ନକ୍ସଲ୍‍ ମୁକାବିଲା: ବାବା ରାମଦେବଙ୍କ ସହାୟତା ନେବେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ସର୍ବାଧିକ ନକ୍ସଲ୍‍ ଉପଦ୍ରୁତ ଅଞ୍ଚଳ ଭାବେ ପରିଚିତ ଦେଶର ୩୫ଟି ଜିଲାର ୪୫୦ ଗ୍ରାମର ଅଧିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ଲାଗି କେନ୍ଦ୍ର ସରକାର ବାବା ରାମଦେବଙ୍କ ସହାୟତା ନେବେ। ଏହି ପ୍ରସ୍ତାବକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅନୁମୋଦନ କରିଛି। ସେହି ସବୁ ଜିଲାରେ ମୁତୟନ ସିଆରପିଏଫ୍‍ ଯବାନ୍‍ଙ୍କ ଜରିଆରେ ଏହି ଲକ୍ଷ୍ୟ ପୂରଣ ଲାଗି ଯୋଜନା ହୋଇଛି। ପ୍ରତି ଜିଲା ପାଇଁ ବାର୍ଷିକ ୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ଯୋଜନା ଅନୁଯାୟୀ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜଳ ଅମଳ, ମତ୍ସ୍ୟ ଚାଷ, ରେଶମ ଉତ୍ପାଦନ, ମହୁ ସଂଗ୍ରହ ଆଦି ପାଇଁ ଗ୍ରାମବାସୀଙ୍କୁ ସିଆରପିଏଫ୍‍ ଯବାନମାନେ ପ୍ରୋତ୍ସାହନ ଓ ତାଲିମ୍‍ ଯୋଗାଇ ଦେବେ। ଏଥିସହିତ ସେଠାକାର ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ୍‍ ଦିଆଯିବ। ସିଆରପିଏଫ୍‍ କ୍ୟାମ୍ପରେ ଏହି ତାଲିମ୍‍ ଶିବିର ପରିଚାଳିତ ହେବ। ମହରାଷ୍ଟ୍ରର ଗଡଚିରୋଲି ଗ୍ରାମରେ ଏହି ଯୋଜନା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇ ସଫଳ ହୋଇଥିବା ଜଣାପଡ଼ିଛି। କିନ୍ତୁ ନକ୍ସଲ୍‍ଙ୍କ ହିଂସାତ୍ମକ କାର୍ଯ୍ୟକଳାପ ପ୍ରତିହତ କରିବା ଓ ସେମାନଙ୍କୁ ମୁକାବିଲା ପାଇଁ ପ୍ରଥମେ ଧ୍ୟାନ ଦେବାକୁ ପଡ଼ୁଥିବାରୁ ସିଆରପିଏଫ୍‍ ଯବାନଙ୍କ ହାତରେ ସାମାଜିକ ଉନ୍ନୟନମୂଳକ କାମ ପାଇଁ ଖୁବ୍‍ କମ୍‍ ସମୟ ରହୁଛି। ତେଣୁ କେନ୍ଦ୍ର ସରକାର ବାବା ରାମଦେବ ବାବାଙ୍କ ସହାୟତା ଲୋଡ଼ିଛି। ବାବା ରାମଦେବଙ୍କ ପତଞ୍ଜଳି ସଂସ୍ଥା ନକ୍ସଲ୍‍ ଉପଦ୍ରୁତ ଅଞ୍ଚଳର ଲୋକଙ୍କଠାରୁ ମହୁ ଓ ରେଶମ ଆଦି କିଣିବ। ଏହାଦ୍ୱାରା ଲୋକଙ୍କ ଭିତରେ ଔଦ୍ୟୋଗିକ ମନୋଭାବ ବୃଦ୍ଧି ପାଇବା ସହିତ ସେମାନେ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ। ପର୍ଯ୍ୟାୟକ୍ରମେ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‍ ଖୋଲିବ ଓ ସେଥିରେ ସ୍ଥାନୀୟ କଞ୍ଚାମାଲ୍‍ ଓ ସିଆରପିଏଫ୍‍ କ୍ୟାମ୍ପରୁ ତାଲିମପ୍ରାପ୍ତ କୁଶଳୀ ଯୁବବର୍ଗଙ୍କୁ ନିୟୋଜିତ କରାଯିବ।

Leave A Reply