ଟିଟିଲାଗଡ଼ :ବଲାଙ୍ଗିର ଜିଲା ତଥା ଟିଟିଲାଗଡ ଉପଖଣ୍ଡରେ ମାଳ ମାଳ ମଦ ଦୋକାନ। କରୋନା ମହାମାରୀକୁ ନେଇ ଲକଡାଉନ, ସଟଡାଉନ ପରେ ମଦ ବେପାର ଏବେ ପୁଣି ସାମାନ୍ୟ ହୋଇଛି। ଅପରପକ୍ଷରେ ମଦ ବେପାରକୁ ନିୟନ୍ତ୍ରଣ କରୁଥିବା ଅବକାରୀ ଅଧିକାରୀଙ୍କୁ ଏନେଇ କୌଣସି ତଥ୍ୟ ମାଗିଲେ ଲୁଚାଉଥିବା ତଥା ବିଚିତ୍ର ଉତ୍ତର ମିଳୁଥିବା ଅଭିଯୋଗ ହୋଇଛି। ଟିଟିଲାଗଡ ସହରର ସୂଚନା ଅଧିକାର କର୍ମୀ ତଥା ଆଇନଜୀବୀ ରଘୁନାଥ ରଥ ସୂଚନା ଅଧିକାର ଆଇନ ବଳରେ ଜିଲା ଅବକାରୀ ଅଧିକ୍ଷକଙ୍କ ଠାରୁ ଲୋଡିଥିବା ସୂଚନା ଦିଆଯାଉ ନଥିବା ନେଇ ପ୍ରାୟ ୪ ମାସ ହେଲା ବଲାଙ୍ଗିର ଏଡିଏମଙ୍କ ଠାରେ ଅପିଲ କରିଛନ୍ତି। ହେଲେ କୌଣସି ତଥ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ ଆଇନଜୀବୀ ଶ୍ରୀ ରଥ ବଲାଙ୍ଗିର ଜିଲାରେ କେତେ ସଂଖ୍ୟକ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶି ଓ ବିଦେଶୀ ମଦ ଦୋକାନ ରହିଛି। କେବେ ଠାରୁ ଏହି ମଦ ଦୋକାନ ସବୁ ଖୋଲାଯାଇଛି। ମଦ ଦୋକାନ ଲାଇସେନ୍ସ ପାଇଁ ଦୋକାନ ମାଲିକ କଣ ସବୁ କାଗଜପତ୍ର ଦାଖଲ କରିଛନ୍ତି। ଜିଲାରେ ଅବକାରୀ ବିଭାଗରେ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ କର୍ମଚାରୀଙ୍କ ତାଲିକା ଆଦି ନେଇ ଆଇନଜୀବୀ ରଥ ସୂଚନା ଲୋଡିଥିଲେ। ହେଲେ ମାସ ମାସ ଗଡିଯିବା ପରେ ମଧ୍ୟ ଅବକାରୀ ବିଭାଗ କୌଣସି ତଥ୍ୟ ଦେଉ ନଥିବା ଅଭିଯୋଗ ହୋଇଛି। ଏନେଇ ବଲାଙ୍ଗିର ଏଡିଏମଙ୍କ ପାଖରେ ଭିନ୍ନ ଭିନ୍ନ ସୂଚନା ନେଇ ଶ୍ରୀ ରଥ ଅପିଲ ଦାଖଲ କଲେ ମଧ୍ୟ ଶୁଣାଣି ହେଉ ନଥିବା କି ଅବକାରୀ ବିଭାଗକୁ ସମସ୍ତ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇ ନଥିବା ସନ୍ଦେହ ସୃଷ୍ଟି କରିଛି। ସରକାରୀ ବାବୁ ତଥ୍ୟ ପ୍ରଦାନ ନେଇ ଏଭଳି ଅବହେଳା ସୂଚନା ଅଧିକାରୀ ପ୍ରତି ଆଖିଠାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।



