ବୌଦ୍ଧରେ ତ୍ରିମୁଖୀ ଲଢ଼େଇ ପାଇଁ ପ୍ରଚାର ଜୋରଦାର, କମ୍ପୁଛି ଗାଁରୁ ସହର

ବୌଦ୍ଧ: ବୌଦ୍ଧରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଅଛି। ତିନି ଜଳର ପ୍ରାର୍ଥୀ ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ଭୋଟରମାନଙ୍କ ଦ୍ୱାର ଦ୍ୱାର ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡରେ ବ୍ୟସ୍ତ ରହିଛନ୍ତି। ଏଥର ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ସ୍ପଷ୍ଟ ହୋଇସାରିଥିବାବେଳେ, ଏଥର ଭୋଟର କିନ୍ତୁ ଅଧିକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି। ଭୋଟରମାନେ ପ୍ରାର୍ଥୀଙ୍କ ଯୋଗ୍ୟତା, ଅଞ୍ଚଳରେ ହୋଇଥିବା ବିକାଶ କାର୍ଯ୍ୟ, ହୋଇପାରିନଥିବା କାର୍ଯ୍ୟ, ଗ୍ରାମର ସମସ୍ୟା, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ବିଫଳତା ନେଇ ପ୍ରାର୍ଥୀମାନଙ୍କ ସହିତ ସିଧାସଳଖ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

ଭୋଟ ଭିକ୍ଷା ପାଇଁ ଯାଉଥିବା ପ୍ରାର୍ଥୀ କିମ୍ବା ତାଙ୍କର ସମର୍ଥକ ସରପଞ୍ଚ,ସମିତି ସଦସ୍ୟଙ୍କୁ ଗ୍ରାମର ସମସ୍ୟା ସମାଧାନ କେବେ ହେବ ବୋଲି ସିଧାସଳଖ ପଚାରୁଛନ୍ତି। ଯଦିଓ ଭୋଟବେଳେ ଅର୍ଥ ନେଣଦେଣ ଏକ ସାଧାରଣ ଘଟଣା ହୋଇସାରିଲାଣି, ଏଥର କିନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ବୌଦ୍ଧରେ ଭୋଟରଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ସାଧାରଣରେ ଆଲୋଚନା ହେଉଅଛି। ସହରାଞ୍ଚଳର ଭୋଟରମାନେ ଅଧିକ ସଚେତନ ସହିତ କୌଣସି ପ୍ରାର୍ଥୀଙ୍କ ସପକ୍ଷ କି ବିପକ୍ଷରେ ସିଧସାଳଖ ପାଟି ଖୋଲୁନଥିବାବେଳେ ପ୍ରାର୍ଥୀମାନେ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରୁଥିବା ଦେଖିବାକୁ ମିଳିଛି।

ବିଜେଡି ପ୍ରାର୍ଥୀ ଭାବରେ ଏଠାରୁ ଲଗାତାର ପାଞ୍ଚଥର ବିଜୟୀ ହୋଇ ରାଜ୍ୟ ଶାସନରେ ଅନେକ ପ୍ରମୁଖ ପଦ ପଦବୀରେ ରହିଥିବା ବରିଷ୍ଠ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଥିବାବେଳେ ସେ ନିଜ ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ଓ ରଣ କୌଶଳରେ ବିରୋଧୀଙ୍କୁ ମାତ ଦେଇ ବିଜୟର ଡବଲ ହାଟ୍ରିକ ଲଗାଇବା ପାଇଁ ଦିନ ରାତି ଏକ କରି ନିର୍ବାଚନ ମଇଦାନରେ ବ୍ୟସ୍ତ ରହିଛନ୍ତି। ସେ

prayash

ହିପରି ପ୍ରମୁଖ ବିରୋଧୀ ଦଳ ବିଜେପି ଏଠାରେ ଯୁବଚେହେରା ହରଭଙ୍ଗା ବ୍ଲକର ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସରୋଜଙ୍କ ଭାଇ ସୁଶାନ୍ତ କୁମାର ପ୍ରଧାନ ୨୦୧୪ ରେ କଂଗ୍ରେସ ପ୍ରାର୍ଥୀ ଓ ୨୦୧୯ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇ ମନ୍ତ୍ରୀ ଶ୍ରୀଅମାତଙ୍କୁ କଡା ଟକ୍କର ଦେଇଥିବାବେଳେ ପୂର୍ବ ଅଭିଜ୍ଞତା ଆଧାରରେ ଏଥର ନିର୍ବାଚନରେ ସେ ସାନ ଭାଇକୁ ବିଜୟ ମୁକୁଟ ପିନ୍ଧାଇବାକୁ ରଣନୀତି ପ୍ରସ୍ତୁତ କରି ବିଜେପି ପକ୍ଷରୁ ମୋର୍ଚ୍ଚା ସମ୍ଭାଳିଛନ୍ତି। ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଆସନ ନିଜ କବଜାରେ ରଖିବା ସହିତ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ବିଜେଡି ଛାଡି ବିଜେପିରେ ସାମିଲ ହେବା ଏଥର ନିର୍ବାଚନରେ ବିଜେପି ପ୍ରାର୍ଥୀ ସରୋଜଙ୍କ ପାଇଁ ସମ୍ଭାବନା ସୃଷ୍ଟି କରିଛି। ଏଥିସହିତ ପ୍ରାଧାନମନ୍ତ୍ରୀ ମୋଦୀ ହାୱା ଯୁବ ପିଢିର ଭୋଟରଙ୍କୁ ଅଧିକ ଆକର୍ଷିତ କରୁଥିବାବେଳେ ଏହା ତାଙ୍କୁ ସଫଳ କରାଇବ ବୋଲି ଆଶାବାଦୀ ଅଛନ୍ତି।

ସେହିପରି ନିଜର ଆମାୟିକ ବ୍ୟବହାର ଓ ଜଣେ ଦକ୍ଷ ଆଇନଜିବୀ ଭାବରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ଛବି ସୃଷ୍ଟି କରିବାରେ ସଫଳ ହୋଇଥିବା କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ଲଢୁଆ ରଣନୀତି ସହିତ ଏଥର ନିର୍ବାଚନରେ ଫୋକସରେ ରହିଛନ୍ତି। ତାଙ୍କର ନିର୍ବାଚନ ପ୍ରଚାର ଶୈଳୀ ଜିଲାରେ ଚର୍ଚ୍ଚାରେ ରହିଥିବାବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଏଥର ନିର୍ବାଚନରେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଲୋଚନା ହେଉଅଛି। ବିଜେଡି ଓ ବିଜେପିି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ହାର ଉପରେ ନିଜର ଜୟ ପରାଜୟ ନେଇ ଆକଳନ କରୁଥିବାବେଳେ ଶ୍ରୀମିଶ୍ର ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି।

ଲୋକଙ୍କ ବିଶ୍ୱାସ ତାଙ୍କୁ ବିଜୟି କରାଇବ ବୋଲି ଦୃଢ ବିଶ୍ୱାସ ନେଇ ଶ୍ରୀମିଶ୍ର ଏଥର ନିର୍ବାଚନ ମଇଦାନରେ ଉଭୟ ଦଳକୁ କଡା ଟକ୍କର ଦେଉଛନ୍ତି। ଏସବୁ ମଧ୍ୟରେ ବୌଦ୍ଧର ଲୋକ ଶାନ୍ତିପ୍ରିୟ। ବିକାଶ ସହିତ ଶାନ୍ତି ସଂସ୍କୃତି ସଂପର୍ଣ୍ଣ ଏହି ଜିଲାର ପରିଚୟ। ତେଣୁ ଭୋଟର ଜନାର୍ଦ୍ଦନ ନିଜ ଅଞ୍ଚଳର ବିକାଶ ପାଇଁ କାହାକୁ ନିଜର ନେତା ଭାବରେ ନିର୍ବାଚିତ କରିବେ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢିବାରେ ଲାଗିଛି।

Comments are closed.