ବୁଦ୍ଧ ମହୋତ୍ସବ, ଚନ୍ଦନ ମହୋତ୍ସବ ଓ ବୈଶାଖୀ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ସଂସ୍କୃତି ସମ୍ପନ୍ନ ବଡ଼ମ୍ବାଗଡ଼ଯାତ ଦୀର୍ଘ ମାସେକାଳ ମହୋତ୍ସବରେ ମୁଖରିତ ହେବ

ବଡ଼ମ୍ବା : ଚଳିତବର୍ଷ ଦୀର୍ଘପ୍ରାୟ ମାସେକାଳ ଧରି କଳା ଓ ସଂସ୍କୃତି ସମ୍ପନ୍ନ ବଡ଼ମ୍ବାଗଡ଼ଯାତରେ ପଛକୁପଛ ତିନୋଟି ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ମହଲରେ ଏହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ମାଣିଆବନ୍ଧର ପାରମ୍ପରିକ ବୁଦ୍ଧ ମହୋତ୍ସବ ଏବଂ ବଡ଼ମ୍ବାଗଡ଼ର ଐତିହ୍ୟ ଚନ୍ଦନ ମହୋତ୍ସବ ସମେତ ଜନସାଧାରଣଙ୍କ ଆଗ୍ରହକୁ ଲକ୍ଷରେ ରଖି ନୂତନ ଭାବେ ଏବର୍ଷ ପ୍ରଥମ ବୃହଦମ୍ବା(ମା ଭଟ୍ଟାରିକାଙ୍କ ନାମରେ ବଡ଼ମ୍ବାର ପ୍ରାଚୀନ ନାମ) ବୈଶାଖୀ ମହୋତ୍ସବ ଅନୁଷ୍ଠିତ ହେଉଛି। ଗୁରୁବାର ଏହି ତିନି ମହୋତ୍ସବର ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ମହୋତ୍ସବ ପାଳନ କମିଟିର ମୁଖ୍ୟ ପୁରୋଧା ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଚନ୍ଦନ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପର୍ଯ୍ୟାୟକ୍ରମେ ୨୧ଦିନ ବ୍ୟାପି ବଡ଼ମ୍ବାର ପ୍ରସିଦ୍ଧ ଭଉଁରୀ ଯାତ୍ରା ଏବଂ ଦ୍ୱାଦଶ ଚନ୍ଦନ ମହୋତ୍ସବ, ମାଣିଆବନ୍ଧର ଏକାଦଶ ବୁଦ୍ଧ ମହୋତ୍ସବ ଏବଂ କଚେରୀପଡ଼ା ବାଦସାହା କ୍ଲବ ଆନୁକୂଲ୍ୟରେ ପ୍ରଥମକରି ଅନୁଷ୍ଠିତ ହେଉଥିବା ବୈଶାଖୀ ମହୋତ୍ସବ ପାଳନ ନେଇ ଆଲୋଚନା କରାଯାଇଥିଲା।

prayash

ବୈଠକରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ରାଜ ପରିବାର ସଦସ୍ୟ କୁମାର ତ୍ରିଭୁବନଚନ୍ଦ୍ର ଦେବ,ସାଂସଦ ପ୍ରତିନିଧି ଦିପକ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ୩୧ ନମ୍ବର ଜିଲା ପରିଷଦ ପ୍ରତିନିଧି ମଙ୍ଗୁଳି ସାହୁ, ଚନ୍ଦନ ମହୋତ୍ସବ କମିଟି ସଭାପତି ଚିନ୍ମୟ ପଟ୍ଟନାୟକ, ସମ୍ପାଦକ ଗିରିଜା ପ୍ରସାଦ ମିଶ୍ର, ବୁଦ୍ଧ ମହୋତ୍ସବ ସମ୍ପାଦକ ଅଜିତ ପ୍ରସାଦ ଚୌଧୁରୀ, ବୈଶାଖୀ ମହୋତ୍ସବ ସଭାପତି ସଞ୍ଜୟ କୁମାର ସ୍ୱାଇଁ,ବ୍ଲକ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଆମନ୍ତ୍ରିତ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ମହୋତ୍ସବ ପାଳନ କମିଟି ସଦସ୍ୟ ଓ ଉପଦେଷ୍ଟାଙ୍କ ଗହଣରେ ପ୍ରଥମେ ମହାପ୍ରଭୁ ଗୋପୀନାଥ ଦେବ, ଶ୍ରୀଲୋକନାଥ ଦେବ, ରାଧାକାନ୍ତ ଦେବ ଏବଂ ସିଂହନାଥ ଦେବଙ୍କ ୨୧ ଦିନ ବ୍ୟାପି ଭଉଁରୀ ଯାତ୍ରା ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରୁ ଦେବୋତ୍ତର ବିଭାଗ ପରିଚାଳନାରେ ଯଥାରୀତି ପାଳନ ହେବବୋଲି ପ୍ରସ୍ତାବ ଗୃହିତ ହୋଇଥିଲା। ସେହିଭଳି ଚଳିତବର୍ଷ ବିନା ରାସ୍ତା ଚାନ୍ଦା ଆଦାୟରେ ଏହି ଯାତ୍ରା ସହିତ ଆସନ୍ତା ମେ ମାସ ୯ ତାରିଖରୁ ୧୩ ତାରିଖ ପାଞ୍ଚଦିନ ବ୍ୟାପି ଚିତାକର୍ଷକ ଚନ୍ଦନ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ମେ ମାସ ୪ ତାରିଖରୁ ୮ ତାରିଖ ମାଣିଆବନ୍ଧ ବୁଦ୍ଧ ବିହାର ପରିସରରେ ଏକାଦଶ ବୁଦ୍ଧ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଗାମୀ ୧୨ ତାରିଖରୁ ୧୮ ତାରିଖ ସପ୍ତାହେ ବ୍ୟାପି କଲେଜ ପଡ଼ିଆରେ ବୈଶାଖୀ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଚନ୍ଦନ ମହୋତ୍ସବର ଶୁଭାରମ୍ଭ ଏବଂ ଅନ୍ତିମ ଦିବସରେ ଆକର୍ଷଣୀୟ ପଟ୍ଟୁଆର ଏବଂ ଆତସବାଜି ସହିତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚାପଖେଳକୁ ବିଜେ କରିବେ। ସେହିଭଳି ବୁଦ୍ଧ ମହୋତ୍ସବ ଏବଂ ଚନ୍ଦନ ମହୋତ୍ସବର ସାଂସ୍କୃତିକ ସଂଧ୍ୟାରେ ଜିଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ରାଜ୍ୟର ଲବ୍ଧପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ପ୍ରତ୍ୟହ ସଂଧ୍ୟାରେ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରଥମେ ଆସନ୍ତା ୧୨ ତାରିଖରୁ ଅନୁଷ୍ଠିତ ହେବାକୁଥିବା ବୈଶାଖୀ ମହୋତ୍ସବରେ ରାଜ୍ୟ ସିନେ ଜଗତ,ବଲିଉଡ ସମେତ ଭୁବନେଶ୍ୱର ଏବଂ କଲିକତାର ପ୍ରତିଷ୍ଠିତ ଅନୁଷ୍ଠାନର କଳାକାରଙ୍କ ନୃତ୍ୟସଙ୍ଗୀତ ସାଙ୍ଗକୁ ଶତାଧିକ ଷ୍ଟଲ ଖେଲାଯିବ। ଉତ୍ସବ ପାଳନ ସମୟରେ ଆଇନ ଶୃଖଂଳା ଓ ଶାନ୍ତିଶୃଖଂଳା ବଜାୟ ରଖିବାକୁ ପର୍ଯ୍ୟାପ୍ତ ପୁଲିସ ବାହିନୀ ମୁତୟନ, ନିରବଛିନ୍ନ ବିଦ୍ୟୁତ ଓ ପାଇପ ତଥା ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ସ୍ୱଛ ପରିମଳ, ସ୍ୱାସ୍ଥ୍ୟସେବା, ନିରାପତ୍ତା ଲାଗି ସଜାଗ ଅଗ୍ନିଶମ ଶିବିର ଆଦି ଖୋଲାଯିବା ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।

Comments are closed.