୫ମ ଥର ଫାଇନାଲରେ ଭାରତ

ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି

ମାଲେସିଆ-ଭାରତ ଫାଇନାଲ ଆଜି , ଶ୍ରୀଜେଶଙ୍କ ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ

prayash

ଚେନ୍ନଇ  : ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି ସପ୍ତମ ସଂସ୍କରଣର ଫାଇନାଲରେ ଆୟୋଜକ ଭାରତ ପ୍ରବେଶ କରିଛି। ଚେନ୍ନଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ୫-୦ ଗୋଲରେ ଜାପାନକୁ ପରାସ୍ତ କରି ପଞ୍ଚମ ଥର ଲାଗି ଫାଇନାଲରେ ପହଞ୍ଚିଛି। ଶନିବାର ଭାରତ ଓ ମାଲେସିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।
ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିବା ଜାପାନ ପ୍ରାରମ୍ଭରୁ ଭାରତକୁ କଡା ଟକ୍କର ଦେଇଥିଲା। ପ୍ରଥମ କ୍ବାର୍ଟର ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତ ଜୋରଦାର ପ୍ରଦର୍ଶନ କରିଥିଲା। ୧୯ ମିନିଟ୍‌ରେ ଭାରତ ପକ୍ଷରୁ ଆକାଶଦୀପ୍‌ ସିଂହ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୨୩ ମିନିଟ୍‌ରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଥିଲେ। ୩୦ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଉକ୍ତ ପେନାଲ୍ଟି କର୍ଣ୍ଣରକୁ ମନଦୀପ୍‌ ସିଂହ ଗୋଲରେ ପରିଣତ କରି ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା। ୩ୟ କ୍ବାର୍ଟରରେ ଜାପାନ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ୩ୟ କ୍ବାର୍ଟରରେ ମଧ୍ୟ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୩୯ ମିନିଟ୍‌ରେ ଭାରତ ୪ର୍ଥ ଗୋଲ ଦେଇଥିଲା। ସୁମିତ ଚମତ୍କାର ଗୋଲ ଦେଇ ଦଳକୁ ୪-୦ରେ ଆଗୁଆ କରିଥିଲେ। ୩ୟ କ୍ବାର୍ଟର ସୁଦ୍ଧା ଭାରତ ୪-୦ ଗୋଲରେ ଆଗରେ ରହିଥିଲା। ଅନ୍ତିମ କ୍ବାର୍ଟରରେ ଭାରତ ରକ୍ଷଣାତ୍ମକ ହକି ଖେଳିଥିବାବେଳେ ଜାପାନ ଗୋଟିଏ ହେଲେ ଗୋଲ ଦେବାରେ ସଫଳ ହୋଇନଥିଲା। ୫୧ ମିନିଟ୍‌ରେ ଭାରତ ପକ୍ଷରୁ ସାଲଭାମ କାର୍ତ୍ତି ୫ମ ଗୋଲ ଦେଇ ଦଳକୁ ୫-୦ରେ ବିଜୟୀ କରାଇଥିଲେ।
ଉକ୍ତ ମ୍ୟାଚରେ ଭାରତୀୟ ଗୋଲ ରକ୍ଷକ ପି.ଆର ଶ୍ରୀଜେଶ ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।
ସେମିଫାଇନାଲରେ ପରାଜିତ ଦୁଇ ଦଳ ଦକ୍ଷିଣ କୋରିଆ ଓ ଜାପାନ ୩ୟ ସ୍ଥାନ ପାଇଁ ମ୍ୟାଚ ଖେଳିବେ। ସେହିପରି ପ୍ରଥମ ସେମିଫାଇନାଲରେ ମାଲେସିଆ ୬-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ୩ଥର ବିଜେତା ପାକିସ୍ତାନ ୫ମ ଓ ଚୀନ୍‌ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି। ସେମିଫାଇନାଲରୁ ବାଦ୍‌ ପଡିଥିବା ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ୫ମ ଓ ୬ଷ୍ଠ ସ୍ଥାନ ପାଇଁ ମ୍ୟାଚ ଖେଳାଯାଇଥିଲା।ଏଥିରେ ପାକିସ୍ତାନ ୬-୧ ଗୋଲରେ ଚୀନ୍‌କୁ ପରାସ୍ତ କରି ୫ମ ସ୍ଥାନ ହାସଲ କରିଛି।

Comments are closed.