www.samajalive.in
Friday, December 5, 2025
27.1 C
Bhubaneswar

ଚିନ୍ତାକଳ୍ପ: ନିଆରା ପ୍ରାୟଶ୍ଚିତ୍ତ

ଛତ୍ରପତି ଶିବାଜୀଙ୍କ ବାଲ୍ୟକାଳର ଗୁରୁଥିଲେ ଦାଦାଜୀ କୋଣ୍ଡଦେବ। (ପରବର୍ତ୍ତୀ ସମୟର ଗୁରୁଥିଲେ ରାମଦାସ)। କୋଣ୍ଡଦେବଙ୍କର ନିଷ୍ଠା, ସାଧୁତା ଓ ସଚ୍ଚୋଟ ପଣିଆରେ ଶିବାଜୀଙ୍କ ମାଆ ବୀରାଙ୍ଗନା ଜୀଜାବାଈ ପ୍ରୀତ ଥିଲେ। ମାଆଙ୍କ ନିର୍ଦେଶ କ୍ରମେ ତାଙ୍କୁ ପୁନାର ଜାଗିରି ଭାର ଅର୍ପଣ କରିଥିଲେ। ଜାଗିରି ଇଲାକାରେ ଏକ ବଡ଼ ବଗିଚା ଥିଲା। କୋଣ୍ଡଦେବ ତା’ର ରକ୍ଷଣାବେକ୍ଷଣ କରୁଥିଲେ। ବଗିଚାର ଗୋଟିଏ ପାର୍ଶ୍ବରେ ସୁନ୍ଦର ଫୁଲ ବଗିଚା, ଅପର ପାର୍ଶ୍ବରେ ନାନାଦି ଫଳଗଛ ଥିଲା। ଗ୍ରୀଷ୍ମଋତୁ ଥିଲା, ଅପରାହ୍ଣ ସମୟ। ଆମ୍ବ ବଗିଚାରେ ବୁଲୁଥିବାବେଳେ କୋଣ୍ଡଦେବଙ୍କ ନଜରରେ ପଡ଼ିଥିଲା ପତ୍ରଗହଳରେ ଥିବା ଲାଲ ଟହଟହ ପାଚିଲା ଆମ୍ବ। ଏହାର ଲୋଭ ସମ୍ବରଣ କରି ପାରିନଥିଲେ, ଆମ୍ବ ଛିଡ଼ାଇ ନେଇ ଆସିଥିଲେ। ରାତିରେ ଭୋଜନ ନିମିତ୍ତ ଉପବେଶନ କରିବାକୁ ଯିବା ସମୟରେ ଆମ୍ବଟି ନଜରରେ ପଡ଼ିବାରୁ ଭାବାନ୍ତର ସୃଷ୍ଟି ହୋଇଥିଲା। ମନେ ମନେ ଭାବିଲେ- ମୁଁ ଏହି ବଗିଚାର ରକ୍ଷକ, ମାଲିକ ନୁହେଁ। ବଗିଚା ଉପରେ ଜୀଜାବାଈଙ୍କର ପୂର୍ଣ୍ଣ ଅଧିକାର ରହିଛି। ତାଙ୍କର ବିନା ଅନୁମତିରେ ବଗିଚାରୁ ଫଳ ଆଣିବା ଚୋରି ସହ ସମାନ। ମୋତେ ଏ ନିମନ୍ତେ ଦଣ୍ଡ ମିଳିବା ଉଚିତ।

ଚୋରି କଥା ମନକୁ ଆସିବାରୁ ଗ୍ଲାନିରେ ଭରି ଯାଇଥିଲା କୋଣ୍ଡଦେବଙ୍କ ମନ। ଜଣେ ସିପାହିକୁ ଡାକି କହିଲେ- ମୁଁ ଚୋରି କରିଛି। ଏଇ ଅପରାଧରେ ମୋର ହାତ ଦୁଇଟି କାଟିଦିଅ। ସିପାହି କୋଣ୍ଡଦେବଙ୍କଠାରୁ ଏହା ଶୁଣି ତଟସ୍ଥ ହୋଇଯାଇଥିଲା। ଜୀଜାବାଈଙ୍କ ନିକଟକୁ ଯାଇ ଏହା କହିଥିଲା। ଜୀଜାବାଈ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତତ୍‌କ୍ଷଣାତ୍‌ କୋଣ୍ଡଦେବଙ୍କ ନିକଟକୁ ଯାଇ ସବୁ କଥା ଶୁଣିବା ପରେ ତାଙ୍କ ସଚ୍ଚୋଟ ପଣିଆ ଦେଖି ଖୁସିହୋଇ ନିଜ ନିଷ୍ପତ୍ତି ଶୁଣାଇ କହିଥିଲେ- ‘ଅପରାଧ ନିମିତ୍ତ ଦଣ୍ଡଦେବା ମୋର ବିଚାର ପରିସରଭୁକ୍ତ। ତୁମେ ଏଥିରୁ କ୍ଷାନ୍ତ ହେବା ଉଚିତ।’ କୋଣ୍ଡଦେବ ଜୀଜାବାଈଙ୍କର ନିଷ୍ପତ୍ତି ମାନି ନେଇଥିଲେ ଓ ହାତ କାଟିବା ଭଳି କଠୋର ନିଷ୍ପତ୍ତିରୁ କ୍ଷାନ୍ତ ହୋଇଥିଲେ। ହେଲେ ପ୍ରାୟଶ୍ଚିତ୍ତ ସ୍ବରୂପ ଆପଣା କୁର୍ତ୍ତାର ହାତ ଦୁଇଟି କାଟି ଦେଇଥିଲେ ଏବଂ ସବୁଦିନ ପାଇଁ ହାତ ନଥିବା କୁର୍ତ୍ତା ପରିଧାନ କରିଥିଲେ। କେହି ତାଙ୍କୁ ପଚାରିଲେ ସେ ଚୋରି କଥା କହି ଦିଅନ୍ତି। ସାମାନ୍ୟ ଆମ୍ବଟିଏ ଚୋରି କରି କୋଣ୍ଡଦେବ ସାରାଜୀବନ କଟାହାତ କୁର୍ତ୍ତା ପରିଧାନ କରିଥିଲେ ପ୍ରାୟଶ୍ଚିତ୍ତ ସ୍ବରୂପ। ବାସ୍ତବ ସତ୍ୟ ଏହା ଯେ ଧର୍ମଜ୍ଞାନ ମଣିଷର ବିକୃତ, କଳୁଷିତ ଚିତ୍ତକୁ ପରିଷ୍କାର କରି ସ୍ବଚ୍ଛ ଦର୍ପଣ ସଦୃଶ କରିଦେଇଥାଏ। ଅନୁଚିତ କର୍ମ କରିବାକୁ ସେମାନଙ୍କ ବିବେକ ବାଧା ଦେଇଥାଏ। ସେମାନଙ୍କ ଚରିତ୍ରର ଏହି ମହାନ୍‌ ଦିଗ ହିଁ ସେମାନଙ୍କୁ ଅନ୍ୟମାନଙ୍କଠାରୁ ନିଆରା, ଭିନ୍ନ ପ୍ରତିପାଦିତ କରିଥାଏ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories