ଦୁର୍ଘଟଣା ଆଳରେ ହତ୍ୟା ଉଦ୍ୟମ ଘଟଣାର ରହସ୍ୟ ଉନ୍ମୋଚନ ; ‘ଚିତ୍ତରଞ୍ଜନ ହିଁ ମୁଖ୍ୟ ଖଳନାୟକ’

ଜୀବନରୁ ମାରି ଦେବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ଡ୍ରାଇଭର ସିଟ୍‌ରେ ଥିଲା ନିଜେ ମୁଖ୍ୟ ଅଭିଯୁକ୍ତ, ପ୍ରମାଣ ନଷ୍ଟ ପାଇଁ ହୋଇଥିଲା ସବୁପ୍ରକାର ଉଦ୍ୟମ

ବଲାଙ୍ଗିର : ଶନିବାର ପୂର୍ବାହ୍ଣରେ ବଲାଙ୍ଗିର ଆର୍‍ଟିଓ କାର୍ଯ୍ୟାଳୟ ଛକରେ ଏକାଧିକ ଦୁର୍ଘଟଣା ଘଟିଥିଲା। ତେବେ ତଦନ୍ତ ବେଳେ ଦୁର୍ଘଟଣା ଆଳରେ ହତ୍ୟା ଉଦ୍ୟମ କରାଯାଇଥିବା ପୁଲିସ ଜାଣିବାକୁ ପାଇଛି। ଏପରିକି ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ପୂର୍ବ ପ୍ରସ୍ତୁତି ହୋଇଥିଲା। କିନ୍ତୁ ସବୁ ପ୍ରସ୍ତୁତି ଓ ଷଡଯନ୍ତ୍ର ବିଫଳ ହୋଇଗଲା ଏବଂ ଏହି ହତ୍ୟା ଷଡଯନ୍ତ୍ରର ମୁଖ୍ୟ ଖଳନାୟକ ଚିତ୍ତରଞ୍ଜନ ମହାନ୍ତି ବୋଲି ସୋମବାର ଏସ୍‍ପି ନିତିନ କୁଶଲକର ସୂଚନା ଦେଇଛନ୍ତି।

ଏସ୍‍ପି ନିତିନ କୁଶଲକର

ଆର୍‍ଟିଓ କାର୍ୟ୍ୟାଳୟରୁ ଟିଟିଲାଗଡ଼ ପଟକୁ ୧୦୦ ମିଟର୍‍ ଦୂରରେ ରାସ୍ତାକଡ଼ରେ ମୁଖ୍ୟ ଅଭିଯୁକ୍ତ ଚିତ୍ତର ଘର ରହିଛି। ଅନ୍ୟପଟେ ଶିଳ୍ପାଞ୍ଚଳ ତନଖି ଫାଟକ ନିକଟରେ ଜୁସ୍‍ ଦୋକାନୀ ରବୀନ୍ଦ୍ର ନାଏକଙ୍କ ଘର ଓ ଦୋକାନ ରହିଛି। ଶ୍ରୀ ନାଏକଙ୍କ ଘର ନିକଟରେ ଚିତ୍ତର ଏକ ମଣ୍ଡପ ରହିଥିବା ବେଳେ ମଣ୍ଡପ ପାଇଁ ଅଧିକ ଜମି ଆବଶ୍ୟକ ହେଉଥିବାରୁ ଶ୍ରୀ ନାଏକଙ୍କୁ ଜମି ବିକ୍ରି ପାଇଁ ଚିତ୍ତ କହୁଥିଲା ା କିନ୍ତୁ ଶ୍ରୀ ନାଏକଙ୍କ ବଡପୁଅ ଭୁବନ ଓ ମଝିଆ ପୁଅ ସାନୁ ଜମିବିକ୍ରି ସପକ୍ଷରେ ନ ଥିଲେ। ତେଣୁ ସେମାନଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ରହିଥିଲା ା ସପ୍ତାହେ ପୂର୍ବରୁ ଆର୍‍ଟିଓ କାର୍ୟ୍ୟାଳୟ ଛକରେ ରବୀନ୍ଦ୍ରଙ୍କ ବଡପୁଅ ଭୁବନଙ୍କୁ ରାତିରେ ଏକ ଗାଡି ଧକ୍କାଦେଇ ଫେରାର ହୋଇଯାଇଥିଲା। ଗୋଡ ଭାଙ୍ଗିଥିବାରୁ ଭୁବନ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ। ପୁଣି ଗତ ଶନିବାର ଶ୍ରୀ ନାଏକଙ୍କ ମଝିଆ ପୁଅ ସାନୁଙ୍କୁ ଥାନାରୁ ଫୋନ୍‍ ଆସିବାରୁ ତାଙ୍କ ଦୋକାନରେ କାମ କରୁଥିବା କର୍ମଚାରୀ ବରଗଡ଼ର ଶ୍ରୀକାନ୍ତ ବାଗଙ୍କୁ ବସାଇ ସାନୁ ଥାନାକୁ ଯାଉଥିଲେ ା ପରିବହନ ବିଭାଗ ପକ୍ଷରୁ ଅନ୍‍ଫିଟ୍‍ ଦର୍ଶାଯାଉଥିବା ନୀଳରଙ୍ଗର ମିନି ଟ୍ରକଟି ଚିତ୍ତଙ୍କ ଘର ସମ୍ମୁଖରେ ଥିଲା। ସାନୁ ଓ ଶ୍ରୀକାନ୍ତ ଘରୁ ବାଇକରେ ବାହାରିବା ପରେ ତାଙ୍କ ପଛେ ପଛେ ମିନିଟ୍ରକ ଆସି ଆର୍‍ଟିଓ କାର୍ଯ୍ୟାଳୟ ଛକରେ ଧକ୍କା ଦେଇ ଫେରାର ହେବାକୁ ଚେଷ୍ଟା କରୁଥିଲା। କିନ୍ତୁ ସମ୍ମୁଖରେ ଗହମ ବୋଝେଇ ଟ୍ରକ ସହ ଧକ୍କାହୋଇ ମିନିଟ୍ରକଟି ରହି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀ ଏହାକୁ ଦୁର୍ଘଟଣା ବୋଲି ଭାବୁଥିବା ବେଳେ ମିନିଟ୍ରକର ନମ୍ବର ପ୍ଲେଟରେ କାଳି ବୋଳା ଯାଇଥିବାରୁ ଏଥିରେ ପ୍ରମାଣନଷ୍ଟ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଇଥିଲା। ଦୁର୍ଘଟଣା ପରେ କିଛିଲୋକ ଠେଙ୍ଗାବାଡି ଧରି ମିନିଟ୍ରକ ଚାଳକଙ୍କୁ ଆକ୍ରମଣ କରିବାକୁ ଯାଇଥିବା ବେଳେ ଚିତ୍ତଙ୍କୁ ଗାଡି ଭିତରୁ ବାହାରିବା ଦେଖି ପଛେଇ ଯାଇଥିଲେ। ଘଟଣାର ଅଧଘଣ୍ଟା ପରେ ପୁଲିସ ପହଞ୍ଚି ଆହତ ସାନୁ ଓ ଶ୍ରୀକାନ୍ତଙ୍କୁ ଆମ୍ବୁଲାନ୍ସରେ ଭୀମ ଭୋଇ ଡାକ୍ତରଖାନାକୁ ନେଇଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ ଚାଳକ ଚିତ୍ତ ମହାନ୍ତି ଗୋଡ ଭାଙ୍ଗିଯିବାରୁ ଅନ୍ୟ ସହଯୋଗୀଙ୍କ ଜରିଆରେ ଓ ପୁଲିସ ପହଞ୍ଚିବା ପୂର୍ବରୁ ଭୀମ ଭୋଇ ଡାକ୍ତରଖାନାକୁ ଯାଇ ସାରିଥିଲା ା ଏହି