‘କୋଠା ନିର୍ମାଣ ଯାଞ୍ଚ ନ କରି ଋଣ ଦେଇ ପାରିବେନି ବ୍ୟାଙ୍କ’
ନୂଆଦିଲ୍ଲୀ : କୌଣସି କୋଠାକୁ ପ୍ରଦାନ କରାଯାଇଥିବା ନିର୍ମାଣ/ଦଖଲ ପ୍ରମାଣପତ୍ର ଯାଞ୍ଚ ନ କରି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଋଣ ମଞ୍ଜୁର କରିପାରିବେ ନାହିଁ। ଏଥିସହ ଏପରି ପ୍ରମାଣପତ୍ର ପ୍ରଦାନ କରିବା ପରେ ହିଁ ସେବା ପ୍ରଦାନକାରୀ ସମ୍ପୃକ୍ତ କୋଠାକୁ ବିଦ୍ୟୁତ୍, ପାଣି ଏବଂ ସ୍ୱେରେଜ୍ ସଂଯୋଗ ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। କେତେକ କ୍ଷେତ୍ରରେ ନିୟମ ଉଲ୍ଲଂଘନ କରି ବା କୋଠାର ଯୋଜନା (ପ୍ଲାନିଂ)କୁ ପରିବର୍ତ୍ତନ କରି ନିର୍ମାଣ କରାଯାଉଛି। ଫଳରେ ଭବିଷ୍ୟତରେ ଏହା ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ କୋଠା ଯୋଜନା ଅନୁପାଳନର ସମ୍ପୂର୍ଣ୍ଣ ଯାଞ୍ଚ ପରେ ହିଁ ଏହାକୁ ପ୍ରମାଣପତ୍ର ଦେବା ଉଚିତ ବୋଲି ନ୍ୟାୟାଳୟ ପ୍ରକାଶ କରିଛନ୍ତି। ଏଥିସହ ନିୟମ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା କୋଠାକୁ ସରକାରୀ ପ୍ରମାଣପତ୍ର ପ୍ରଦାନ କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ସପ୍ତାହରେ ମେରଠର ଏକ ମାମଲାର ବିଚାର ସମୟରେ ନ୍ୟାୟାଳୟ ରାୟ ଦେଇଛନ୍ତି। ଅବୈଧ ନିର୍ମାଣ ଯାଞ୍ଚ କରିବା ପାଇଁ ‘ବୃହତ୍ତର ଜନସ୍ୱାର୍ଥରେ’ ସର୍ବଭାରତୀୟ ମାର୍ଗଦର୍ଶିକା ଜାରି କରି ବିଚାରପତି ଜେ.ବି. ପାର୍ଡିୱାଲା ଏବଂ ବିଚାରପତି ଆର. ମାଧବନଙ୍କ ପୀଠ କହିଛନ୍ତି, ‘ଆବାସିକ କିମ୍ବା ବାଣିଜ୍ୟିକ କୋଠା ହେଉ, କୌଣସି ଅନଧିକୃତ କୋଠାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସ୍ଥାନୀୟ ସଂସ୍ଥା ସମେତ କୌଣସି କର୍ତ୍ତୃପକ୍ଷ ବ୍ୟବସାୟ କରିବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ।’ ଏଥିସହ ସମ୍ପୃକ୍ତ କୋଠାକୁ ସୁରକ୍ଷିତ ସମ୍ପତ୍ତି ଭାବରେ ବିବେଚନା କରି ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଋଣ ମଞ୍ଜୁର କରିବା ଉଚିତ ନୁହେଁ। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ସମାପ୍ତି/ଦଖଲ ପ୍ରମାଣପତ୍ର ପାଇବା ପରେ ହିଁ କୋଠାକୁ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ଓ ନିର୍ମାତା ବା ଆବେଦକଙ୍କୁ ଏନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ ପଡ଼ିବ। ଅନଧିକୃତ ନିର୍ମାଣ ଫଳରେ ସେଥିରେ ରହୁଥିବା ଲୋକ ଏବଂ ନିକଟରେ ରହୁଥିବା ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ବ୍ୟତୀତ, ବିଦ୍ୟୁତ୍, ଭୂତଳ ଜଳ ଏବଂ ଯାତାୟାତରେ ବାଧା ଉପୁଯାଇଥାଏ। ଅନଧିକୃତ ନିର୍ମାଣକୁ ହ୍ରାସ କରିବାକୁ ପଡ଼ିବ ଏବଂ ଏଥିରେ ଯେକୌଣସି ପ୍ରକାରର ଅନୁକମ୍ପା ଉଚିତ ନୁହେଁ ବୋଲି ପୀଠ କହିଛନ୍ତି। ଏହି ନିର୍ଦେଶର ଉଲ୍ଲଂଘନ କଲେ ଆଇନ ଅବମାନନା ମାମଲା ଆରମ୍ଭ ହେବ ବୋଲି ପୀଠ କହିଛନ୍ତି। ଏଥିସହ ଭୁଲ ସମାପ୍ତି/ଦଖଲ ପ୍ରମାଣପତ୍ର ପ୍ରଦାନ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ କୋଠା ଯୋଜନାର ଉଲ୍ଲଂଘନ କିମ୍ବା ବିଚ୍ୟୁତି କରି ନିର୍ମାଣ କରାଯାଇଥିବା ଏବଂ କୋଠା ଯୋଜନା ଅନୁମୋଦନ ବିନା ନିର୍ମାଣ କରାଯାଇଥିବା କୋଠାକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ‘ବୁଲଡୋଜର ଜଷ୍ଟିସ’କୁ ଅସାମ୍ବିଧାନିକ ଘୋଷଣା କରିବା ଏବଂ କେବଳ ଅପରାଧରେ ଅଭିଯୁକ୍ତ କିମ୍ବା ଦୋଷୀ ସାବ୍ୟସ୍ତ ହୋଇଥିବା କାରଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆବାସିକ ଏବଂ ବାଣିଜ୍ୟିକ ସମ୍ପତ୍ତି ଭାଙ୍ଗି ପାରିବେ ନାହିଁ ବୋଲି କହିବାର ଏକ ମାସରୁ ଅଧିକ ସମୟ ପରେ ଏହି ରାୟ ଆସିଛି।
ରାଜ୍ୟ ସରକାରଗୁଡ଼ିକ ପ୍ରାୟତଃ ବେନିୟମ ନିର୍ମାଣ ଏବଂ ବେଆଇନ କାର୍ଯ୍ୟକୁ କ୍ଷମା କରି ଅନୁମୋଦନ କରନ୍ତି ବୋଲି ପୀଠ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଏହି ବେଆଇନ ନିର୍ମାଣ ଦ୍ବାରା ବ୍ୟବସ୍ଥିତ ସହରାଞ୍ଚଳ ବିକାଶ ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ସମ୍ପୂର୍ଣ୍ଣ ପ୍ରମାଣପତ୍ର ଜାରି କରିବା ପରେ ମଧ୍ୟ, ଯଦି ଏଥିରେ କୌଣସି ବିଚ୍ୟୁତି ବା ଉଲ୍ଲଂଘନ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯାଏ, ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯିବ। ଏଥିସହ ଭୁଲ ସମାପ୍ତି/ଦଖଲ ପ୍ରମାଣପତ୍ର ପ୍ରଦାନ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏଥିସହ ସମାପ୍ତି ପ୍ରମାଣପତ୍ର ପ୍ରଦାନ ନ କରିବା, ଅନଧିକୃତ ନିର୍ମାଣକୁ ନିୟମିତ କରିବା କିମ୍ବା ବିଚ୍ୟୁତି ସଂଶୋଧନ କରିବା ପାଇଁ ମାଲିକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯେକୌଣସି ଆବେଦନ ଉପରେ ନିଷ୍ପତ୍ତି ସାମ୍ବିଧାନିକ ଭାବରେ ପ୍ରଦତ୍ତ ୯୦ ଦିନ ମଧ୍ୟରେ ନିଆଯିବ ବୋଲି ପୀଠ କହିଛନ୍ତି।
Comments are closed.