ବଡ଼ମ୍ବା: କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ପରଜାପଡ଼ା ପଞ୍ଚାୟତରେ ଦିନକୁଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷିତ ସତ୍ୱେ ଏବେ ଉକ୍ତ ପଞ୍ଚାୟତ ଅଧିନସ୍ଥ ପରଜାପଡ଼ା ଏବଂ ଇଛାପୁର ଗ୍ରାମରେ କରୋନା ଗୋଷ୍ଠି ସଂକ୍ରମଣର ରୁପନେଇଥିବା ଅନୁଭୂତ ହେଉଛି। ଫଳରେ ଏଠିକାର ଜନସାଧାରଣ ଏକପ୍ରକାର ଭୟଭିତ ଅବସ୍ଥାରେ କାଳାତିପାତ କରୁଥିବା ପ୍ରକାଶ। ଉକ୍ତ ପଞ୍ଚାୟତରୁ ଇତିମଧ୍ୟରେ କରୋନାରେ ଜଣେ ଯୁବକଙ୍କୁ ମିଶାଇ ୩ଜଣଙ୍କର ଏହି ମହାମାରୀ ଜୀବନ ନେଇଥିବା ବେଳେ ଗୁରୁବାର ଆଉ ୧୭ଜଣ ଆକ୍ରାନ୍ତ ହୋଇଥିବା ସ୍ୱତନ୍ତ୍ର ଆରଟିପିସିଆର ପରୀକ୍ଷାରୁ ଜଣାଯାଇଛି। ଏହା ଜଣାପଡ଼ିବାରେ ସ୍ୱାସ୍ଥ୍ୟ ବିଭାଗର କ୍ଷିପ୍ର କାର୍ଯ୍ୟକାରୀ ଦଳ(ରାପିଡ ରେସପଣ୍ଡ ଟିମ) ସଂପୃକ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ବଡ଼ମ୍ବାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ,ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଶରତଚନ୍ଦ୍ର ଖୁଣ୍ଟିଆଙ୍କ ସହିତ ଯାଇଥିବା ଏହି ଦଳ ସେଠାରେ ଗ୍ରାଉଣ୍ଡ ଜିରୋସ୍ଥିତି ଅନୁଧ୍ୟାନ କରିଥିଲେ।
ସଂକ୍ରମିତ ବ୍ୟକ୍ତିବିଶେଷଙ୍କୁ ଚିକିତ୍ସାଲାଗି ସ୍ଥାନୀୟ କୋଭିଡ ଯତ୍ନ କେନ୍ଦ୍ରକୁ ଆସିବାକୁ ସେମାନେ ପରାମର୍ଶ ଦେଇଥିଲେ। ତେବେ ସଂକ୍ରମିତ ବ୍ୟକ୍ତିମାନେ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେବାକୁ କହିବାରୁ ସେମାନଙ୍କୁ ଆବଶ୍ୟକ ଚିକିତ୍ସା କିଟ୍ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ଏତେ ସଂଖ୍ୟାରେ ସଂକ୍ରମିତ ଘରେ ସଙ୍ଗରୋଧରେ ରହି ଚିକିତ୍ସାହେବା ଘଟଣାକୁ ନେଇ ଅନେକ ସ୍ଥାନୀୟ ଲୋକ ଆଶଂକା ପ୍ରକାଶ କରିଥିବା ଜଣାଯାଇଛି। ବୃଦ୍ଧିପାଇଥିବା ଗୋଷ୍ଠି ସଂକ୍ରମଣକୁ ଦୃଷ୍ଟିଦେଲେ କେତେଦୂର ସାମାଜିକ ଦୂରତା ଏବଂ ସଙ୍ଗରୋଧ ସଂପୃକ୍ତ ଆକ୍ରାନ୍ତଙ୍କ ପରିବାର ଲୋକେ ପାଳନ କରିପାରିବେ ଏହାକୁନେଇ ଗ୍ରାମର ବୁଦ୍ଧିଜୀବୀମାନେ ସନ୍ଦିହାନ ଥିବା ଅନୁସଂଧାନରୁ ଜଣାଯାଇଛି। ପରିସ୍ଥିତି ଦୃଷ୍ଟିରୁ ସେଠାରେ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର କରାଯାଇ ଘଟଣା ଉପରେ ଅହରହ ନଜର ରଖାଯିବା ସହ ସଂକ୍ରମଣ ଶିଙ୍କୁଳିରେ ଅନ୍ତର ଆଣିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।



