ଅଫିସରଙ୍କୁ ବିଜେପି ପ୍ରଭାରିଙ୍କ ଚେତାବନୀ ; ସୁଧୁରିଯାଅ; ନ ହେଲେ ଫଳ ଭୋଗିବ

ସମ୍ବଲପୁର : ‘ବିଜେଡିରେ ଅସ୍ଥିରତାର ବାତାବରଣ ଲାଗି ରହିଛି, ୪ ସାଂସଦଙ୍କ ସମେତ ୩୦ରୁ ଅଧିକ ବଡ଼ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ବିଜେଡି ଏବେ ନେତାଶୂନ୍ୟ ହୋଇଯାଇଛି। ଏଣୁ ଅଧିକାରୀମାନେ ନେତାଙ୍କ ଭୂମିକା ନିର୍ବାହ କରୁଛନ୍ତି। ଦଳୀୟ ସଂଗଠନରେ କାର୍ଯ୍ୟ କରୁଥିବା ଓଡ଼ିଶା ସରକାରଙ୍କ ଅଧିକାରୀଗଣ ଏଥିରୁ ବିରତ ହୁଅନ୍ତୁ ନ ହେଲେ ରାଜ୍ୟରେ ବିଜେପି ସରକାର ଆସିଲେ ସେମାନେ ଫଳ ଭୋଗିବେ।’ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଏହା କହିଛନ୍ତି।
ଶ୍ରୀ ସିଂ ଓଡ଼ିଶାର ନିର୍ଦିଷ୍ଟ ଅଧିକାରୀଙ୍କ ନାଁ ନେଇ ସେମାନେ ବିଜେଡିରେ ନିଜର ରାଜନୈତିକ ଅଭିଳାଷା ପୂରଣ କରୁଛନ୍ତି ବୋଲି କହିବା ସହିତ ଏଭଳି ଅଧିକାରୀମାନେ ଚାକିରି ଛାଡ଼ି ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦିଅନ୍ତୁ ବୋଲି ଚାଲେଞ୍ଜ କରିଥିଲେ। ଅଧିକାରୀମାନେ ବିଜେପି କର୍ମୀଙ୍କୁ ହତ୍ୟା ଧମକ ଦେଇ ଭୟଭୀତ କରୁଥିବା କେତେକ କର୍ମୀଙ୍କୁ ପ୍ରଲୋଭିତ କରି ବିଜେଡିରେ ମିଶାଇବାର ପ୍ରୟାସ କରୁଛନ୍ତି ରାଇରଙ୍ଗପୁରରେ ଏହା ପ୍ରମାଣିତ ହୋଇଛି ବୋଲି କହିଥିଲେ। ରାଜ୍ୟର ଅଧିକାଂଶ ଅଧିକାରୀ ବିଜେଡିର ଏଜେଣ୍ଟ ଭାବେ କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ସମ୍ବଲପୁରରେ ୪ବର୍ଷ ତଳର ଜଣ୍ଡିସ ସ୍ଥିତିକୁ ଦେଶର ସବୁଠାରୁ ଚିନ୍ତାଜନକ ସ୍ଥିତି ବୋଲି ବର୍ଣ୍ଣନା କରିବା ସହିତ ସେ ସମୟରେ ମଞ୍ଜୁର ହୋଇଥିବା ୧୬୦କୋଟି ନେତା ଓ ଅଧିକାରୀଙ୍କ ଭେଟ ଚଢ଼ିଗଲା ବୋଲି କହିଥିଲେ। ସେତିକି ବେଳେ ଜଣ୍ଡିସ ସ୍ଥିତିରେ ଅସମ୍ବେଦନଶୀଳତା ହେତୁ ଆଜି ମହାନଗର ଅଞ୍ଚଳରେ ପୁଣି ଜଣ୍ଡିସ ଫେରି ଆସିଲାଣି। ଅନୁରୂପ ଭାବେ ଫ୍ଲାଇଓଭର ବିଳମ୍ବିତ ହେବା ଓ ଏହାର ଦୈର୍ଘ୍ୟ ଓ ବ୍ୟୟ ଅଟକଳ ବୃଦ୍ଧି କରାଯିବାକୁ ସମାଲୋଚନା କରି ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ରାଜ୍ୟରେ ବିଜେପି ସରକାର ଆସିଲେ ଯାଇ ଏହି ପ୍ରକଳ୍ପ ପୂରା ହୋଇପାରିବ। ବିଜେଡି ଗତ ୧୯ବର୍ଷ ମଧ୍ୟରେ କୁଶାସନ କରିଛି। ଲୋକଙ୍କୁ ପିଇବାକୁ ସ୍ୱଚ୍ଛ ପାଣି ମିଳୁନି, ଡାକ୍ତରଖାନାରେ ଔଷଧ ମିିଳୁନି, ରାସ୍ତା ଦୁରବସ୍ଥା ହୋଇ ପଡ଼ିଛି। ପ୍ରଧାନମନ୍ତ୍ରୀ ସମ୍ବଲପୁର ଓ ଓଡ଼ିଶାର ବିକାଶ ପାଇଁ ଅନେକ ଅର୍ଥ ମଞ୍ଜୁର କରିଛନ୍ତି। ଏଣୁ ଏ ଥର ଡବଲ ଇଞ୍ଜିନର ସରକାର ଦରକାର। ଆମେ ୧୨୦+ ଲକ୍ଷ୍ୟ ନେଇ ଆମେ କାର୍ଯ୍ୟରମ୍ଭ କରିଛୁ ଯାହାକି ନିଶ୍ଚିତ ଭାବେ ସଫଳ ହେବ।

prayash

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଆମେ ସାମୁହିକ ଭାବେ ନିର୍ବାଚନ ଲଢ଼ୁଛୁ। କୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରାର୍ଥୀ କରିନାହୁଁ। ଧର୍ମେନ୍ଦ୍ର ପ୍ରଧାନ ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏଥି ସହ ସେ ଦେଶ ବିଶେଷ କରି ଓଡ଼ିଶା ନିର୍ବାଚନ ଦାୟିତ୍ୱରେ ରହିଛନ୍ତି। ଏଣୁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ରାମଚନ୍ଦ୍ର ମେହେର, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସୀମାଞ୍ଚଳ ଖଟେଇ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସି ମଞ୍ଚାସୀନ ଥିଲେ।

Comments are closed.