ଶ୍ରୀମନ୍ଦିରରେ ବି ଶୃଙ୍ଖଳା ସମ୍ଭବ

0

ମନ୍ଦିର ଏକ ସୁସ୍ଥ ଏବଂ ଆଧ୍ୟାତ୍ମିକ ପରିବେଶର ପ୍ରତୀକ। ଭକ୍ତମାନେ ତାଙ୍କର ମୂଲ୍ୟବାନ ସମୟରୁ କିଛି ସମୟ ବାହାରକରି ମନ୍ଦିର ଯାଆନ୍ତି ନିଜର ଇଷ୍ଟଦେବଙ୍କୁ ଦର୍ଶନ କରି ମାନସିକ ଶାନ୍ତି ପାଇବା ପାଇଁ। ମନ୍ଦିରରେ ପ୍ରତିଷ୍ଠିତ ଦେବତାଙ୍କୁ ନେଇ ମନ୍ଦିର ଧୀରେଧୀରେ ପ୍ରସିଦ୍ଧ ହୁଏ। ମନ୍ଦିର ଯେତେ ପ୍ରସିଦ୍ଧ ହୁଏ ଭକ୍ତଙ୍କର ସମାଗମ ସେତେ ବୃଦ୍ଧିପାଏ। ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କର ସୁଚାରୁ ଦର୍ଶନ ତଥା ମନ୍ଦିରରେ ଏକ ଶୃଙ୍ଖଳିତ ପରିବେଶ ସୃଷ୍ଟି କରିବାର ମାର୍ଗ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କର ମିଳିତ ଦାୟିତ୍ୱ ଯେଉଁଥିରେ ଭକ୍ତମାନଙ୍କର ସହଯୋଗ ମଧ୍ୟ ଏକାନ୍ତ ଅପେକ୍ଷିତ। ତେବେ ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଶାସନ, ସେବାୟତ ଏବଂ ଭକ୍ତଙ୍କୁ ନେଇ ମନ୍ଦିରର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ବିଶ୍ୱ ଇତିହାସରେ ଏକ ସୁପରିଚିତ ସ୍ଥାନ ପାଇଛି। ଏହାର କାରଣ ହେଉଛି ଶ୍ରୀଜଗନ୍ନାଥଙ୍କର ଅପୂର୍ବ ମାହାତ୍ମ୍ୟ, ଶ୍ରୀମନ୍ଦିରର ଶିଳ୍ପକଳା ଏବଂ ମନ୍ଦିରର ଦିବ୍ୟତା। କିନ୍ତୁ ଏବେ ପ୍ରାୟ ଅନେକ ସମୟରେ କିଛି ନା କିଛି ମାନବକୃତ କାରଣକୁ ନେଇ ଶ୍ରୀମନ୍ଦିର ବିଶ୍ୱ ଦରବାରରେ ନିନ୍ଦିତ ହେଉଛି। ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଚତୁର୍ଦ୍ଧାମରୁ ଅନ୍ୟତମ ଶ୍ରେଷ୍ଠ ଧାମର ମାନ୍ୟତା ପାଇଥିବା ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମ ଏଭଳି ନିନ୍ଦିତ ହେବା କେବଳ ଓଡିଶା ନୁହେଁ, ବିଶ୍ୱବାସୀଙ୍କୁ ଦୁଃଖ ଦେଉଛି- ଏହା ଆମେ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରୁଛେ। ତେବେ ଏହାର ତୁରନ୍ତ ପ୍ରତିକାର ନ ହେଲେ ପ୍ରଶାସନ, ସେବାୟତ, ଭକ୍ତ ତଥା ଓଡିଶାର ପ୍ରତ୍ୟେକଟି ଜନସାଧାରଣ ଧାର୍ମିକ, ମାନସିକ ତଥା ଆର୍ଥିକ କ୍ଷେତ୍ରରେ ଗଭୀର ପ୍ରଭାବିତ ହେବେ। ଏ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶର ତିରୁପତିସ୍ଥ ଶ୍ରୀବେଙ୍କଟେଶ୍ୱର (ବାଲାଜୀ) ମନ୍ଦିରର ଉଦାହରଣ ଆମେ ପ୍ରାୟ ନେଇଥାଉ। ଏହାର ପ୍ରମୁଖ କାରଣ ହେଉଛି ବାଲାଜୀ ମନ୍ଦିରର ଶୃଙ୍ଖଳିତ ଆଧ୍ୟାତ୍ମିକ ପରିବେଶ।
ଯେଉଁ ଭକ୍ତ ଥରୁଟିଏ ତିରୁପତି ବାଲାଜୀଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି ସେମାନେ ଏଠାର ନୀତିନିୟମ ଏବଂ ସୁବ୍ୟବସ୍ଥିତ ବ୍ୟବସ୍ଥାକୁ ଦେଖି ଆଚମ୍ବିତ ହୁଅନ୍ତି। ପ୍ରତିଦିନ ଏଠାକୁ ପ୍ରାୟ ଦୁଇ ଲକ୍ଷ ଭକ୍ତ ଦର୍ଶନ କରିବାକୁ ଆସନ୍ତି ଏବଂ ଖୁବ୍ ଶୃଙ୍ଖଳାର ସହ ଦର୍ଶନ କରି ଫେରନ୍ତି। ବେଙ୍କଟେଶ୍ୱର ମନ୍ଦିରର ମୁଖ୍ୟ ମନ୍ଦିରଟି ଯେଉଁଠାରେ ବେଙ୍କଟେଶ୍ୱରଙ୍କର ବିଗ୍ରହ ବିଦ୍ୟମାନ ତାହା ଶ୍ରୀମନ୍ଦିରସ୍ଥ ଲକ୍ଷ୍ମୀମନ୍ଦିର ଭଳି ଛୋଟ ଭବ୍ୟ ମନ୍ଦିରଟିଏ, ଯାହା ସମ୍ପୂର୍ଣ୍ଣ ଭାବରେ ସ୍ୱର୍ଣ୍ଣ ଆଚ୍ଛାଦିତ। ଏଠାରେ ବୈଖାନସ ଆଗମ ତନ୍ତ୍ରରେ ଭଗବାନଙ୍କର ପୂଜା ହୁଏ। ତେଣୁ ଆଗମଶାସ୍ତ୍ରର ନିୟମକୁ ସମ୍ମାନ ଦେଇ ଏହି ମନ୍ଦିର ଭିତରକୁ ପ୍ରବେଶ ଏବଂ ଆଗମନ ରାସ୍ତା ମାତ୍ର ଗୋଟିଏ, ଯାହାଦ୍ୱାରା ଭକ୍ତମାନଙ୍କୁ ପ୍ରାୟ ତିନିରୁ ଚାରି ଘଣ୍ଟା ଲାଗିଥାଏ ଧାଡି ବାନ୍ଧି ଦର୍ଶନ କରିବା ପାଇଁ। ଦ୍ୱିତୀୟରେ ତିରୁପତି ବାଲାଜୀ ମନ୍ଦିରର ଆଧ୍ୟାତ୍ମିକ ବୈଶିଷ୍ଟ୍ୟ ପୁରୀ ଶ୍ରୀଜଗନ୍ନାଥମନ୍ଦିର ତୁଳନାରେ ଖୁବ୍ କମ୍ । ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ଅନେକ ଶାସ୍ତ୍ରୀୟ ମତକୁ ନେଇ ଖୁବ୍ ବଳିଷ୍ଠ। ତିରୁପତି ମନ୍ଦିରର ସେମିତି କିଛି ବଳିଷ୍ଠ ଶାସ୍ତ୍ରୀୟ ମତ ଦୃଷ୍ଟିଗୋଚର ହେଉନଥିବା ଆନ୍ଧ୍ରପ୍ରଦେଶର ବିଶିଷ୍ଟ ବିଦ୍ବାନମାନେ ମତ ଦିଅନ୍ତି। ଯଦିଓ ବରାହ ପୁରାଣ ପ୍ରଭ଼଼ୃତିରେ ଏହାର ଇତିହାସ ମିଳେ, ତଥାପି ତିରୁପତିର ଭଗବାନ୍ କେବେଠାରୁ ଏଠାରେ ପୂଜିତ ତାହା ଅନୁସନ୍ଧାନ ସାପେକ୍ଷ। ଶ୍ରୀବେଙ୍କଟେଶ୍ୱରଙ୍କର ଚତୁର୍ଭୁଜଧାରୀ ମୂର୍ତ୍ତି ଏଠାରେ ସହସ୍ରସହସ୍ର ବର୍ଷ ଧରି ପୂଜିତ, କିନ୍ତୁ ବର୍ତ୍ତମାନର ମନ୍ଦିରଟି ପଞ୍ଚଦଶ ଶତକରେ ବିଜୟନଗରର ପ୍ରତାପୀ ରାଜା ଶ୍ରୀକୃଷ୍ଣଦେବରାୟଙ୍କ ସମୟରେ ପୁନଃନିର୍ମିତ। ଏହା କିନ୍ତୁ ବିଶ୍ୱାସଯୋଗ୍ୟ ଯେ ତିରୁପତିର ଶ୍ରୀବେଙ୍କଟେଶ୍ୱର ସ୍ୱାମୀ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଭକ୍ତମନୋବାଞ୍ଛା ପୂର୍ଣ୍ଣକାରୀ ଦେବତା ଅଟନ୍ତି । ଅପରପକ୍ଷରେ ପୁରୀ ଶ୍ରୀଜଗନ୍ନାଥଙ୍କର ଇତିହାସ, କିମ୍ବଦନ୍ତୀ ଏବଂ ମାହାତ୍ମ୍ୟ ସର୍ବଜନବିଦିତ। ଛାନ୍ଦୋଗ୍ୟ ଉପନିଷଦ୍, ସ୍କନ୍ଦପୁରାଣ, ବ୍ରହ୍ମବୈବର୍ତ୍ତପୁରାଣ, କପିଳ ସଂହିତା ପ୍ରଭୃତି ଅନେକ ଶାସ୍ତ୍ର ଏବଂ ଆଦି ଶଙ୍କରାଚାର୍ଯ୍ୟ, ଶ୍ରୀ ରାମାନୁଜ, ଶ୍ରୀ ଚୈତନ୍ୟ ପ୍ରସିଦ୍ଧ ସାଧୁସନ୍ଥ ଶ୍ରୀକ୍ଷେତ୍ରରେ ଆରାଧିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସାକ୍ଷାତ୍ ମୋକ୍ଷ ପ୍ରଦାୟକ ବୋଲି ଅଭିହିତ କରିଛନ୍ତି। ତେବେ ପ୍ରଶ୍ନ ଉଠେ ଆମର ଏତେ ବଳିଷ୍ଠ କିମ୍ବଦନ୍ତୀ, ଏତେ ବିଶାଳ ମନ୍ଦିର ଏବଂ ସର୍ବ​‌େ​‌ତା ଭାବରେ ଶ୍ରୀଜଗନ୍ନାଥଙ୍କ ଭଳି ବୈଦିକ ଶକ୍ତିମାନ୍ ଦେବତାଙ୍କୁ ସମ୍ମାନ ଦେବାରେ ଆମର ଏତେ କୁଣ୍ଠାବୋଧ କାହିଁକି?
କଥାରେ ଅଛି ଯେଉଁଠି ଭକ୍ତି ଏବଂ ନ୍ୟାୟ ସେଠାରେ ଭଗବାନ୍ ରହନ୍ତି। ଯେଉଁଠି ଅନ୍ୟାୟ ଏବଂ ଶଠ ତଥା ଠକାମି ମନୋବୃତ୍ତି ଥାଏ, ସେଠାରୁ ଧୀରେଧୀରେ ଭଗବାନ୍ ଚାଲିଯାଆନ୍ତି। ସେ ସ୍ଥାନ ଶ୍ରୀହୀନ ହୋଇଯାଏ। ଏହାର ପ୍ରମାଣ ଆମେ ଶ୍ରୀମଦ୍ଭାଗବତରେ ଶ୍ରୀକୃଷ୍ଣଙ୍କର ମଥୁରା ତ୍ୟାଗ ପ୍ରସଙ୍ଗରେ ପାଇଥାଉ। ଯାଦବମାନଙ୍କର ଉପଦ୍ରବରେ ଗୋପ, ମଥୁରା ପ୍ରଭୃତି ନଗରୀ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲା। ତେଣୁ ଶୃଙ୍ଖଳାର ଘୋର ଅଭାବରୁ ପୁରୀ ଭଳି ପବିତ୍ର ତୀର୍ଥକ୍ଷେତ୍ର ସେଭଳି କିଛି ବିପଦର ସମ୍ମୁଖୀନ ନ ହେଉ, ଏହା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ। ଏ ପ୍ରସଙ୍ଗରେ ଆମେ ତିରୁପତି ବେଙ୍କଟେଶ୍ୱର ମନ୍ଦିରର ଶୃଙ୍ଖଳା କ୍ଷେତ୍ରରେ ଅନେକ କିଛି ବୈଶିଷ୍ଟ୍ୟ ଲକ୍ଷ୍ୟ କରୁ। ତିରୁପତି ବାଲାଜୀ ମନ୍ଦିରର ପ୍ରଶାସନ ମନ୍ଦିରର ଶୃଙ୍ଖଳା ପାଇଁ ଖୁବ୍ ଯତ୍ନଶୀଳ । ଏଠି ପ୍ରଶାସନ ଅଧୀନରେ ସେବାୟତ ଏବଂ ଭକ୍ତ ସମସ୍ତେ ରହିବାକୁ ବାଧ୍ୟ। ଦର୍ଶନ ସମୟ ଚାରି ଘଣ୍ଟା ହେଉ ବା ଦଶ ଘଣ୍ଟା ବିଳମ୍ବ ହେଉ ଭକ୍ତମାନେ ଅପେକ୍ଷା କରିବାକୁ ହିଁ ପଡିବ। ପ୍ରତୀକ୍ଷା ଗୃହ ମଧ୍ୟରେ ଖାଦ୍ୟ, ପାନୀୟ ତଥା ପରିସ୍ରାଗାର ଇତ୍ୟାଦିର ସୁବନ୍ଦୋବସ୍ତ ହୋଇଛି। ଯେଉଁ ଭକ୍ତ ପ୍ରଶାସନର ନିୟମରେ ରହିବେ ସେ ନିଶ୍ଚୟ ପ୍ରଭୁଙ୍କର ଦର୍ଶନ କରିବେ। ଯେଉଁ ଭକ୍ତ ତାଙ୍କ ନିୟମରେ ଚାଲିବାକୁ ଅସମର୍ଥ ସେ ଦର୍ଶନରୁ ବଞ୍ଚିତ ହୋଇ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିବେ। ତିରୁପତି ମନ୍ଦିରର ସେବାୟତମାନେ ପ୍ରତିମାସରେ ଯଥୋଚିତ ଦରମା ନେଇ ସେବା କରନ୍ତି। ଏଠାରେ ମନ୍ଦିରର ପୂଜକଙ୍କୁ ଦେଖିଲେ ଭକ୍ତଙ୍କର ଭକ୍ତି ଭାବ ସ୍ୱତଃ ଜାଗ୍ରତ ହୁଏ। ପୂଜକମାନଙ୍କୁ ମଧ୍ୟ ଏଠି ଦେବତାଙ୍କ ଭଳି ସମ୍ମାନ ଦିଆଯାଏ। ତିରୁପତି ମନ୍ଦିରର ସେବାୟତମାନଙ୍କର ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା ରହିଛି। ବ୍ରାହ୍ମଣ ସେବାୟତମାନେ ଆଗମ ଶାସ୍ତ୍ରୋକ୍ତ ପୂଜା ବିଧି ଏବଂ ବେଦ ଅଧ୍ୟୟନ କରି ସାକ୍ଷାତକାର ପ୍ରକ୍ରିୟାରେ ମନୋନୀତ ହୁଅନ୍ତି। ସେହିପରି ଅନ୍ୟ ସେବକମାନେ ସାକ୍ଷାତକାର ପ୍ରକ୍ରିୟାରେ ମନୋନୀତ ହୋଇ ସମସ୍ତ ସରକାରୀ ସୁବିଧାସୁଯ଼ୋଗ ପାଇ ଖୁବ୍ ଆନନ୍ଦରେ ସମୟ କାଟୁଥିବାର ପରିଲକ୍ଷିତ ହୁଏ। ଏଠାର ସେବକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ବୀମା ପ୍ରଭୃତି ସମସ୍ତ ସୁବିଧାସୁଯୋଗ ତିରୁମଲ୍ଲା ତିରୁପତି ଦେବସ୍ଥାନମ୍ ନାମକ ମନ୍ଦିର ପ୍ରଶାସନ ଯୋଗାଇ ଦେଇଥାଏ। ଆମେ ଦେଖିବାକୁ ପାଉଛୁ ବାଲାଜୀ ମନ୍ଦିରରେ ଚାକିରି ପାଇବା ପାଇଁ ଏଠାର ପିଲାମାନେ କଠୋର ପରିଶ୍ରମ କରି ଅଧ୍ୟୟନ କରନ୍ତି। ତାହାର ଏକ ପ୍ରମୁଖ କାରଣ ହେଉଛି ବାଲାଜୀ ମନ୍ଦିରରେ ଚାକିରି କରିଥିବା ଚପରାସୀଟିଏ ମଧ୍ୟ ଖୁବ୍ ସମ୍ମାନରେ ବଞ୍ଚିବାର ଅଧିକାର