିଲା ସ୍ବାମୀଜୀଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ପ୍ରଭାବରେ।



