ସୋମବାର ପୃଥିବୀରେ ପଡିବ ଚୀନର ଅକାମୀ ଉପଗ୍ରହ!

0

ୱାଶିଂଟନ : ଚୀନର ଅକାମୀ ମହାକାଶ ଷ୍ଟେସନ୍‌ ଉପଗ୍ରହ ଟିଆଙ୍ଗୋଙ୍ଗ-୧ ସୋମବାର ପୃଥିବୀ ସଲଗ୍ନ ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ଏହାକୁ ନିରୀକ୍ଷଣ କରୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଦକ୍ଷିଣ କୋରିଆ ନ୍ୟୁଜ୍‌ ଏଜେନ୍ସି ଯୋନହାପ ଅନୁସାରେ ସୋମବାର ସକାଳ ୭ଟା ୨୬ରୁ ଅପରାହ୍ନ ୩ଟା ୨୬ ମଧ୍ୟରେ ଚୀନର ନିୟନ୍ତ୍ରଣ ବିହୀନ ଉପଗ୍ରହ ଟିଆଙ୍ଗୋଙ୍ଗ-୧ ବାୟୁମଣ୍ଡଳରେ ପ୍ରବେଶ କରିବ । ଏହା କେଉଁଠି ଓ କେତେକବଳ ପଡ଼ିବ ତାହା ସଠିକ୍‌ ଭାବେ ଆକଳନ କରାଯାଇପାରି ନାହିଁ ବୋଲି ଚୀନ ମହାକାଶ ସଂସ୍ଥା ରବିବାର ସୂଚନା ଦେଇଛି । ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହା କେଉଁ ଆଡେ ମୁହାଁଇବ, ତାହା କହିବା କଷ୍ଟକର ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହି ଉପଗ୍ରହ ଜଳିବା ଆରମ୍ଭ କରିବ । ବାୟୁ ମଣ୍ଡଳ ସହ ଘର୍ଷଣରେ ଉପଗ୍ରହର ଅଧାରୁ ଅଧିକ ଜଳି ନଷ୍ଟ ହୋଇଯିବ । ଏହା ପରେ ବି ଉପଗ୍ରହର ପ୍ରାୟ ୧୦ରୁ ୪୦% ଭଗ୍ନାବଶେଷ ପୃଥିବୀରେ ପଡ଼ିବ ବୋଲି ଅନୁମାନ କରାଯାଉଛି । ଆଗରୁ ଏହା ୪୩ ଅକ୍ଷାଂଶ ରେଖା ମଧ୍ୟରେ ଆସୁଥିବା ନ୍ୟୁୟର୍କ, ବାର୍ସିଲୋନା, ଚିକାଗୋ, ଇସ୍ତାନବୁଲ, ରୋମ, ବର୍ଲିନ  କିମ୍ବା ଟୋରୋଣ୍ଟୋରେ ପଡ଼ିବ ବୋଲି ମହାକାଶ ବିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରିଥିଲେ । ଏବେ ବୈଜ୍ଞାନିକମାନେ କହିଛନ୍ତି ଯେ ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଉପଗ୍ରହର ସ୍ଥାନ ଓ ଗତିରେ ପରିବର୍ତ୍ତନ ହେବ, ତେଣୁ ଏହା କେଉଁଠି ପଡ଼ିବ ତାହା କହିହେବ ନାହିଁ । ଏହି ଉପଗ୍ରହର ଓଜନ ସାଢେ ୮ଟନ । ୨୦୧୬ରେ ଟିଆଙ୍ଗୋଙ୍ଗ-୧ ଉପଗ୍ରହ ଅକାମୀ ହୋଇଯାଇଥିଲା । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଏହାପରଠାରୁ ମହାକାଶରେ ଏହା ଘୁରି ବୁଲିଥିଲା । ଏବେ ଶକ୍ତି ହରାଇ ଏହା ପୃଥିବୀ ଆଡକୁ ଖସିବାରେ ଲାଗିଛି । ୨୦୧୭ ଡିସେମ୍ବରରୁ ଟିଆଙ୍ଗୋଙ୍ଗ-୧ ଘଣ୍ଟା ପିଛା ୨୮୯ରୁ ୨୮୧ କିଲୋମିଟର ବେଗରେ ତଳକୁ ଖସୁଛି । ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହାର ବେଗରେ ପରିବର୍ତ୍ତନ ଘଟିବ ।

ଏହା ପୂର୍ବରୁ ୨୦୦୧ ମାର୍ଚ୍ଚ ୨୩ରେ ସୋଭିଏତ ଋଷର ମିର ଷ୍ଟେସନ୍‌ ନାମକ ଏକ ଉପଗ୍ରହ ନିୟନ୍ତ୍ରଣ ହରାଇ ଖସିପଡିଥିଲା । ଏହା ମାର୍ଚ୍ଚ ୨୩ରେ ନ୍ୟୁଜିଲାଣ୍ଡ ଏବଂ ଚିଲି ମଝିରେ ପ୍ରଶାନ୍ତ ମହାସାଗରରେ ପଡିଥିଲା । ଏହି ଉପଗ୍ରହକୁ ୧୯୮୬ରେ ମହାକାଶକୁ ପଠାଯାଇଥିଲା ।
ସେହିପରି ସୋଭିଏତ ଋଷର ଆଉ ଏକ ଉପଗ୍ରହ ସାଲ୍ୟୁଟ-୭ ୧୯୯୧ ଫେବୃଆରୀ ୭ରେ ପୃଥିବୀରେ ଖସିପଡିଥିଲା । ୪୦ ଟନ ବିଶିଷ୍ଟ ଏହି ଉପଗ୍ରହର ଅଧିକାଂଶ ଅଂଶ ବାୟୁ ମଣ୍ଡଳରେ ଜଳିଯିବା ପରେ କିଛି ଭଗ୍ନାବଶେଷ ଆର୍ଜେଣ୍ଟିନାରେ ପଡିଥିଲା । ୧୯୮୨ରେ ଏହି ଉପଗ୍ରହକୁ ମହାକାଶକୁ ପଠାଯାଇଥିଲା ।
ଅନୁରୂପ ଭାବେ ୧୯୭୯ ଜୁଲାଇ ୧୧ରେ ଆମେରିକାର ପ୍ରଥମ ମହାକାଶ ଷ୍ଟେସନ୍‌ ଉପଗ୍ରହ ସ୍କାଇଲ୍ୟାବ ଅକାମୀ ହୋଇ ପୃଥିବୀ ପୃଷ୍ଠର ଅଷ୍ଟ୍ରେଲିଆର ପାର୍ବତ୍ୟାଞ୍ଚଳ ଉପରେ ଖସିପଡିଥିଲା । ୮୫ ଟନ ବିଶିଷ୍ଟ ଏହି ଉପଗ୍ରହକୁୁ ୧୯୭୩ରେ ମହାକାଶକୁ ପଠାଯାଇଥିଲା।

Leave A Reply