ବିଜୁବାବୁଙ୍କ ବୀରତ୍ବ କହିବ ଓଡ଼ିଶା ଛାତ୍ରଙ୍କ ପ୍ରସ୍ତୁତ ପ୍ରଥମ ଓଡ଼ିଆ ଖେଳ ‘ଭୂମିପୁତ୍ର’

ଅସ୍ତରଙ୍ଗ: ସବୁ ଅସମ୍ଭବକୁ ସମ୍ଭବ କରିପାରିଥିବା ନିର୍ଭୀକ ଜନନାୟକ ବିଜୁବାବୁଙ୍କ ଉପରେ ଇଂଜିନିୟରିଂ ଛାତ୍ରମାନଙ୍କ ଦ୍ବାରା ସ୍ଥାପିତ ଷ୍ଟାର୍ଟଅପ୍ ‘ଗୌରବ୍ ଗୋ ଟେକ୍ନୋଲୋଜି’ ପ୍ରସ୍ତୁତ କରୁଛି ଏକ ନୂଆ ଖେଳ (ଗେମ୍) ‘ଭୂମିପୁତ୍ର’। ଡଚ୍ ସେନାଙ୍କ ଦ୍ବାରା ଘେରାବନ୍ଦୀ ରହିଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ‘ସୁକର୍ଣ୍ଣ’ ଓ ପ୍ରଧାନମନ୍ତ୍ରୀ ‘ସହାରିଆର’ଙ୍କୁ ବିସ୍ମୟକର ବୀରତ୍ବର ପରାକାଷ୍ଠା ଦେଖାଇ ନିଜ ଡାକୋଟା ଉଡାଜାହାଜରେ ଉଦ୍ଧାର କରି ଦିଲ୍ଲୀରେ ପହଞ୍ଚାଇ ବିଶ୍ୱବାସୀଙ୍କୁ ଚକିତ କରିଦେଇଥିବା ବିଜୁବାବୁ ଥିଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା, କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠାତା, କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ବିଶ୍ୱବାସୀଙ୍କ ନିକଟରେ ବିଜୁଙ୍କ ବୀରତ୍ୱର ଗାଥା ବଖାଣିବାକୁ ପ୍ରଥମକରି ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେଉଛି ଏକ ନିଶୁଳ୍କ ଖେଳ ‘ଭୂମିପୁତ୍ର’। ଏହି ଖେଳରେ ଜାକର୍ତ୍ତା କଲିଂ, ବାଲି ଯାତ୍ରା ଓ ଭୂମିପୁତ୍ର ନାମକ ୩ଟି ପର୍ଯ୍ୟାୟ ରହିଛି। ପ୍ରତି ପର୍ଯ୍ୟାୟ କଠିନରୁ କଠିନତର ହୋଇଯିବ ଓ ଏହା ମଧ୍ୟରେ ଆଧୁନିକ ଅସ୍ତ୍ରଶସ୍ତ୍ର ଦେଖିବାକୁ ମିଳିବ।

ଷ୍ଟାର୍ଟଅପ୍‌ର ମୁଖ୍ୟ ଦୀପେଶ ଗୌରଭ, ଗେମ୍ ଟିମର ସଦସ୍ୟ ରବିଶଙ୍କର ଦାଶ, ସ୍ୱରୂପାନନ୍ଦ ଜେନା, ଶିଭମ୍ ଝା, ସୋନୁ ଦୟାଲ, ରୋହିତ ସିଂ, ମୁକୁନ୍ଦ, ଅଙ୍କିତ୍, ଅଫରିନ୍ ଖାଁ, ଓମ୍ ଶର୍ମା, ବୈଷ୍ଣବୀ ଓ ଭାରତର ବିଭିନ୍ନ ଅଞ୍ଚଳରୁ ୧୫ରୁ ଊର୍ଦ୍ଧ୍ବ ଇଞ୍ଜିନିୟରିଂ ଛାତ୍ର ବିନା କୌଣସି ବୈଷୟିକ ସହାୟତାରେ ଏହାକୁ ତିଆରି କରୁଛନ୍ତି। ଏହି ଗେମଟିର ଟ୍ରେଲର୍ ୫ ଫେବୃଆରୀରେ ୟୁଟ୍ୟୁବରେ ଅପଲୋଡ ହୋଇଥିଲା l ଯାହାକୁ ଏପର୍ଯ୍ୟନ୍ତ ଅନେକ ଲୋକ ପସନ୍ଦ କରିଛନ୍ତି। ଷ୍ଟାର୍ଟଅପର ମୁଖ୍ୟ ଉଦେଶ୍ୟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଖେଳଟିକୁ ଖେଳିବା ସହିତ ଓଡ଼ିଶାର ଗୌରବମୟ ଇତିହାସକୁ ମନେ ରଖିବା। ଏହାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ତଥା ଭାରତବାସୀଙ୍କ ଆଗରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଦଳ l କିଛି ସରକାରୀ ବା ବେସରକାରୀ ପ୍ରୋତ୍ସାହନ ମିଳିଲେ ଛାତ୍ରମାନେ ଏହିପରି ଆହୁରି ଖେଳ (ଗେମ୍) ତିଆରି ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ମତ ଦେଇଛନ୍ତି। ଏହା ବିଜୁବାବୁଙ୍କ ୧୦୭ ତମ ଜନ୍ମ ଦିବସ ମାର୍ଚ୍ଚ ୫ରେ ସର୍ବସାଧରଣଙ୍କ ପାଇଁ ‘gauravgo.com’ରେ ଉପଲବ୍ଧ ହେବ। ଏହି ଗେମଟିକୁ ଉଭୟ କମ୍ପ୍ୟୁଟର ଓ ସ୍ମାର୍ଟଫୋନରେ ଖେଳିହେବ।

Comments are closed.