ଦୁର୍ଘଟଣାରେ ହତ୍ୟା ଷଡଯନ୍ତ୍ରର ସୁରାକ ମିଳିବାରୁ ଖୋଦ୍‍ ଏସ୍‍ପି ନିତିନ କୁଶଲକର ମାମଲାରେ ହସ୍ତକ୍ଷେପ କରିଥିଲେ। ଚିକିତ୍ସାଧୀନ ଥିବା ଚିତ୍ତ ଅପରାହ୍ଣ ୩ଟାରେ କିଛି ସହଯୋଗୀଙ୍କ ସହ ବିଶାଖାପାଟଣାରେ ଚିକିତ୍ସିତ ହେବା ପାଇଁ ପଳାଇ ଯାଇଥିଲା। ତା’କୁ ଓଡ଼ିଶା-ଆନ୍ଧ୍ର ସୀମା ଥେରୁବାଲି ପୁଲିସ ସହାୟତାରେ ଅଟକ ରଖାଯାଇଥିଲା। ବଲାଙ୍ଗିର ପୁଲିସ ତା’କୁ ଫେରାଇ ଆଣି ଏଠାରେ ଚିକିତ୍ସା କରାଉଥିବା ବେଳେ ଜେରା ଚଳାଇଛି। ଦୁର୍ଘଟଣା ମାମଲା ପରେ ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି। ଚିତ୍ତକୁ ସହଯୋଗ କରିଥିବା ସନ୍ଦେହରେ ୨ଜଣଙ୍କୁ ପୁଲିସ ଜେରା କରୁଛି। ଅନ୍ୟ କେତେକଜଣଙ୍କ ମଧ୍ୟ ଏଥିରେ ସମ୍ପୃକ୍ତି ରହିଛି, ପୁଲିସ ସେମାନଙ୍କୁ ଖୋଜୁଛି। ଚିତ୍ତ ସୁସ୍ଥ ହେବାପରେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଏସ୍‍ପି କହିଛନ୍ତି।
ଅସମାହିତ ପ୍ରଶ୍ନ
ଏହି ଦୁର୍ଘଟଣାରେ ଅନେକ ଅସମାହିତ ପ୍ରଶ୍ନ ମୁଣ୍ଡ ଟେକିଛି ା ଦୁର୍ଘଟଣା ପରେ ଚିତ୍ତ କହିଥିଲା ସେ ଛକରେ ଛିଡାହୋଇ ସିଗାରେଟ୍‍ ପିଉଥିଲା, ଦୁର୍ଘଟଣାରେ ତା’ର ଗୋଡ ଭାଙ୍ଗି ଯାଇଛି। କିନ୍ତୁ ସିସି ଟିଭି ଫୁଟେଜ୍‌ରୁ ମୃତ୍ୟୁଦୂତ ସାଜିଥିବା ମିନିଟ୍ରକକୁ ଚିତ୍ତ ହିଁ ଚଳାଉଥିଲା ବୋଲି ସ୍ପଷ୍ଟ ହୋଇଯାଇଛି ା ପୁଲିସ କହୁଛି ମିନିଟ୍ରକରେ ଚିତ୍ତ ସହ ଅନ୍ୟଜଣେ ଥିଲା। ତେବେ ଚିତ୍ତ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣକ କିପରି ସୁରକ୍ଷିତ ଖସିଗଲା ? ଦୁର୍ଘଟଣାର ଅଧଘଣ୍ଟା ପରେ ପୁଲିସ ଆସି ଆହତ ସୋନୁ ଓ ଶ୍ରୀକାନ୍ତଙ୍କ ଶବକୁ ଆମ୍ବୁଲାନ୍ସରେ ଭୀମ ଭୋଇ ଡାକ୍ତରଖାନାକୁ ପଠାଇଥିଲା। ତେବେ ମିନିଟ୍ରକ ଚାଳକ ଚିତ୍ତକୁ କିଏ ବାହାରକୁ ଆଣିଲା, କେଉଁମାନେ ତା’କୁ ଡାକ୍ତରଖାନା ନେଲେ ? ଜୁସ୍‍ ଦୋକାନୀ ରବୀନ୍ଦ୍ର ନାଏକ ଜମି ବିବାଦ ଚିତ୍ତ ସହ ରହିଥିବା କହୁଛନ୍ତି ା ତେବେ ବଡପୁଅ ଭୁବନଙ୍କ ଦୁର୍ଘଟଣାରେ ଗୋଡ ଭାଙ୍ଗିବା ପରେ ସେ ଥାନାରେ ଅଭିଯୋଗ କଲେ ନାହିଁ କାହିଁକି ? ଥାନାରୁ ଜଣେ ଏସ୍‍ଆଇ ରବୀନ୍ଦ୍ରଙ୍କ ମଝିଆପୁଅ ସାନୁଙ୍କୁ ଥାନାକୁ ଆସିବାକୁ କହିଥିଲେ। ତେଣୁ ସାନୁ ଘରୁ ବାଇକରେ ଥାନାକୁ ବାହାରିଲେ। ଏ ଖବର ଚିତ୍ତକୁ କିଏ ଦେଲା ? ସାନୁ ପଛେ ପଛେ ମିନିଟ୍ରକ ନେଇ ଚିତ୍ତ ତାଙ୍କୁ ଦୁର୍ଘଟଣା ଘଟାଇ ହତ୍ୟା କରିବାର ଯୋଜନା ପୂର୍ବ ନିର୍ଦ୍ଧାରିତ ନ ଥିଲା ତ ? ଏହା ସଂଯୋଗ ନା ସୂଚନା ଆଧାରରେ ଷଡଯନ୍ତ୍ରର ଏକ ଭାଗ ? ଭୀମ ଭୋଇ ଡାକ୍ତରଖାନାରୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଚାଲି ଯାଇଥିଲେ ଚିତ୍ତ। ଡାକ୍ତରଖାନାରେ ଫାଣ୍ଡି ଥିଲେ ମଧ୍ୟ ପୁଲିସ କିପରି ଚିତ୍ତ ଖସିଯିବା ଉଦ୍ୟମ ସମ୍ପର୍କରେ ଜାଣିପାରି ନାହିଁ ? ଅନ୍‍ଫିଟ୍‍ ମିନିଟ୍ରକର ନମ୍ବରପ୍ଲେଟରେ କାଳି ବୋଳା ଯାଇଥିଲା। ତେଣୁ ଏଭଳି ପୂର୍ବରୁ କେତେଜଣ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି ଏବଂ ​ସେମାନେ ହତ୍ୟାର ଶିକାର ହୋଇଛନ୍ତି ?​ ମୃତ୍ୟୁଦୂତ ସାଜିଥିବା ଏହି ମିନିଟ୍ରକର ପ୍ରକୃତ ମାଲିକ କିଏ ? ଚିତ୍ତ ସହ ତାଙ୍କର ସମ୍ପର୍କ କ’ଣ ? ଏଭଳି ଅନେକ ପ୍ରଶ୍ନର ପର୍ଦାଫାଶ କରିବାକୁ ପଡିବ ପୁଲିସକୁ।

ଆମ୍ବୁଲାନ୍ସରେ କାରାଗାର ଗଲେ ଚିତ୍ତ
ବଲାଙ୍ଗିର ଏକାଧିକ ଦୁର୍ଘଟଣା ଓ ହତ୍ୟା ଷଡଯନ୍ତ୍ର ରଚିଥିବା କୁଖ୍ୟାତ ଚିତ୍ତରଞ୍ଜନ ମହାନ୍ତିଙ୍କ ବିରୋଧରେ ସହରାଞ୍ଚଳ ପୁଲିସ ଆଇପିସିର ଦଫା ୩୦୨, ୩୦୭, ୧୨୦(ବି)ରେ ୨୫୩ ନମ୍ବର ମାମଲା ରୁଜୁ କରିଥିଲା। ଚିକିତ୍ସା ଆଳରେ ରାଜ୍ୟ ବାହାରକୁ ଖସି