ଗାଡ଼ି ଯାଞ୍ଚ କରୁନି ପୁଲିସ, ବେପରୁଆ ଭାବେ ସ୍କୁଟି ଚଳାଉଛନ୍ତି ନାବାଳକ

ଭବାନୀପାଟଣା :ସହର ମଧ୍ୟରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟୁଛି। ଗତ ୧୫ ଦିନ ମଧ୍ୟରେ ସହରରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରିଯାନ୍ ପାଇଁ ନୋ ଏଣ୍ଟ୍ରି ସମୟକୁ ସକାଳ ୬ରୁ ରାତି ୧୦ ଯାଏଁ ବୃଦ୍ଧି କରାଯାଇଛି। ତଥାପି ଟ୍ରାଫିକ ବ୍ୟବସ୍ଥା କଡାକଡି ଲାଗୁ ହୋଇନି। ବେପରୁଆ ଭାବେ ଦ୍ରୁତଗତିରେ ବାଇକ୍ କିମ୍ବା ଅନ୍ୟ ଗାଡି ଚାଳନାକୁ ରୋକାଯାଇ ପାରିନି। ଅନ୍ୟପକ୍ଷରେ ନାବାଳକ ମାନଙ୍କ ସ୍କୁଟି ଚାଲନାକୁ ରୋକାଯାଇ ପାରୁନାହିଁ।

prayash

ବର୍ତ୍ତମାନ ସ୍କୁଲ ଛୁଟି ସମୟରେ ମଧ୍ୟ ଅନେକ ନାବାଳକ ସ୍କୁଟିରେ ବୁଲୁଥିବା ଦେଖିବାକୁ ମିଳୁଛି। ଏପରିକି ଗୋଟାଏ ସ୍କୁଟିରେ ତିନିଜଣ ନାବାଳକ ସହର ସାରା ବୁଲିବା ଦୃଶ୍ୟ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଦ୍ରୁତ ଗାଡ଼ି ଚାଳନା ଏବଂ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟି ଅନେକେ ମୃତାହତ ହେଉଛନ୍ତି। ତଥାପି ଅବିଭାବକମାନେ ନାବାଳକ ପିଲାଙ୍କୁ ସ୍କୁଟି ଦେବା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି କରୁଛି। ସ୍କୁଲ୍ ସମୟ ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ନାବାଳକମାନେ ସ୍କୁଟି ରେ ଯାତାୟାତ କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଅନ୍ୟ ପକ୍ଷରେ ସହରର ମୁଖ୍ୟ ଛକ ମାନଙ୍କରେ ସିସିଟିଭି ଲାଗିଛି।

ଅଥଚ ନାବାଳକଙ୍କ ଗାଡି ଚାଳନା କିମ୍ବା ଦ୍ରୁତ ଗାଡି ଚାଳକଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଉନାହିଁ। ପୁଲିସ କିମ୍ବା ପରିବହନ ବିଭାଗ ପକ୍ଷରୁ ସହର ମଧ୍ୟରେ ଗାଡି ଯାଞ୍ଚ କରାଯାଉନାହିଁ। ଏଣୁ ଏବେ ମଧ୍ୟ ନାବାଳକ ଗାଡି ଚାଳକ କିମ୍ବା ବେପରୁଆ ଗାଡ଼ି ଚାଲକଙ୍କ ଦୌରାତ୍ମ୍ୟ କମିନାହିଁ। ଫଳରେ ସାଧାରଣ ପଥଚାରୀ ସୁରକ୍ଷିତ ରହୁନାହାନ୍ତି। ଏଣୁ ସହର ମଧ୍ୟରେ ଗାଡି ଯାଞ୍ଚକୁ କଡାକଡି କରାଯିବାକୁ ସାଧାରଣରେ ଦାବି ହେଉଛି।

Comments are closed.