www.samajalive.in
Sunday, December 14, 2025
16.1 C
Bhubaneswar

ସମ୍ପାଦକୀୟ; କୋରାପୁଟ କଫି, ଆହୁରି ଅନେକ କିଛି କରିବାକୁ ଅଛି

ଅକ୍ଟୋବର ୨୬ର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ କଫିକୁ ‘ଅତ୍ୟନ୍ତ ସ୍ୱାଦିଷ୍ଟ’ ଏବଂ ‘ଓଡ଼ିଶାର ଗର୍ବ’ ବୋଲି ବର୍ଣ୍ଣନା କରିଛନ୍ତି। କିପରି ଏହି କଫିଚାଷ ମହିଳା, କୃଷକ ଏବଂ ଆଦିବାସୀ ସମୁଦାୟକୁ ସମ୍ମାନ ଓ ସମୃଦ୍ଧି ଦେଇଛି ତାହା ମଧ୍ୟ ସେ କହିଛନ୍ତି। ଏକ ଆଞ୍ଚଳିକ ଉତ୍ପାଦକୁ ଜାତୀୟ ପରିଚୟ ମିଳିବା ନିଶ୍ଚିତଭାବରେ ଉତ୍ସାହଜନକ। ପ୍ରଧାନମନ୍ତ୍ରୀଙ୍କ ଏହି ଉଲ୍ଲେଖ କୋରାପୁଟ କଫି ପାଇଁ ଏକ ଶକ୍ତିଶାଳୀ ବ୍ରାଣ୍ଡ ବିଜ୍ଞାପନ। ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ କୌଣସି ଉତ୍ପାଦର ନାମ କୁହନ୍ତି, କୋଟି କୋଟି ଲୋକ ଶୁଣନ୍ତି। ଏହାଦ୍ୱାରା ଦେଶବିଦେଶର ବଡ଼ ବ୍ୟବସାୟୀଙ୍କ ଧ୍ୟାନ ଆକର୍ଷିତ ହୁଏ। ଏହା ସରକାରଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ଓ ଆତ୍ମନିର୍ଭର ଭାରତ ଅଭିଯାନ ସହ ମଧ୍ୟ ମେଳ ଖାଉଛି। କଫି ଚାଷର ଲାଭ ବହୁମୁଖୀ। ଏହା ନଷ୍ଟ ଜଙ୍ଗଲ ଜମିର ପୁନରୁଦ୍ଧାର କରିଛି, ପାହାଡ଼ିଆ ଅଞ୍ଚଳରେ ମୃତ୍ତିକା କ୍ଷୟ କମାଇଛି। ଆଦିବାସୀ କୃଷକ ଯେଉଁମାନେ ଏତେଦିନ ଜଙ୍ଗଲରୁ ଛୋଟ ଛୋଟ ଜିନିଷ ସଂଗ୍ରହ କରି କିମ୍ବା ଧାନ ଚାଷ କରି କଷ୍ଟରେ ଦିନ କାଟୁଥିଲେ, ସେମାନେ ଏବେ କଫି ବିକ୍ରି କରି ନଗଦ ଟଙ୍କା ରୋଜଗାର କରୁଛନ୍ତି। ବିଶେଷକରି ମହିଳାମାନେ ଆଗକୁ ଆସି ସ୍ୱାବଲମ୍ବୀ ହେଉଛନ୍ତି, ଯାହା ସାମାଜିକ ସଶକ୍ତୀକରଣର ଉଜ୍ଜ୍ୱଳ ଉଦାହରଣ; କିନ୍ତୁ ଏଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି- ଏହି ସଫଳତା କେତେ ସ୍ଥାୟୀ ଏବଂ ବିସ୍ତାରଯୋଗ୍ୟ?

ତଥ୍ୟ କହୁଛି କୋରାପୁଟରେ ପ୍ରାୟ ୧.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଉପଯୁକ୍ତ, କିନ୍ତୁ ବାସ୍ତବରେ କେବଳ ହଜାରେ ହେକ୍ଟରରେ ନିୟମିତ ଚାଷ ହେଉଛି। ଏହାର ଅର୍ଥ ବିରାଟ ସମ୍ଭାବନା ଅଛି, କିନ୍ତୁ ତାହା ବ୍ୟବହାର ହେଉନି। ବିସ୍ତାର ପାଇଁ କେବଳ କୃଷକଙ୍କ ଉତ୍ସାହ ଯଥେଷ୍ଟ ନୁହେଁ। କଫି ମଞ୍ଜି ବା କଫି ବିନ୍ ଯେମିତି ସହଜରେ ପ୍ରକ୍ରିୟାକରଣ ହୋଇ ବଜାରରେ ପହଞ୍ଚିବ ସେକଥା ଦେଖିବା ପ୍ରଥମ କଥା। ଏହା ବ୍ୟତୀତ କଫି ନଷ୍ଟ ନହେବା ଲାଗି ଭଣ୍ଡାର ବ୍ୟବସ୍ଥାର ଆବଶ୍ୟକତା ରହିଛି। ଅନୁରୂପ ଭାବରେ ଦିଲ୍ଲୀ, ମୁମ୍ବଇ କିମ୍ବା ବିଦେଶର ବଡ଼ ବଡ଼ ବଜାରରେ ପହଞ୍ଚିବାର ବ୍ୟବସ୍ଥା କରାଯିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ।

- Advertisement -

ସୂଚନାଯୋଗ୍ୟ ସମଗ୍ର ଭାରତୀୟ କଫି ଶିଳ୍ପ ଜଳବାୟୁ ପରିବର୍ତ୍ତନ, ଗୁଣବତ୍ତା ଅସଙ୍ଗତି ଏବଂ ବିଶ୍ୱ ବଜାରରେ ବ୍ରାଜିଲ, କଲମ୍ବିଆ, ଇଥିଓପିଆ ଭଳି ଦେଶଙ୍କ ସହ କଠିନ ପ୍ରତିଯୋଗିତା ସାମ୍ନା କରୁଛି। ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଥର ଉଲ୍ଲେଖ ଏସବୁ ସମସ୍ୟାର ସମାଧାନ ନୁହେଁ। ଦରକାର ଗଭୀର ସଂସ୍କାର; ଯେମିତିକି କୃଷକଙ୍କୁ ଟେକ୍ନିକାଲ୍ ଟ୍ରେନିଂ, ଉନ୍ନତ ବିହନ, ସହଜ ଋଣ ସୁବିଧା, ରପ୍ତାନି ସହଜୀକରଣ ଏବଂ ମୂଲ୍ୟ ସଂଯୋଜନ। କେବଳ କଞ୍ଚା କଫି ବିନ୍ ବିକ୍ରି ନୁହେଁ, ଭାରତରେ ପ୍ରକ୍ରିୟାକରଣ କରି କଫି ପାଉଡର, ଇନଷ୍ଟାଣ୍ଟ କଫି, ବ୍ରାଣ୍ଡେଡ୍ ପ୍ୟାକେଟ୍ ବିକ୍ରି କଲେ ଅଧିକ ଲାଭ ମିଳିବ। ଏ ଦିଗରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ପକ୍ଷରୁ କୋରାପୁଟ କଫିର ଜିଆଇ ଟ୍ୟାଗ୍ (ଭୌଗୋଳିକ ସୂଚକ) ପାଇଁ ଆବେଦନ କରାଯିବା ଦରକାର, ଯେପରି ଦାର୍ଜିଲିଂ ଚା’ ଭଳି ଏହାର ମଧ୍ୟ ସ୍ୱତନ୍ତ୍ର ପରିଚୟ ମିଳିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କୋରାପୁଟ ଅନୁସୂଚିତ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଜମି ଅଧିକାର ସୁରକ୍ଷିତ ରଖିବା, ଜଙ୍ଗଲ ନଷ୍ଟ ନହେବା ଏବଂ ବିସ୍ଥାପନ ରୋକିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ। ଏହାହେଲେ କୋରାପୁଟ କଫିର ଏକ ସ୍ଥାୟୀ ବିକାଶ ହୋଇପାରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories