ବଡମ୍ବା ଓ ଆଠଗଡ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ, ବୁଥରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଆଠଗଡ: ରାଜ୍ୟରେ ୩ୟ ପର୍ଯ୍ୟାୟରେ ମେ ୨୫(ଶନିବାର) ବଡମ୍ବା ଓ ଆଠଗଡ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ବୁଥ ଗୁଡିକରେ ନିର୍ବାଚନ କର୍ମଚାରୀ ପହଞ୍ଚି ସାରିଛନ୍ତି। ଆଠଗଡ ଗୋପବନ୍ଧୁ ବିଜ୍ଞାନ କଲେଜ ପରିସରରୁ ଉଭୟ ବଡମ୍ବା ଓ ଆଠଗଡ ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ନିର୍ବାଚନ କର୍ମଚାରୀମାନେ ଶୁକ୍ରବାର ସକାଳ ୧୨ଟା ସୁଦ୍ଧା ଇଭିଏମ, ଭିଭିପ୍ୟାଟ ମେସିନ ସହିତ ଅନ୍ୟାନ୍ୟ ସାମଗ୍ରୀ ଧରି ନିୟୋଜିତ ଗାଡିଗୁଡିକରେ ଗନ୍ତବ୍ୟସ୍ଥଳକୁ ପ୍ରସ୍ଥାନ କରିଥିଲେ।

ଆଠଗଡ ନିର୍ବାଚନ ମଣ୍ଡଳିର ୨୫୪ଟି ବୁଥ ପାଇଁ ୧୭୭୮ଜଣ କର୍ମଚାରୀ ଓ ପୁଲିସ କର୍ମଚାରୀ ଏବଂ ବଡମ୍ବା ନିର୍ବାଚନ ମଣ୍ଡଳିର ୨୯୨ବୁଥ ପାଇଁ ୨୦୪୪ଜଣ କର୍ମଚାରୀ ଓ ପୁଲିସ ବୁଥରେ ପହଞ୍ôଚ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ହୋଇସାରିଥିବା ଜଣାପଡିଛି। ଏଠାରୁ ନିର୍ବାଚନ କର୍ମଚାରୀମାନଙ୍କୁ ବୁଥ ଅଭିମୁଖେ ଇଭିଏମ ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ପଠାଇବା ପାଇଁ କଲେଜରେ ଭଉୟ ବଡମ୍ବା ଓ ଆଠଗଡ ପାଇଁ ପୃଥକ ସ୍ଥାନରେ ସୁବ୍ୟବସ୍ଥା କରାଯାଇଥିଲା।

ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଶନିବାର ଉଭୟ ନିର୍ବାଚନ ମଣ୍ଡଳିର ସମସ୍ତ ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିବା ପାଇଁ ଏବଂ ଭୋଟ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ଲାଗି ନିର୍ବାଚନ ଅଧିକାରୀ ଶ୍ରୀ ତରାଇ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

Comments are closed.