ଯାଉଥିବା ଚିତ୍ତଙ୍କୁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଥେରୁବାଲି ପୁଲିସ ଅଟକ ରଖିଥିଲା। ବଲାଙ୍ଗିର ପୁଲିସ ଚିତ୍ତଙ୍କୁ ଆଣିଥିଲା। କିନ୍ତୁ ସୋମବାର ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ସିଭିଲ୍ କୋର୍ଟରେ ଏକ ଆମ୍ବୁଲାନ୍ସ ଲାଗିଥିଲା। ଆମ୍ବୁଲାନ୍ସରୁ ଓହ୍ଲାଇଥିଲେ ପୁଲିସ କର୍ମଚାରୀ । ବାଁ ଗୋଡରେ କ୍ରେପ୍, ମୁଣ୍ଡ ଓ ହାତରେ ବ୍ୟାଣ୍ଡଜ୍ ବନ୍ଧା ହୋଇଥିବା ତଥା ସାର୍ଟ ଓ ଗାମୁଛା ପିନ୍ଧା ବ୍ୟକ୍ତିଙ୍କୁ ଷ୍ଟ୍ରେଚର୍ ସହାୟତାରେ ପୁଲିସ କର୍ମଚାରୀମାନେ ଭିତରକୁ ନେଇଥିଲେ। ଏମିତି କ’ଣ ହେଲା ବୋଲି ଜାଣିବା ପାଇଁ ଲୋକ ପାଖକୁ ଯାଇଥିଲେ। ତେବେ ହତ୍ୟା ଷଡଯନ୍ତ୍ର କରି ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରୁଥିବା ମୁଖ୍ୟ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତି ବୋଲି ଲୋକେ ଜାଣିବାକୁ ପାଇଥିଲେ। ସୂଚନା ଅନୁସାରେ, ବଲାଙ୍ଗିର ଏସଡିଜେଏମ୍ ମନୋଜ କୁମାର ମହାନ୍ତିଙ୍କ ନିକଟରେ ଚିତ୍ତଙ୍କୁ ହାଜର କରାଯାଇଥିଲା। ପୂର୍ବରୁ ଦୁର୍ଘଟଣା ମାମଲା ହୋଇଥିବା ବେଳେ ତାହା ହତ୍ୟାକାଣ୍ଡ ମାମଲାରେ ପରିବର୍ତ୍ତିତ ହୋଇଥିବା ଏସ୍ଡିଜେଏମ୍ ଶ୍ରୀ ମହାନ୍ତିଙ୍କୁ ଅବଗତ କରାଇଥିଲେ ସରକାରୀ ଓକିଲ ହରିଶ କୁମାର ସୁନାନୀ। ତେବେ ଚିତ୍ତଙ୍କ ପକ୍ଷରୁ କୌଣସି ଓକିଲ ଦିଆଯାଇ ନଥିଲା। ସେ ଚିକିତ୍ସା ପାଇଁ ଜାମିନ ଦେବାକୁ ଅନୁରୋଧ କରିଥିଲେ। ଏସ୍ଡିଜେଏମ୍ ୧୪ ଦିନିଆ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦେଇଥିଲେ। ପୁଣି ଷ୍ଟ୍ରେଚର୍ରେ ତାଙ୍କୁ ପୁଲିସ କର୍ମଚାରୀ ଆମ୍ବୁଲାନ୍ସରେ  ବଲାଙ୍ଗିର କାରାଗାରକୁ ନେଇଥିଲେ।

Comments are closed.