www.samajalive.in
Saturday, December 6, 2025
14.1 C
Bhubaneswar

ଆକ୍ରମଣରେ ‘ସମାଜ’ ସହକାରୀ ପରିଚାଳକଙ୍କ ସମେତ ୨ ଆହତ

ଦୁଇ ଗିରଫ, ଜଣେ ଫେରାର

ଭୁବନେଶ୍ୱର/ନନ୍ଦନକାନନ : କେତେକ ଦୁର୍ବୃତ୍ତ ଚନ୍ଦକା-ଅନ୍ଧାରୁଆ ରାସ୍ତାରେ ଦୌରାତ୍ମ୍ୟ ଦେଖାଇଛନ୍ତି। ଶନିବାର ସନ୍ଧ୍ୟାରେ ସେମାନଙ୍କ ଆକ୍ରମଣରେ ‘ସମାଜ’ର ଜଣେ ବରିଷ୍ଠ କର୍ମଚାରୀଙ୍କ ସମେତ ୨ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର୍‍ ହୋଇଯାଇଥିବା ସୂଚନା ମିଳିଛି।
ପୁଲିସ ସୂଚନା ଅନୁଯାୟୀ ‘ସମାଜ’ର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସହକାରୀ ପରିଚାଳକ (ମାନବସମ୍ବଳ) ଭାବେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ସାହୁ ଓ ଅନ୍ୟ ଜଣେ କର୍ମଚାରୀ ସନ୍ତୋଷ କୁମାର ବିଶ୍ୱାଳ ଏକ ବାଇକ୍‍ ଯୋଗେ ସନ୍ଧ୍ୟାରେ କଟକରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲେ। ସେମାନେ ଚନ୍ଦକାରୁ ଅନ୍ଧାରୁଆ ରାସ୍ତା ଦେଇ ଆସୁଥିବା ବେଳେ ଅନ୍ୟ ଏକ ବାଇକ୍‍ରେ ୩ ଜଣ ଅଚିହ୍ନା ଯୁବକ ସେମାନଙ୍କୁ ନିଛାଟିଆ ଜାଗାରେ ଡକାୟତି ଉଦ୍ଦେଶ୍ୟରେ ଅଟକାଇବାକୁ ଉଦ୍ୟମ କରିଥିଲେ; ମାତ୍ର ସେମାନେ ନ ଅଟକି ଦ୍ରୁତଗତିରେ ପଳାଇ ଆସିବାକୁ ଚେଷ୍ଟା କରିଥିଲେ। ଏହାଦେଖି ଦୁର୍ବୃତ୍ତମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାଇକ୍‍କୁ ପିଛା କରିଥିଲେ। ଏକ ପେଟ୍ରୋଲ ଟାଙ୍କି ନିକଟରେ ବାଇକ୍‍ର ଗତି ଧିମେଇ ଯିବା ଦେଖି ଦୁର୍ବୃତ୍ତମାନେ ସହକାରୀ ପରିଚାଳକ ଶ୍ରୀ ସାହୁଙ୍କ ବାଇକ୍‍ ସାମ୍‍ନାରେ ସେମାନଙ୍କ ନାଲି ରଙ୍ଗର ପଲ୍‍ସର ବାଇକ୍‍ (ନଂ ଓଆର ୦୨ବିଏନ୍‍ ୫୧୨୧)କୁ ରଖିଦେଇଥିଲେ। କାହିଁକି ରାସ୍ତାରେ ନଅଟକିଲ ବୋଲି କହି ଦୁର୍ବୃତ୍ତମାନେ ଶ୍ରୀ ସାହୁ ଓ ଶ୍ରୀ ବିଶ୍ୱାଳଙ୍କୁ ହେଲ୍‍ମେଟରେ ନିସ୍ତୁକ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଦୁର୍ବୃତ୍ତମାନେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହି ମାଡ଼ରେ ଶ୍ରୀ ସାହୁଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ତିନୋଟି ଅଙ୍ଗୁଠି ଫାଟିଯାଇ ରକ୍ତସ୍ରାବ ହୋଇଥିଲା। ସେହିପରି ଦୁର୍ବୃତ୍ତଙ୍କ ମାଡ଼ରେ ଶ୍ରୀ ବିଶ୍ୱାଳଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି। ସମ୍ପୃକ୍ତ ଦୁବୃର୍ତ୍ତମାନେ ପ୍ରଚୁର ମଦ୍ୟପାନ କରିଥିଲେ। ଏଭଳି ଗଣ୍ଡଗୋଳ ଦେଖି ନିକଟସ୍ଥ ପେଟ୍ରୋଲ ଟାଙ୍କିର କେହି କର୍ମଚାରୀ ଥାନାକୁ ଫୋନ୍‍ କରିଦେବାରୁ ଚନ୍ଦକା ଥାନା ପିସିଆର ଭ୍ୟାନ୍‍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ଏହି ଦୁର୍ବୃତ୍ତମାନେ ପୁଲିସକୁ ସାମାନ୍ୟ ଖାତିର କରିନଥିଲେ। ବରଂ ପିସିଆର କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ପୁଲିସ ସମ୍ମୁଖରେ ‘ସମାଜ’ର ଉଭୟ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛ। ପୁଲିସ ଏହି ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ର ୩୪୧, ୨୯୪, ୩୨୩, ୫୦୬ ଓ ୩୪ ଦଫାରେ ଏକ ମାମଲା ରୁଜୁ କରିବା ସହ ଉଭୟ ଆହତ କର୍ମଚାରୀଙ୍କ ଡାକ୍ତରୀ ପରୀକ୍ଷା କରାଇଛି।

- Advertisement -

ଘଟଣାସ୍ଥଳରୁ ପୁଲିସ ୨ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଥାନାକୁ ଆଣିଥିଲା। ଅଭିଯୁକ୍ତ ଯୁବକମାନେ ହେଲେ ଦାରୁଠେଙ୍ଗ ଗ୍ରାମର ପ୍ରମୋଦ ପାଲଟାସିଂଙ୍କ ପୁଅ ରାଜେନ ପାଲଟାସିଂ ଏବଂ ଗୋଲକ ପାଲଟାସିଂଙ୍କ ପୁଅ ଯତୀନ ପାଲଟାସିଂ ବୋଲି ପୁଲିସ ପ୍ରକାଶ କରିଛି। ତେବେ ଅନ୍ୟଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଫେରାର ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନିମନ୍ତେ ଡିସିପି ଅନୁପ ସାହୁ ଚନ୍ଦକା ଥାନା କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି।
ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଥାନା ଅଧିକାରୀ ସୁନୀଲ କୁମାର ବେହେରା କହିଛନ୍ତି। ତେବେ ଅଭିଯୁକ୍ତ ଯୁବକମାନେ ଅନ୍ୟ କେଉଁସବୁ ଥାନାରେ ରାହାଜାନୀ ଭଳି ଅପରାଧରେ ଜଡ଼ିତ ଅଛନ୍ତି କି ନାହିଁ ସେନେଇ ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଚନ୍ଦକା ଥାନାର ବିଭିନ୍ନ ଅଞ୍ଚଳରେ ଅନ୍ଧକାରର ସୁଯୋଗ ନେଇ ବିଭିନ୍ନ ସମୟରେ ଅପରାଧୀମାନେ ସକ୍ରିୟ ହୋଇ ଉଠୁଥିବା ଅଭିଯୋଗ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ସାଧାରଣରେ ମତପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories