ଓଡ଼ିଆ ଲେଖକ ପରିଷଦ ପକ୍ଷରୁ କବିତା ପାଠୋତ୍ସବ
ବଡ଼ସାହି : ଓଡ଼ିଆ ଲେଖକ ପରିଷଦ ପକ୍ଷରୁ ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ପାଳନ ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। କବୟତ୍ରୀ ରାଜଲକ୍ଷ୍ମୀ ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ସୁବ୍ରତ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। କେବଳ ସ୍ୱାକ୍ଷର ହୋଇ ଉଚ୍ଚଶିକ୍ଷିତ ହେଲେ ମଣିଷ ଭଲ କବି ହୋଇ ପାରିବେ ତାହା ନୁହେଁ, ବରଂ ଜଣେ ନିରକ୍ଷର ବ୍ୟକ୍ତିଙ୍କ ଭିତରେ କବିତ୍ୱର ଭାବ ଜାଗ୍ରତ ହେଲେ ସେ ଜଣେ ଉଚ୍ଚକୋଟୀର କବି ହୋଇ ପାରିବେ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଇଂ ବ୍ରଜମୋହନ ହାଁସ୍ଦା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିନତି ମାଇତି, ଶିବମ୍ ପ୍ରକାଶ ଜେନା, ସୂର୍ଯ୍ୟକାନ୍ତି ପୁହାଣ, ହରିଶ୍ଚନ୍ଦ୍ର ହେମ୍ବ୍ରମ୍, ପ୍ରଭଞ୍ଜନ ମହାପାତ୍ର, ପଦ୍ମାଲି ସାହୁ, ପୁଷ୍ପିତା ଷଢଙ୍ଗୀ ଓ ଯୋଗେଶ୍ୱର ସାହୁ ଯୋଗ ଦେଇଥିଲେ। ଜାହ୍ନବୀ ସାହୁ ଓ ମୌସୁମୀ ପଣ୍ଡାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କବୟତ୍ରୀ ସାଗରିକା ଦାସ, ସବିତା ମହାନ୍ତି, ମୋନାଲିସା ପଣ୍ଡା ପ୍ରମୁଖ ୫୫ଜଣ କବି/କବୟତ୍ରୀ କବିତା ପାଠ କରିଥିଲେ। ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କୁ ନେଇ ‘ସ୍ୱାକ୍ଷରତା ଅଭିଯାନରେ ଶିଶୁ କିଶୋରଙ୍କ ଭୂମିକା’ ଶୀର୍ଷକ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗାୟିତ୍ରୀ ରାଉତ ପ୍ରଥମ ଶୁଭଜିତ୍ ଶୁଭଙ୍କର ଦ୍ୱିତୀୟ ଓ ସୁଶାନ୍ତି ବିନ୍ଧାଣୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନୁଷ୍ଠାନର ସମ୍ପାଦକ ଡା. କୁମାର ବାବୁଲି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜଗତରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।