www.samajalive.in
Monday, December 15, 2025
24.1 C
Bhubaneswar

‘ସହିଦ ବାଜି ରାଉତଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେଉ’

ଢେଙ୍କାନାଳ : ଭୁବନ ବ୍ଲକର ନୀଳକଣ୍ଠପୁର ଗ୍ରାମରେ ଓ ଢେଙ୍କାନାଳ ସହରସ୍ଥିତ ବାଜିଚୌକରେ ସହିଦ ବାଜି ରାଉତଙ୍କ ୮୦ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ସବରେ ଆଜିର ଯୁବପିଢି ସହିଦ ବାଜି ରାଉତଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଥିଲେ।
ଭୁବନ ବ୍ଲକର ନୀଳକଣ୍ଠପୁର ଗ୍ରାମରେ ବାଜି ରାଉତ ସ୍ମୃତି ପରିଷଦ ସମ୍ପାଦକ କୃଷ୍ଣଚନ୍ଦ୍ର ଆଇଚଙ୍କ ସଭାପତିତ୍ୱରେ ଶ୍ରାଦ୍ଧୋତ୍ସବ ସଭା ଅନୁଷ୍ଠିତ ହୋଇଥିଲା। ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥିଭାବେ ଯୋଗଦେଇ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ଓ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ ଓ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ସେ ତାଙ୍କର ସମ୍ବୋଧନରେ କହିଥିଲେ ଯେ ଶ୍ରାଦ୍ଧୋତ୍ସବ ପାଳନ ମାଧ୍ୟମରେ ଆମ୍ଭେ ସହିଦ ବାଜି ରାଉତଙ୍କ ସ୍ମୃତିଚାରଣ କରୁଛନ୍ତି। ତେବେ ତାଙ୍କ ଆଦର୍ଶରେ ଅଞ୍ଚଳର ଯୁବପିଢ଼ି ଅନୁପ୍ରାଣିତ ହେଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏଣୁ ଯୁବ ପିଢି ବାଜିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ ନୀଳକଣ୍ଠପୁର ଗ୍ରାମ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇସାରିଛି। ଏହି ମାଟିରୁ ମାଟି ନିଆଯାଇ ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମ ପଡ଼ିଆରେ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଉଛି। ଏହି ଅଞ୍ଚଳର ଜନସାଧାରଣ ବାଜି ରାଉତ ଓ ଅନ୍ୟ ସହିଦମାନଙ୍କ ଅବଦାନ ପ୍ରତି ନିଜକୁ ଗୌରବାନ୍ୱିତ ମନେକରିବାକୁ ଆହ୍ୱାନ ଦେଇଥିଲେ। ସହିଦପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସର୍ବଦା ସହଯୋଗ କରିଆସୁଛନ୍ତି ଓ ଭବିଷ୍ୟତରେ କରିବେ ବୋଲି କହିଥିଲେ। ବାଜି ରାଉତ ସ୍ମୃତି ପରିଷଦ ସମ୍ପାଦକ କୃଷ୍ଣଚନ୍ଦ୍ର ଆଇଚ ଯୋଗଦେଇ ଏଥିରେ ସେ ପ୍ରଜାମଣ୍ଡଳ ଆନ୍ଦୋଳନ ଓ ସହିଦ ବାଜି ରାଉତଙ୍କ ଆତ୍ମବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। କାମାଖ୍ୟାନଗର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭୁବନ ତହସିଲଦାର ଶକ୍ତିକାନ୍ତ ରାୟ ଅତିଥିଭାବେ ଯୋଗଦେଇ ବାଜି ରାଉତଙ୍କ ଆତ୍ମବଳୀ ଆମ ସ୍ୱାଧୀନତା ସଂଗ୍ରାମର ଆଦ୍ୟପର୍ବ ଥିଲା ବୋଲି କହିଥିଲେ। ଏହି ଅବସରରେ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀ ଘାଟରେ ସହିଦଙ୍କ ଉଦ୍ଦ୍ୟେଶରେ ତିଳତର୍ପଣ କରାଯାଇଥିଲା। ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ନୀଳକଣ୍ଠପୁର ବ୍ରାହ୍ମଣୀ ଘାଟର ପରିଷ୍କାର, ପରିଚ୍ଛନ୍ନତା ଦିଗରେ ସ୍ମୃତି ପରିଷଦ ଓ ବାଜି ସେନା ତତ୍ପର ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲା ଆରକ୍ଷୀ ବିଭାଗ ତରଫରୁ ସହିଦଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍‍ ଅନର୍‍ ଦିଆଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଭୁବନ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ସାହୁ, ସ୍ମୃତିପରିଷଦର ସଭାପତି କାଳିନ୍ଦୀ ଚରଣ ସାହୁ, ବାଜି ସେନାର ଆବାହକ ଲଳିତ ବେହେରା, ଭୁବନ ସାମ୍ବାଦିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ। ସଭାପତି ଶ୍ରୀ ସାହୁ ଦୀର୍ଘ ୩୮ବର୍ଷ ଧରି ଏହି ପରିଷଦର ସଭାପତି ଥିବାରୁ ମୁଖ୍ୟଅତିଥି ତାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସହିଦ ମାନଙ୍କ ଦାୟାଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଲକ୍ଷେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ରଚନା ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ସକାଳ ୮ଟାରେ ଢେଙ୍କାନାଳ ସହରର ବାଜିଚୌକସ୍ଥିତ ସହିଦ ସ୍ମୃତିସ୍ତମ୍ଭ ଓ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲାପାଳ ନିଖିଲ ପୱନ କଲ୍ୟାଣ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ଓକିଲ ସଂଘ ସମ୍ପାଦକ ଟଙ୍କଧର ବେହେରା ଓ ଢେଙ୍କାନାଳ ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ରହି ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲାପାଳ ଶ୍ରୀ କଲ୍ୟାଣ ବାଜି ରାଉତ ସ୍ମୃତି ସ୍ତମ୍ଭ ଓ ପ୍ରତିମୂର୍ତ୍ତିକୁ ଆସନ୍ତା ପୂଜାରେ ବନ୍ଦ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories