ଅଦିନିଆ ପାଣିପାଗ: ଖରାଟିଆ ବାଇଗଣ ଓ ପୋଟଳ ଚାଷୀ ହତାଶ
ବାଙ୍କୀ:ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ ଭାବରେ ବେଶ୍ ଜଣାଶୁଣା। ଜଳ ସଚେନର ସୁବିଧାକୁ ଦୃଷ୍ଟିରେ ରଖି ଏଠିକାର ଚାଷୀ ବର୍ଷ ସାରା ବହୁ ପ୍ରକାର ପନିପରିବା ଚାଷ କରି ପରିବାର ଚଳାଇଥାନ୍ତି। ବିଡମ୍ବନାର ବିଷୟ ଚଳିତ ବର୍ଷ ଅସମୟରେ ବର୍ଷା, ଅଧିକ ବର୍ଷା ଏବଂ ଏବେ ପ୍ରଚଣ୍ଡ ଖରା ଭଳି ଅଦିନିଆ ପାଣିପାଗ ଯୋଗୁ ଚାଷ ଉଜୁଡୁଛି। ଏହି ଅଦିନିଆ ପାଣିପାଗ ଯୋଗୁ ଖରାଟିଆ ବାଇଗଣ ଓ ପୋଟଳ ଚାଷୀ ହତାଶ ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ଘାସିପୁଟ, ନିସ୍ତିପୁର, ଇନ୍ଦୁମତୀ ପାଟଣା, କୁଶପଙ୍ଗି, ଚକୁଳେଶ୍ୱର, ଚାରିଘରିଆ, ପାଥପୁର, ଅମରେନ୍ଦ୍ରପୁର, ମୁରାଲୀପୁର, କଇମୁଣ୍ଡିି, ଗୟଳବାଙ୍କ, ଶିମିଳିପୁର, ହରିରାଜପୁର ଏବଂ ମହାନଦୀ ଅପରପାର୍ଶ୍ବ ରତାଗଡ, ବନ୍ଦାଳ, ଓସ୍ତିଆ, ରଣନଦୀ ପାର୍ଶ୍ବ ଦୋଲଣାପୁର, କୁସୁନ୍ଦା, ବିଲିପଡା ସହିତ ବାଙ୍କୀ ଏନଏସିର ବହୁ ଗ୍ରାମରେ ଚାଷୀମାନେ ପରିବା ଚାଷରେ ବାରମ୍ବାର କ୍ଷତି ସହିଛନ୍ତି। ଯଦ୍ୱାରା ଧାରକରଜ କରି ଚାଷ କରିଥିବା ଚାଷୀ କରଜ ସୁଝା ଚିନ୍ତାରେ ଘାଣ୍ଟି ହେଉଛି। ବିଶେଷ କରି ପାଥପୁର, କୁଶପଙ୍ଗି ଓ ଭଗିପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ପରିବା ଚାଷରେ ଚାଷୀମାନେ ନିଜର ଉତ୍ପାଦିତ କରିବାକୁ ରାସ୍ତା ପାର୍ଶ୍ବରେ ବିକ୍ରି କରିବା ସହିତ ବଳକା ପରିବାକୁ କଟକ ଓ ଭୂବନେଶ୍ୱରକୁ ପଠାଇଥାନ୍ତି। ଚଳିତ ବର୍ଷ ଖରାଟିଆ ବାଇଗଣ, କାକୁଡି, ଜହ୍ନି, ଭେଣ୍ଡି, କଲରା ଓ ପୋଟଳ ଚାଷ କରିଥିବା ଚାଷୀ ହତାସ ହୋଇଛି। ଯେଉଁ କିଆରିରୁ ଦୈନିକ କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା ବାହାରୁଥିଲା ସେ ଜମିରେ ୫ ରୁ ୧୦ କିଲୋ ବାଇଗଣ ତୋଳିବାକୁ ହେଉଛି। ଏପରିକି ଅଧା ବାଇଗଣ ପୋକ ଖିଆ ବାହାରୁଛି। ଏବେ ଉତ୍ପାଦନ କମ୍ ଥିବାରୁ ବାଇଗଣ କିଲୋ ହାଟରେ ୪୦ ରୁ ୫୦ ଦର ଖାଉଟିଙ୍କୁ ଅତିଷ୍ଠ କରିଛି। ଏହି ଅଞ୍ଚଳର ମଙ୍ଗୁଳି ବେହେରା, ପଞ୍ଚୁ ବେହେରା, ଭାଗ୍ୟଧର ବେହେରା, ସହଦେବ ରାଉତ, ହରି ବେହେରା, ଯଶୋବନ୍ତ ଦାସ, ପ୍ରଦୋଷ ରାଉତ, ବ୍ରହ୍ମାନନ୍ଦ ଧର ପ୍ରମୁଖ ଚାଷୀ ବାଇଗଣ, ଝୁଡଙ୍ଗ, ଭେଣ୍ଡି, କାକୁଡି ଓ କଲରା ଆଦି ଚାଷରେ କ୍ଷତି ସହିଥିବା କହିଛନ୍ତି। ସେହିପରି କୁଶପଙ୍ଗିର ସୁଧା ବେହେରା, କଟକିଆ ବେଉରା, କବି ସ୍ୱାଇଁ, ଦିଗାମ୍ବର ବେଉରା, ଧଡି ବେହେରା, ସଂଜୟ ବେଉରା, ଟୁଟୁ ବେଉରା, ମୂଷା ସ୍ୱାଇଁ ପ୍ରମୁଖ ଚାଷୀ ଚଳିତ ବର୍ଷ ପୋଟଳ ଚାଷରେ ବ୍ୟାପକ କ୍ଷତି ସହିଛନ୍ତି। ପ୍ରଚଣ୍ଡ ଖରାରେ ପୋଟଳ ଗଛ ମରିଯିବା, ଫୁଲକଷି ଶୁଖି ଝଡି ପଡିବା ଆଦି କାରଣରୁ ଗଛରେ ଫଳ ଧରୁନାହିଁ। ବ୍ୟୟବହୁଳ ପୋଟଳ ଚାଷରେ ୨୦ ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଚାଷରେ ଚଳିତ ବର୍ଷ କ୍ଷତି ସହିଥିବା ଚାଷୀ କ୍ଷତି ଭରଣା କରିବା ପାଇଁ ଲକ୍ଷ୍ୟ ରଖିଥିଲା ବେଳେ ଖରା ଚାଷ ବିଗାଡିଛି। କିଆରିରୁ ୨୦ ରୁ ୩୦ କେଜି ପୋଟଳ ଅମଳ କରିବା ପରିବର୍ତ୍ତେ କିଲୋରୁ ଦେଢ କିଲୋ ପୋଟଳ ତୋଳି ଚାଷୀ ଦୁଃଖ ସାଉଁଟୁଥିବା ଦେଖିବାକୁ ମିଳିଛି। କୃଷି ବିଭାଗ ଏବଂ ରାଜ୍ୟ ସରକାର ଚାଷୀ ପାଇଁ ଆର୍ଥିକ ଋଣ ସହାୟତା ଯୋଗାଇଦେଲେ ଆଗାମୀ ଚାଷ ପାଇଁ ଚାଷୀ ଅଣ୍ଟା ଭିଡିବ ବୋଲି ଚାଷୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
Comments are closed.