୬୦ ହଜାର ଟଙ୍କିଆ ବୁଲେଟ୍, ଲିଟରେକୁ ୯୦ କିଲୋମିଟର
ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡର ଦମଦାର ବାଇକ୍ ବୁଲେଟ୍ ଚଢି ବୁଲିବାକୁ ସମସ୍ତେ ପସନ୍ଦ କରନ୍ତି। ଦେଶର କୋଣ ଅନୁକୋଣରେ ବୁଲେଟ୍ର ଏକ କ୍ରେଜ୍ ରହିଛି। ତେବେ ଅଧିକା ମୂଲ୍ୟ ଓ କମ୍ ମାଇଲେଜ ପାଇଁ ଲୋକେ ବୁଲେଟ୍ କିଣିବାକୁ ସଂକୋଚ ବୋଧ କରନ୍ତି ଓ ବୁଲେଟ ଚଢିବା କେବଳ ଏକ ସ୍ୱପ୍ନ ହୋଇ ରହିଯାଏ। ହେଲେ ଏବେ ରୟାଲ ଇଣ୍ଡିଆନ ନାମକ ଏକ ବାଇକ୍ କମ୍ପାନୀ ଏକ ନୂଆ ବୁଲେଟ୍ ବଜାରକୁ ଛାଡ଼ିଛି। ଏହି ବୁଲେଟ୍ର ଦାମ ବହୁତ କମ୍ ଥିବାବେଳେ ମାଇଲେଜ ବି ବହୁତ ଭଲ ରହିଛି। ଏହି ନୂଆ ବୁଲେଟ୍ ଲୋକଙ୍କ ସ୍ୱପ୍ନକୁ ସାକାର କରିବ ଏବଂ ବଜାରରେ ଚହଳ ମଚାଇବ ବୋଲି ବାଇକ୍ ବ୍ୟବସାୟୀମାନେ ଆଶା ବ୍ୟକ୍ତ କରିଛନ୍ତି। ରୟାଲ ଇଣ୍ଡିଆନ ନାମକ ଏହି କମ୍ପାନୀର ନୂଆ ବୁଲେଟ୍ ଦାମ ୬୦ରୁ ୭୦ ହଜାର ଟଙ୍କା ମଧ୍ୟରେ ରହିଛି। ରୟାଲ ଏନଫିଲ୍ଡ ବୁଲେଟ୍ ଭଳି ଦେଖାଯାଉଥିବା ରୟାଲ ଇଣ୍ଡିଆନର ଏହି ବୁଲେଟ୍ ଏକ ଲିଟର ପେଟ୍ରୋଲରେ ୯୦ କିଲୋମିଟର ଦୌଡ଼ିବ। ଏହି ବୁଲେଟ୍ର ନାମ ଅଛି ‘ବୋଲ୍ଟ’ ଓ ଏହାର ଇଞ୍ଜିନ୍ ୧୦୦ ସିସିର। ବାଇକ୍ର ଆବାଜ ଏବଂ ଡିଜାଇନ୍ ଦେଖିବାକୁ ବିଲକୁଲ୍ ରୟାଲ ଏନଫିଲ୍ଡ ବୁଲେଟ୍ ଭଳି। ଏହି ବାଇକ୍ ନିର୍ମାଣକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିଛି।