ସୀମାରେ ଗୁଳି ବିନିମୟ ଜାରି, ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୮ ଯବାନ ନିହତ
ନୂଆଦିଲ୍ଲୀ : ପାକିସ୍ତାନ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୋମବାରଠାରୁ ଶାହପୁର, ପୁଖାର୍ନି, ନୌସେରା, ପୁଞ୍ଚ, ମନକୋଟ ଏବଂ କ୍ରିଷ୍ଣାଘାଟି ସୀମାରେ ପ୍ରବଳ ଗୁଳି ଗୋଳା ବର୍ଷଣ ଜାରି ରଖିଛି। ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳି ଗୋଳା ବିନିମୟ କରାଯାଇଛି। ପ୍ରାୟ ୨୪ ଘଣ୍ଟା ହେବ ଏହି ଗୁଳି ଗୋଳା ବିନିମୟ ଜାରି ରହିଛି। ଭାରତୀୟ ସେନା ଜବାବୀ କାର୍ଯ୍ୟାନୁଷ୍ଠାନରେ ମଙ୍ଗଳବାର ପାକିସ୍ତାନ ସେନାର ୮ ଯବାନ ନିହତ ହୋଇଛନ୍ତି। ଏହାସହ ପାକିସ୍ତାନର ୭ଟି ସେନା ଶିବିର ନଷ୍ଟ ହୋଇଯାଇଛି। ସୋମବାର ପାକିସ୍ତାନ ପକ୍ଷରୁ ପୁଞ୍ଚ, ଶାହପୁର, କସ୍ବା, ମାଲ୍ଟି, ଦିଗୱାର ଏବଂ ମନକୋଟ ସେକ୍ଟରରେ ପ୍ରବଳ ଗୁଳି ମାଡ଼ କରାଯାଇଥିଲା। ଏଥିରେ ଜଣେ ବିଏସ୍ଏଫ ଇନସ୍ପେକ୍ଟର ସହିଦ ହୋଇଥିଲା ବେଳେ ଜଣେ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାବାଦ ୫ ସୁରକ୍ଷା କର୍ମୀ ଏବଂ ୧୯ ସାଧାରଣ ଲୋକ ଏଥିରେ ଆହତ ହୋଇଛନ୍ତି। ଗୁଳି ଗୋଳା ବର୍ଷଣକୁ ନେଇ ସୀମାନ୍ତ ଗ୍ରାମଗୁଡ଼ିକରେ ଆତଙ୍କବର ବାତାବରଣ ସୃଷ୍ଟି ହୋଇଛି। ପାକିସ୍ତାନ ସେନା ସୋମବାର ସକାଳ ୭ଟାରୁ ଗୁଳି ମାଡ଼ ଜାରି ରଖିଛି।
Comments are closed.