ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ, ମୋହନଙ୍କୁ ଛୁଟିଛି ଶୁଭେଛାର ସୁଅ

ଜିଲାବ୍ୟାପୀ ଖୁସିର ମାହୋଲ, ବିଜୟ ଉତ୍ସବ ମନାଇଲେ କେନ୍ଦୁଝରବାସୀ

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ବିଧାୟକ ଦଳ ବୈଠକ ପରେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଘୋଷଣା ପରେ କେନ୍ଦୁଝର ଜିଲାବ୍ୟାପୀ ଖୁସର ଲହରୀ ଖେଳିଯାଇଛି। ବିଶେଷକରି ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ଶ୍ରୀ ମାଝୀଙ୍କ ଭଳି ଜଣେ ଆଦିବାସୀ ଯୁବ ଚେହେରାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଦଳମତ ନିର୍ବିଶଷରେ ଜିଲାବ୍ୟାପୀ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଶ୍ରୀ ମାଝୀଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ବେଳେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି ନେତା ଓ କର୍ମୀ ବାଣଫୁଟାଇ ପରଷ୍ପର ମଧ୍ୟରେ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ।

ସଦର ବ୍ଲକ ରାଇକଳା ଗ୍ରାମର ଏକ ଗରୀବ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମାଝୀ ଆନନ୍ଦପୁର ମହାବିଦ୍ୟାଳୟରୁ ସ୍ନାତ୍ତକ ଶିକ୍ଷା ସମାପ୍ତି ପରେ ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟ ଭାବେ ଯୋଗ ଦେଇଥିଲେ। ୧୯୯୭ରେ ସଦର ବ୍ଲକ ରାଇକଳା ପଞ୍ଚାୟତ ସରପଞ୍ଚ ଭାବେ ମୋହନ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସରପଞ୍ଚ ଥିବା ସମୟରେ ସେ ୨୦୦୦ରେ ବିଜେଡି-ବିଜେପି ମେଣ୍ଟ ସମୟରେ ପ୍ରଥମେ କେନ୍ଦୁଝର ସଦର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ବିଧାନସଭାରେ ପାଦ ଥାପିବା ପରଠାରୁ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୪ରେ ପୁଣିଥରେ ବିଜେଡି-ବିଜେପି ମେଣ୍ଟର ଦ୍ୱିତୀୟପାଳିରେ ମଧ୍ୟ ବିଜପି ପ୍ରାର୍ଥୀ ହୋଇ ଦ୍ୱିତୀୟଥର ପାଇଁ ବିଧାନସଭାକୁ ଯିବା ସହ ଶାସକ ଦଳ ଉପମୁଖ୍ୟ ସଚେତକ ଭଳି ଗୁରୁଦାୟିତ୍ୱ ନିର୍ବାହ କରି ରାଜ୍ୟ ନେତା ଭାବେ ନିଜକୁ ପ୍ରତିପାଦିତ କରିବାରେ ସକ୍ଷମ ହୋଇଥିଲେ।

prayash

ଏହାପରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଶ୍ରୀ ମାଝୀ ୨୦୦୯ ଓ ୨୦୧୪ରେ କେନ୍ଦୁଝର ସଦର ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଲଗାତାର ଦୁଇଥର ପରାଜୟର ସାମ୍ନା କରିଥିଲେ। ତେବେ ଶ୍ରୀ ମାଝୀ ୨୦୧୯ରେ ତୃତୀୟଥର ପାଇଁ କେନ୍ଦୁଝର ବିଧାନସଭା ଆସନରୁ ବିଜେପି ବିଧାୟକ ଭାବେ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବାସହ ବିରୋଧି ଦଳ ମୁଖ୍ୟ ସଚେତକ ସମେତ ପବ୍ଲିକ୍‌‌ ଆକାଉଣ୍ଟସ୍‌‌ କମିଟି ଅଧ୍ୟକ୍ଷ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ବିଧାନସଭା ଭିତରେ ଓ ବାହାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିକୁ ଘେରି ଚର୍ଚ୍ଚାର ପରିସରକୁ ଆସିଥିଲେ।

ବିଶେଷକରି ଜିଲାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳିକ ସମସ୍ୟା ସମ୍ପର୍କରେ ଶ୍ରୀ ମାଝୀ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାନସଭାରେ ସ୍ୱରକୁ ଶାଣୀତ କରିଥିଲେ ହେଁ ସେହି ସମୟର ବିଜେଡି ସରକାର ଶ୍ରୀ ମାଝୀଙ୍କ ଦାବିକୁ ଚପାଇ ଦେବାରେ ସକ୍ଷମ ହୋଇଥିଲେ ହେଁ ଶ୍ରୀ ମାଝୀ ତାଙ୍କର ଲଢ଼େଇ ଜାରି ରଖିଥିଲେ। ଏପରିକି ତତ୍‌‌କାଳୀନ ଜିଲାପାଳ ଆଶିଷ ଠାକରେ ଜିଲା ଖଣିଜ ପାଣ୍ଠି (ଡିଏମଏଫ୍‌‌)କୁ ହାତପାଣ୍ଠି ଭାବେ ବ୍ୟବହାର କରିବା ନେଇ ଡିଏମ୍‌‌ଏଫ୍‌‌ ବୈଠକରେ ଶ୍ରୀ ମାଝୀ ତୀବ୍ର ବିରୋଧ କରି ଆସୁଥିଲେ। ତେବେ ଶ୍ରୀ ମାଝୀ ଡିଏମଏଫ୍‌‌ କମିଟିରେ ବିଜେପିର ଏକମାତ୍ର ସଦସ୍ୟ ହୋଇଥିବାରୁ ତାଙ୍କ ଅଭିଯୋଗକୁ ଜିଲା ପ୍ରଶାସନ ସାମାନ୍ୟ କର୍ଣ୍ଣପାତ ନକରିବା ନେଇ ସେ ବହୁବାର ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇବା ସହ ଡିଏମଏଫ୍‌‌ ପାଣ୍ଠି ଦୁରୁପଯୋଗର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଆସୁଥିଲେ।

ଚଳିତ ନିର୍ବାଚନରେ ଶ୍ରୀ ମାଝୀ କେନ୍ଦୁଝର ସଦର ଆସନରୁ ବିଜୟୀ ହୋଇ ଚତୁର୍ଥଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଦଳ ତାଙ୍କ ଭଳି ଜଣେ ଅଭିଜ୍ଞ ଓ ଦକ୍ଷ ନେତୃତ୍ୱ ନେଇ ଆସୁଥିବା ଆଦିବାସୀ ଯୁବନେତାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଜିଲାବାସୀ ଶ୍ରୀ ମାଝୀଙ୍କ ଠାରୁ ଅନେକ କିଛି ଆଶା ରଖିଛନ୍ତି। ବିଶେଷକରି ଶ୍ରୀ ମାଝୀଙ୍କ ମୁଖ୍ୟମନ୍ତ୍ରୀ ଶାସନ କାଳରେ ଖଣି ବହୁଳ କେନ୍ଦୁଝର ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠାକୁ ପୁରଣ କରିବା ସହ କୃଷିକ୍ଷେତ୍ରରେ ସବୁଜ ବିପ୍ଳବ ଆଣିବାକୁ ହେଲେ ୪୦ବର୍ଷରୁ ଉଦ୍ଧ୍ୱର୍ ସମୟଧରି ନିର୍ମାଣାଧିନ କାନପୁର ବୃହତ୍‌‌ ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ ନେଇ ଜିଲାବାସୀ ବେଶ୍‌‌ ଆଶାବାଦୀ ଅଛନ୍ତି।

Comments are closed.