www.samajalive.in
Monday, December 15, 2025
24.1 C
Bhubaneswar

ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର : ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ପ୍ରଥମ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ଫେବୃଆରୀ ୧୭ରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଏହି ଅଧିବେଶନ ୨୮ଦିନ ଚାଲିବାକୁ ଥିବାବେଳେ ଆଜି ପୂର୍ବାହ୍ଣ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଏହି ବୈଠକରେ ସପ୍ତଦଶ ବିଧାନସଭା ତୃତୀୟ ଅଧିବେଶନ ଗୃହକାର୍ଯ୍ୟ ସମ୍ପାଦନ ସମ୍ପର୍କରେ ଆଲୋଚନା କରାଯିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି। ଅନ୍ୟପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ଯୋଜନା ପ୍ରସ୍ତୁତ କରିଛି।
ବିରୋଧୀ ଦଳ ସୂତ୍ରରୁ ମିଳୁଥିବା ସୂଚନାନୁଯାୟୀ, ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟରେ ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଏହି ବଜେଟରେ ପୂର୍ବ ବଜେଟ ତୁଳନାରେ ୧୫ ହଜାର କୋଟି ଟଙ୍କା ଅଧିକ ବ୍ୟୟବରାଦ କରାଯାଇଥିଲା; କିନ୍ତୁ ବଜେଟରେ ନୂଆ କିଛି ନଥିଲା। କେବଳ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ସୁଭଦ୍ରା ଏବଂ ଏମଏସପି ଉପରେ ଗୁରୁତ୍ବ ଦିଆଯାଇଥିଲା। ସରକାର ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସଫଳ ହୋଇ ପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ମାସ ମଧ୍ୟରେ ୭ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ୫ବର୍ଷରେ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଚଳିତ କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ କିଛି ବ୍ୟବସ୍ଥା ନାହିଁ। ଏହାକୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିବେ। ଅଦିନିଆ ବର୍ଷାରେ ଫସଲହାନି, ଆଇନ ଶୃଙ୍ଖଳା, ଭିତ୍ତିଭୂମି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରସଙ୍ଗ କରିବାକୁ ବିରୋଧୀ ରଣନୀତି ତିଆରି କରିଛନ୍ତି। ସେହିପରି ସରକାର ୨ ବର୍ଷରେ ୬୫ ହଜାର ନୂଆ ନିଯୁକ୍ତି ଦେବାକୁ କହିଥିଲେ। ୮ମାସରେ ୨୬ ହଜାର ନିଯୁକ୍ତି ଦେଇଥିବା କଥା କହୁଛନ୍ତି। ତେବେ ପୂର୍ବ ସରକାର ଅମଳରେ ପ୍ରକାଶିତ ବିଜ୍ଞପ୍ତି ପରିପ୍ରେକ୍ଷୀରେ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବଣ୍ଟନ କରି ୨୬ହଜାର ନିଯୁକ୍ତି ଦିଆଯାଇଥିବା କହୁଛନ୍ତି। ବିରୋଧୀ ଗୃହରେ ଏ ପ୍ରସଙ୍ଗ ଉଠାଇବେ।
ବାରବାଟୀ ଷ୍ଟାଡିୟମ୍‌କୁ ପ୍ରାୟ ଅଧଘଣ୍ଟା ଧରି ଅନ୍ଧାର ହେବାରୁ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଯେଭଳି ସମସ୍ୟା ଉପୁଜିଲା ସେ ସଂକ୍ରାନ୍ତରେ ସରକାରଙ୍କୁ ସିଧାସଳଖ ଜବାବ ମାଗିବେ ବିରୋଧୀ। ଏହାଛଡା ସରକାର କଟନୀ-ଛଟନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଚଳିତ ବର୍ଷ ଖରିଫ ଧାନ କିଣାରେ ମଣ୍ଡିରେ ବିଭିନ୍ନ ଜିଲାରେ ଉପୁଜିଥିବା ସମସ୍ୟାକୁ ବିରୋଧୀ ପ୍ରମୁଖ ପ୍ରସଙ୍ଗ କରିବେ। କୋଟିଆ ଓ ପୋଲାଭରମ୍‌ ପ୍ରସଙ୍ଗ ସହ ମହାନଦୀ ଜଳବିବାଦକୁ ମଧ୍ୟ ବିଧାନସଭାରେ ଉଠାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହାଛଡା କଣାସ ଓ ବାଙ୍କୀ ସମେତ ରାଜ୍ୟର କେତେକ ଅଞ୍ଚଳରେ ଜଳ ପ୍ରଦୂଷଣ ଯୋଗୁଁଁ ଯେଭଳି ହଇଜା ବ୍ୟାପୁଛି ସେ ସଂକ୍ରାନ୍ତରେ ବିରୋଧୀ ସରକାରଙ୍କ ପାଖରୁ ଜବାବ ମାଗିବେ। ୨୫ବର୍ଷ ତଳେ କଂଗ୍ରେସ ଶାସନରୁ ବିଦାୟ ନେବା ବେଳକୁ ରାଜ୍ୟର ଋଣବୋଝ ପ୍ରାୟ ୧୮ହଜାର କୋଟି ଟଙ୍କା ଥିବାବେଳେ ଏବେ ତାହା ୧ ଲକ୍ଷ ୨୫ ହଜାର କୋଟି ଟଙ୍କାକୁ ଟପିବାକୁ ଯାଉଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି, ବେକାରୀ ଓ ବେରୋଜଗାରୀ ସମସ୍ୟା, ଦାଦନ ପ୍ରସଙ୍ଗ ସହିତ ନିଶା ନିବାରଣ ଆଦି ପ୍ରସଙ୍ଗ ଉଠାଯିବ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ବିଭିନ୍ନ ଦଳରୁ ଦାବି ଉଠିବା ସମ୍ଭାବନା ରହିଛି। ଶାସକ ଦଳ ବିଧାୟକ ବାବୁ ସିଂହ କହିଛନ୍ତି, ସରକାରୀ ଦଳ ସୁଭଦ୍ରା, ଏମଏସପି, ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ଉତ୍କର୍ଷ ଓଡ଼ିଶା- ମେକ ଇନ୍ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆଦି ସଫଳତା ପ୍ରସଙ୍ଗ ଉଠାଇବା ସହିତ ବିରୋଧୀଙ୍କ ପକ୍ଷରୁ ଆହୂତ ପ୍ରସଙ୍ଗକୁ ମୁକାବିଲା କରିବା ପାଇଁ ଦଳ ପ୍ରସ୍ତୁତ ହୋଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories