ନିଷ୍ଠୁର ସ୍ବାମୀ : ପ୍ରମାଣ ନଷ୍ଟ ପାଇଁ ନିଜ ପତ୍ନୀଙ୍କୁ ହତ୍ୟା ପରେ ଜାଳିଦେଲା ସ୍ବାମୀ
ବେଲଗାଁ : ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡା ଠାରେ ମଙ୍ଗଳବାର ରାତି ଅଧରେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ୱାମୀ ନିଜ ଧର୍ମପତ୍ନୀଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ହତ୍ୟା ଘଟଣାକୁ ଚପାଇବା ପାଇଁ କିଛି ଲୋକ ହତ୍ୟାକାରୀଙ୍କୁ ସହଯୋଗ ସହ ରାତିଅଧିଆ ମୃତଦେହକୁ ପୋଡି ଦେଇଥିବା ଜଣାଯାଇଛି। ଉକ୍ତ ଘଟଣା ନେଇ ଗ୍ରାମରେ ଆଲୋଚନା ଜୋର ଧରିଥିବା ବେଳେ ପୁଲିସ ଆସି ତଦନ୍ତ ଆରମ୍ଭ କରିଛି।
ଏନେଇ ଟିକ୍ରାପଡା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁଙ୍କ କହିବା ଅନୁଯାୟୀ , ଅଭିଯୁକ୍ତ ସ୍ୱାମୀ ତ୍ରିଲୋଚନ ରାଜପାଲିଆ ପ୍ରାୟ ୧୫ ବର୍ଷ ପୂର୍ବେ ବେଲପଡା ଥାନା ଅନ୍ତର୍ଗତ ରାଇଖାଲ ଗ୍ରାମର ସୁରେଖା(୩୫)ଙ୍କୁ ବିବାହ କରିଥିଲେ। ସେମାନଙ୍କ କୌଣସି ସନ୍ତାନସନ୍ତତି ନଥିଲା। ତ୍ରିଲୋଚନ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ସହ କଳହ କରୁଥିଲା। ମଙ୍ଗଳବାର ରାତ୍ରିରେ ଘରକୁ ଫେରି ଗଣ୍ଡଗୋଳ କରିଥିଲା। ମଧ୍ୟରାତ୍ରରେ ସ୍ତ୍ରୀ ସୁରେଖା ଶୋଇଥିବା ବେଳେ ବେକକୁ ଲକ୍ଷ୍ୟ କରି ଟାଙ୍ଗିଆ ଚୋଟ ମାରିଥିଲା। ଫଳରେ ଘଟଣାସ୍ଥଳରେ ସୁରେଖାଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀର ମୃତ୍ୟୁ ଘଟିଥିବା ଜାଣିବା ପରେ ତ୍ରିଲୋଚନ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଘରେ ବସି ରହିଥିଲା। ପରେ ନିଜ ବାପା ନର୍ଭେରାମଙ୍କୁ ଏସମ୍ପର୍କରେ ଜଣାଇଥିଲା। ଏନେଇ ବାପପୁଅ ମିଶି କିଛି ଲୋକଙ୍କୁ ଡାକି ରାତିରେ ମୃତଦେହକୁ ନେଇ ସ୍ଥାନୀୟ ନଦୀ ଶଯ୍ୟାରେ ପୋଡିଦେଇଥିଲେ। ଏକ ଟ୍ରାକ୍ଟରରେ ମୃତଦେହକୁ ଜାଳିବା ପାଇଁ କାଠ ନିଆଯାଇଥିବା ଆଲୋଚନା ହୋଇଛି। ଘଟଣା ନେଇ ସକାଳୁ ରାଇଖାଲ ଗ୍ରାମରୁ ସୁରେଖାଙ୍କ ପରିଜନ ଆସି ଟିକ୍ରାପଡା ଫାଣ୍ଡି ଅଧିକାରୀଙ୍କୁ ଏସମ୍ପର୍କରେ ଅବଗତ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏନେଇ ବଲାଙ୍ଗୀରରୁ ସ୍ୱତନ୍ତ୍ର ଡଗ ସ୍କ୍ୱାର୍ଡ, ସାଇନ୍ଟିଫିକ ଟିମ ସହ ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାଶ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଆଗରେ ଅଭିଯୁକ୍ତ ତ୍ରିଲୋଚନ ପତ୍ନୀକୁ ହତ୍ୟା କରିଥିବା ସ୍ୱୀକାର ସହ ଘର ପାଖ ଗୁହାଳରୁ ହତ୍ୟା କାଣ୍ଡରେ ବ୍ୟବହୃତ ରକ୍ତ ଭିଜା ଟାଙ୍ଗିଆ ପୁଲିସ ଜବତ କରିଥିଲା। ଘରେ ପଲଙ୍କ ତଳେ ମୃତଦେହରୁ ଝରିଥିବା ରକ୍ତ ପୁଲିସ ଚିହ୍ନିତ କରିଥିଲା। ଅନୁସନ୍ଧାନକାରୀ କୁକୁର ରକ୍ତର ଗନ୍ଧ ବାରି ନଦୀ ଶଯ୍ୟାରେ ଶବ ପୋଡାଯାଇଥିବା ସ୍ଥାନକୁ ଯାଇଥିଲା। ଭାରପ୍ରାପ୍ତ ମାଜିଷ୍ଟ୍ରେଟ ଡ. ଲଲିତ ବାଗଙ୍କ ଉପସ୍ଥିତିରେ ପୁଲିସ ନଦୀ ଶର୍ଯ୍ୟାରୁ ସମ୍ପୂର୍ଣ୍ଣ ପୋଡିଯାଇଥିବା ମୃତଦେହର ଅସ୍ଥି ଏବଂ ପାଉଁଶ ଅଧିକ ତଦନ୍ତ ପାଇଁ ସଂଗ୍ରହ କରିଛି। ଅପରପକ୍ଷରେ ହତ୍ୟା ପରେ ମୃତଦେହକୁ ପୋଡିବାରେ ସହାୟତା କରିଥିବା ବ୍ୟକ୍ତିଙ୍କ ଚିହ୍ନଟ ହୋଇସାରିଥିବା ବେଳେ ସେମାନେ ଫେରାର ଥିବା ପୁଲିସ କହିଛି। ପୁଲିସ ଉଭୟ ବାପପୁଅକୁ ଗିରଫ ସହ ଅଧିକ ପଚରାଉଚୁରା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶିହରଣ ଖେଲିଯାଇଛି।
Comments are closed.