ଗ୍ଲାସ୍ଗୋରେ ବିଗ୍-ବି
ସ୍କଟଲାଣ୍ଡର ଏକ ସୁନ୍ଦର ସହର ଭାବେ ପରିଚିତ ଗ୍ଲାସ୍ଗୋ। ଏଠାରେ ଏବେ ସୁଜୟ ଘୋଷ ନିର୍ଦେଶିତ ‘ବଦଲା’ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରର ସୁଟିଂ ନିମନ୍ତେ ବିଗ୍ ବି ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ଗ୍ଲାସ୍ଗୋରେ ପହଞ୍ଚିଛନ୍ତି। ଜୟପୁରରେ ଅନ୍ୟ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଥିବା ବିଗ୍ ବିଙ୍କୁ କିଛିଦିନ ପର୍ଯ୍ୟନ୍ତ ବିଦେଶ ଯାତ୍ରା ମନା କରାଯାଇଥିଲା। କାରଣ ନିୟମିତ ଭାବେ ବିମାନ ଯାତ୍ରା କରିବା ଭର୍ଟିଗୋ ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ଉତ୍ତମ ନୁହେଁ। ଏଣୁ ଅମିତାଭ ୨ ମାସ ବିଶ୍ରାମ ନେବା ପରେ ଏବେ ବିଦେଶ ଯାଇଛନ୍ତି। ଜୁନ୍ ୧୭ ବିଶ୍ବ ପିତୃ ଦିବସରେ ପରିବାର ଠାରୁ ଦୂରରେ ଥିଲେ ଅମିତାଭ। ଗତ କିଛି ବର୍ଷ ହେଲା ଏଇ ଦିନକୁ ସେ ପୂରା ପରିବାର ସହ ଉପଭୋଗ କରୁଥିଲେ। ଚଳିତଥର ସୁଟିଂ କାରଣରୁ ବିଦେଶ ଗସ୍ତରେ ଅଛନ୍ତି ବିଗ୍ ବି। ନିଜ ସୋସିଆଲ ଆକାଉଣ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ ଯାତ୍ରା ଯେତେ ସୁନ୍ଦର କିମ୍ବା ଆରାମଦାୟକ ହେଲେ ମଧ୍ୟ ପରିବାର ଲୋକେ ପାଖରେ ନ ଥିଲେ ସେସବୁର ମଜା ଆସିନଥାଏ। ୩ ସପ୍ତାହ ମଧ୍ୟରେ ଏହି ଚଳଚ୍ଚିତ୍ରର ପ୍ରଥମ ପର୍ଯ୍ୟାୟ ସେଠାରେ ଶେଷ ହେବାର ଅନୁମାନ କରାଯାଉଛି। ‘ପିଙ୍କ୍’ ଚଳଚ୍ଚିତ୍ରର ଅପାର ସଫଳତା ପରେ ପୁନଃ ଅମିତାଭ-ତାପସୀ ଯୋଡ଼ିଙ୍କୁ ପରଦା ଉପରେ ଦେଖିବାକୁ ମିଳିବ।