ତରଡିଙ୍ଗରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଆଠଗଡ: ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗୁରୁବାର ରାତିରେ ତରଡିଙ୍ଗରେ ରାଜନୈତିକ ହିଂସାକାଣ୍ଡ ଘଟି ବିଜେପି ସମର୍ଥକଙ୍କ ଆକ୍ରମଣରେ ୨ଜଣ ବିଜେଡି ସମର୍ଥକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ସଂଯୁକ୍ତା ମଲ୍ଲିକଙ୍କ ଅଭିଯୋଗକୁ ଆଧାରରେ ପୁଲିସ ତଦନ୍ତ କରିଥିଲା।  ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଗୁରୁବାର ରାତି ପ୍ରାୟ ୯ଟା ବେଳେ ତରଡିଙ୍ଗ ଗ୍ରାମର ହରିଜନ ସାହିରେ ଭାରତୀୟ ଜନତା ପାର୍ଟିର ସମର୍ଥକ ରଞ୍ଜିତ ମଲ୍ଲିକ, ବବୁଲ ମଲ୍ଲିକ, ଜଙ୍ଗଲି ମଲ୍ଲିକ, ଚଗ ମଲ୍ଲିକ, ଜୟା ମଲ୍ଲିକ, ମିଥୁନ ମଲ୍ଲିକ ଓ ଅଭିନ୍ନ ମଲ୍ଲିକ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ।

prayash

ଏପରିକି ସେମାନେ ମଦ ଓ ଟଙ୍କା ବାଣ୍ଟୁଥିଲେ ବୋଲି  ସଞ୍ଜୁକ୍ତା ଅଭିଯୋଗ କରିଥିଲେ। ତେବେ ଏହି ସମୟରେ ବିଜେଡିକୁ ସମର୍ଥନ କରୁଥିବା ଏକ ପରିବାର ଏହାକୁ ବିରୋଧ କରିବାରୁ ବିଜେପି କର୍ମୀମାନେ ହାତରେ ଠେଙ୍ଗାବାଡି ଓ ଅନ୍ୟ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ପ୍ରତିବାଦ କରିଥିବା ବିଜେଡି ସମର୍ଥକ ପ୍ରକାଶ ମଲ୍ଲିକଙ୍କ ଉପରେ ସେମାନେ ଆକ୍ରମଣ କରୁଥିବାବେଳେ ତାଙ୍କୁ ରକ୍ଷା କରିବା ପାଇଁ ତାଙ୍କ ୧୨ବର୍ଷ ପୁତୁରା ଆଦିତ୍ୟ ସେଠାକୁ ଚାଲିଯିବାରୁ ତା ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା। ଉଭୟଙ୍କୁ ସେଠାରୁ ଉଦ୍ଧାର କରି ପରିବାର ଲୋକ ଆଠଗଡ ଡାକ୍ତରଖାନା ଆଣିଥିଲେ।

ପ୍ରାଥମିକ ଚିକିତ୍ସା ପରେ ଆଦିତ୍ୟ (୧୨)ଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗି ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ରଞ୍ଜିତ ମଲ୍ଲିକ, ବବୁଲ ମଲ୍ଲିକ ଓ ମିଥୁନ ମଲ୍ଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ  ସୂଚନା ଦେଇଛି।

Comments are closed.