ପାଏ। ଏଠାର କେହି ବି ଅଧିକାରୀ କୌଣସି ସେବାୟତଙ୍କୁ ଦୁର୍ବ୍ୟବହାର କରିପାରିବେ ନାହିଁ। ଯ଼ଦି ସେଭଳି ନଜରକୁ ଆସେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଏ। ଯେଉଁ ସେବାୟତକୁ ପ୍ରଶାସନର ନିୟମ ଠିକ୍ ଲାଗୁନାହିଁ ସେ ଚାକିରି ଛାଡି ଯିବା ପାଇଁ କୌଣସି ପ୍ରତିବନ୍ଧକ ନଥାଏ। ଆପଣମାନେ ତିରୁପତି ମନ୍ଦିର ଭିତରେ ପ୍ରବେଶ କରିବାଠାରୁ ଆରମ୍ଭ କରି ମନ୍ଦିରରୁ ବାହାରି ଘରକୁ ଆସିବା ପର୍ଯ୍ୟନ୍ତ ଗୋଟିଏ ବି ସେବାୟତଙ୍କୁ ଆପଣଙ୍କ ନିକଟରେ ଦେଖିବେ ନାହିଁ; କିନ୍ତୁ ପୁରୀ ମନ୍ଦିରରେ ଏହାର ଘୋର ବ୍ୟତିକ୍ରମ ଦେଖାଯ଼ାଏ।
ମନ୍ଦିର ଶୃଙ୍ଖଳାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସମ୍ପୂର୍ଣ୍ଣ ମନ୍ଦିରଟି ସିସିଟିଭି ନିୟନ୍ତ୍ରଣରେ ଅଛି। ମନ୍ଦିର ଭିତରକୁ ମୋବାଇଲଫୋନ ଏବଂ ଖାଦ୍ୟ ପଦାର୍ଥ ଇତ୍ୟାଦି ଦ୍ରବ୍ୟ ସମ୍ପୂର୍ଣ୍ଣ ନିଷେଧ ଯାହା ମନ୍ଦିର ପ୍ରବେଶ ପୂର୍ବରୁ ବାରମ୍ବାର ତନ୍ନତନ୍ନ କରି ପରୀକ୍ଷା କରାଯାଏ। ସିସିଟିଭି ମନ୍ଦିରରେ ଭକ୍ତଙ୍କର ବ୍ୟବହାର ତଥା ସେବାୟତଙ୍କର ବ୍ୟବହାରକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥାଏ। ମନ୍ଦିରର ସମୟାନୁସାରେ ସେବା କାର୍ଯ୍ୟ ନିର୍ଦ୍ଧାରଣ ତଥା କାର୍ଯ୍ୟ ପରିଚାଳନା ପାଇଁ ଅନେକ ବରିଷ୍ଠ ଅଧିକାରୀ ଖୁବ୍ ତତ୍ପର ଥିବାର ପରିଲକ୍ଷିତ ହୁଏ। ଉକ୍ତ ମନ୍ଦିରର ସୁପରିଚାଳନା ପାଇଁ ଦୁଇ ଜଣ ଆଇ.ଏ.ଏସ୍ ଅଧିକାରୀ ନିୟୋଜିତ। ଜଣେ ମନ୍ଦିର ପରିଚାଳନା ଅଧିକାରୀ (Executive officer of TTD) ଏବଂ ଜଣେ ସହ ପରିଚାଳନା ଅଧିକାରୀ (Joint Executive officer of TTD)। ତାଙ୍କ ସହିତ ଅନେକ ଅଧିକାରୀ ଏବଂ କର୍ମଚାରୀ ତିରୁପତି ବାଲାଜୀ ମନ୍ଦିରରେ କର୍ମରତ। ସବୁଠାରୁ ବଡ କଥା ହେଲା ଆଇ.ଏ.ଏସ୍ ଅଧିକାରୀମାନେ ମଧ୍ୟ ରାତି ଗୋଟେ ଦୁଇଟା ପର୍ଯ୍ୟନ୍ତ ମନ୍ଦିରରେ ସ୍ୱୟଂ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରୁଥିବା ଆମେ ପ୍ରତ୍ୟକ୍ଷଦର୍ଶୀ। ତେବେ ବିଶେଷ କଥା ହେଲା ଭଗବାନଙ୍କଠାରେ ଆମର ଭକ୍ତି। ଯେଉଁଠି ଦେବତାଙ୍କ ପାଖରେ ଭକ୍ତି ଏବଂ ସମ୍ମାନ ରହିବ ସେଠି ଶୃଙ୍ଖଳା ସ୍ୱତଃ ଉଦ୍ଭାସିତ ହେବ। ସେବାୟତ ଏବଂ କର୍ମଚାରୀ ଯଦି ବିଶୃଙ୍ଖଳିତ ହେବେ ସେଠି ଭକ୍ତ ଶିଖିବ କଣ? ତିରୁପତି ମନ୍ଦିରର ସେବାୟତ ଏବଂ କର୍ମଚାରୀମାନଙ୍କର ଶୁଦ୍ଧ ବସ୍ତ୍ର ତଥା ନିରାଡମ୍ବର ଏବଂ ନିରହଂକାର ଭାବ ତଥା ସ୍ନେହପୂର୍ଣ୍ଣ ବଚନବିନ୍ୟାସ ଅପୂର୍ବ ଆନନ୍ଦ ଦେଇଥାଏ। ସମସ୍ତ କର୍ମଚାରୀମାନଙ୍କର ଧବଳ ବସ୍ତ୍ର ପରିଧାନ ତଥା ଶିରରେ ବେଙ୍କଟେଶ ତିଳକ ବାଧ୍ୟତାମୂଳକ। ମନ୍ଦିରର ପରିସର ଖୁବ୍ ନିର୍ମଳ । ପ୍ରତି ମୁହୂର୍ତ୍ତରେ ମାର୍ଜନୀ ଧରି ପରିଷ୍କାର କରୁଥିବାର କର୍ମଚାରୀମାନେ ଦୃଷ୍ଟିଗୋଚର ହୁଅନ୍ତି। ମନ୍ଦିରରେ ସେବା କରିବା ପାଇଁ ପ୍ରତ୍ୟେକ ଦିନ ଦେଶର ବିଭିନ୍ନ କୋଣଅନୁକୋଣରୁ ଭକ୍ତମାନେ ଆସି ନିଃଶୁକ୍ଳ ସେବା ଦିଅନ୍ତି।
ଏଭଳି ଅନେକ ବିଧାନକୁ ଉପଯୋଗ କରି ଆନ୍ଧ୍ରପ୍ରଦେଶର ଶ୍ରୀବେଙ୍କଟେଶ୍ୱର ମନ୍ଦିର ଆଜି ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ଏବଂ ଶୃଙ୍ଖଳିତ ମନ୍ଦିର। ମନ୍ଦିରର ବାର୍ଷିକ ବିବରଣୀ ସୂଚାଏ, ଏ ମନ୍ଦିର ଦିନକୁ ପ୍ରାୟ ଦୁଇ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଭକ୍ତଙ୍କର ଦାନ ସୂତ୍ରରେ ପାଏ ଯାହାକୁ ବିନିଯୋଗ କରି ଆନ୍ଧ୍ରପ୍ରଦେଶର ଅନେକ ଧର୍ମକ୍ଷେତ୍ର ତଥା ମନ୍ଦିରର ନବୀକରଣ ଏବଂ ସେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି ବ୍ୟବସ୍ଥାରେ ଆଶାତୀତ ଉନ୍ନତି ସମ୍ଭବ ହେଉଛି। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଅନେକ ପଛରେ ହୋଇ ଏବଂ ପୁରୀଠାରୁ ଖୁବ୍‌କମ୍‌ କିମ୍ବଦନ୍ତୀ ଥାଇ ମଧ୍ୟ ଆଜି ବିଶ୍ୱର ସର୍ବଶ୍ରେଷ୍ଠ ମନ୍ଦିରର ମର୍ଯ୍ୟାଦା ପାଇଛି, କିନ୍ତୁ ଭାରତର ଚାରିଧାମର ଶ୍ରେଷ୍ଠଧାମ ଶ୍ରୀଜଗନ୍ନାଥଧାମ ସବୁକିଛି ଥାଇ ମଧ୍ୟ ତିରୁପତି ବାଲାଜୀ ମନ୍ଦିରରୁ ଶୃଙ୍ଖଳାଜ୍ଞାନ ଆହରଣ କରିବା ପାଇଁ ଚାହିଁ ବସିଛି।

Leave A Reply